Wednesday, August 12, 2026
24.6 C
Odisha

    କ୍ୟାବିନେଟ୍‌ ନିଷ୍ପତ୍ତି: ହୀରାକୁଦ ଡ୍ୟାମ୍ ପାଇଁ ବଡ଼ ଯୋଜନା, ୬ବର୍ଷରେ ଖର୍ଚ୍ଚ ହେବ ୧୦୬୬କୋଟି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମହାନଦୀରେ ବନ୍ୟା ନିୟନ୍ତ୍ରଣ ଏବଂ ହୀରାକୁଦ ବନ୍ଧର ସୁପରିଚାଳନା ପାଇଁ ରାଜ୍ୟ ସରକାର ଆସନ୍ତା ୬ବର୍ଷରେ ଅର୍ଥାତ୍ ୨୦୨୫-୨୬ରୁ ୨୦୩୦-୩୧ ମଧ୍ୟରେ ୧୦୬୬କୋଟି ୩୮ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ବିଶ୍ୱ ବ୍ୟାଙ୍କ ଓ ଏସିଆନ୍‌ ଇନ୍‍ଫ୍ରାଷ୍ଟ୍ରକ୍‍ଚର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ ସହାୟତାରେ ଡ୍ୟାମ୍ ପୁନରୁଦ୍ଧାର ଓ ଉନ୍ନତୀକରଣ ପ୍ରକଳ୍ପ-୩ (ଡ୍ରିପ୍-୩)ରେ ହୀରାକୁଦ ବନ୍ଧର ମରାମତି, ଉନ୍ନତୀକରଣ ଏବଂ ଅନ୍ୟାନ୍ୟ କାମ ହେବ। ୬ବର୍ଷରେ ମୋଟ୍ ୩ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛି।

    ‌େସହି ପ୍ରକଳ୍ପଗୁଡ଼ିକ ହେଲା ହୀରାକୁଦ ଡ୍ୟାମ୍‌ର ବାମ ଡାଇକ୍‌ରେ ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣ। ହୀରାକୁଦ ଡ୍ୟାମର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ତାହାର ମରାମତି ଓ ଉନ୍ନତୀକରଣ, ହୀରାକୁଦ ଡ୍ୟାମ୍‌ ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍‌ୱେର ଫାଟକଗୁଡ଼ିକୁ ସ୍କାଡା ପ୍ରଣାଳୀରେ ସ୍ୱୟଂଚାଳିତ କରାଯିବ। ହୀରାକୁଦ ଡ୍ୟାମ୍‌ର ଅତିରିକ୍ତ ସ୍ପିଲୱେ ନିର୍ମାଣ ଦ୍ୱାରା ଅତିରିକ୍ତ ବନ୍ୟା ଜଳକୁ ନିରାପଦ ଭାବେ ନିଷ୍କାସିତ କରାଯାଇ ପାରିବ। ଏହାବାଦ୍ ହୀରାକୁଦ ଡ୍ୟାମ୍‌ର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ଏହାର ମରାମତି ଓ ଉନ୍ନତୀକରଣ ଦ୍ୱାରା ଡ୍ୟାମ୍‌କୁ ଦୀର୍ଘସ୍ଥାୟୀ କରାଯାଇ ପାରିବ। ଡ୍ୟାମ୍‌ର ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍‌ୱେର ଗେଟ୍‌ଗୁଡ଼ିକୁ ସ୍ୱୟଂଚାଳିତ କରାଯିବା ଦ୍ୱାରା ଏହାର ଉତ୍ତମ ନିୟନ୍ତ୍ରଣ ଓ ପର୍ଯ୍ୟବେକ୍ଷଣ ସୁନିଶ୍ଚିତ କରାଯାଇ ପାରିବ।

    ୮୯୬କୋଟିରେ ନିର୍ମାଣ ହେବ ୪ଟି ବଡ଼ ସେତୁ

    ସେହିପରି ରାଜ୍ୟର ବିଭିନ୍ନ ପ୍ରମୁଖନଦୀରେ ୪ଟି ବୃହତ୍‌ ସେତୁ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ୪ଟି ସେତୁ ପାଇଁ ୮୯୬କୋଟି ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଥିରେ ଭଦ୍ରକ -ଚାନ୍ଦବାଲି ରାସ୍ତାରେ ବୈତରଣୀ ନଦୀ ଉପରେ ପୁରୁଣା ସେତୁ ନିକଟରେ କେନ୍ଦ୍ରପଡ଼ା ଓ ଚାନ୍ଦବାଲିକୁ ସଂଯୋଗ କରିବାପାଇଁ ଏକ ସେତୁ ନିର୍ମାଣ ହେବ। ଏହି ସେତୁ କେନ୍ଦ୍ରାପଡ଼ାକୁ ଭଦ୍ରକ ସହିତ ସଂଯୋଗ କରୁଥିବା ରାଜ୍ୟ ରାଜପଥ- ୯ଏରେ ଟ୍ରାଫିକ୍ ସମସ୍ୟାକୁ ସହଜ କରିବ। ଏହି ରାସ୍ତା ଡାଙ୍ଗମାଳ ଓ ଭିତରକନିକା ଜାତୀୟ ଉଦ୍ୟାନକୁ ସିଧାସଳଖ ସଂଯୋଗ କରିବ। ସେତୁ ନିର୍ମାଣ ପାଇଁ ୨୦୬.୮୮କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି। ସେତୁ କାମ ୩ବର୍ଷରେ ସରିବ। କଟକ -ଚାନ୍ଦବାଲି ରାସ୍ତାର ଭାରିଗଡ଼ା ଠାରେ ଖରସ୍ରୋତା ନଦୀ ଉପରେ ପୁରୁଣା ସେତୁ ନିକଟରେ ଆଳି ଓ ଚାନ୍ଦବାଲିକୁ ସଂଯୋଗ କରିବା ପାଇଁ ଏକ ସେତୁ ନିର୍ମାଣ ହେବ।  ବୈତରଣୀ ନଦୀ ଉପରେ ଏହି ଚାରି ଲେନ୍ ବିଶିଷ୍ଟ ସେତୁଟି ବର୍ତ୍ତମାନର ପୁରୁଣା ସେତୁ ନିକଟରେ ନିର୍ମାଣ କରାଯିବ।  ଏଥିପାଇଁ ୨୨୧.୫୩କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି କାର୍ଯ୍ୟ ୩ବର୍ଷରେ ଶେଷ ହେବ।

    ସେହି କଟକ-ଚାନ୍ଦବାଲି ରାସ୍ତାରେ ବ୍ରାହ୍ମଣୀ ନଦୀ ଉପରେ ପୁରୁଣା ସେତୁ ନିକଟରେ ଆଉ ଏକ ଚାରିଥାକିଆ ସେତୁ ନିର୍ମାଣ ହେବ। ଏଥିପାଇଁ ୨୨୮.୯୯ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି।  ଏହା ମଧ୍ୟ ୩ବର୍ଷରେ ଶେଷ ହେବ। ଏହାବାଦ୍ ମହାନଦୀ ଉପରେ ଝାରସୁଗୁଡ଼ା ଜିଲ୍ଲାର ପୂଜାରୀପଲ୍ଲୀ ଘାଟ ଠାରେ ଏକ ସେତୁ ନିର୍ମାଣ କରି ବରଗଡ ଜିଲ୍ଲାର ଜରିମୂଲିକୁ ସଂଯୋଗ କରାଯିବ। ଏହି ପ୍ରକଳ୍ପଟି ପୁରୁଣା ଏନ୍‌ଏଚ୍‌-୨୦୦ ବା ବର୍ତ୍ତମାନର ଏନ୍ଏଚ୍‌- ୪୯କୁ ବରଗଡ଼ ଜିଲ୍ଲାର ଡୁଙ୍ଗୁରୀ ସହିତ ସଂଯୋଗ କରିବ। ଏଥିପାଇଁ ୨୩୯କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ୩ବର୍ଷରେ ଶେଷ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.6 ° C
    24.6 °
    24.6 °
    90 %
    1.8kmh
    100 %
    Wed
    31 °
    Thu
    29 °
    Fri
    27 °
    Sat
    28 °
    Sun
    28 °

    ସମ୍ବନ୍ଧିତ