ହିମାଚଳ : ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ଚଳନ୍ତା ଟାଟା ସୁମୋ ଗାଡ଼ି ଉପରେ ପାହାଡ଼ରୁ ବଡ଼ ପଥର ଖସିବା ଯୋଗୁଁ ଗାଡ଼ିରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଦିବାସୀ ବହୁଳ ପାଙ୍ଗୀ ଉପତ୍ୟକାର କିଲ୍ଲାର-ଉଦୟପୁର ରାସ୍ତାରେ ଥିବା କାଡୁ ନାଲା ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ପିତି ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି ।
ଖବର ମୁତାବକ, ଭରମୌର-ପାଙ୍ଗୀର ବିଧାୟକ ଡକ୍ଟର ଜନକ ରାଜ କହିଛନ୍ତି ଯେ, ଟାଟା ସୁମୋରେ ଯାତ୍ରା କରୁଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ସ୍ଥାନୀୟ ପ୍ରଶାସନ ସହ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଚେଷ୍ଟା ଚାଲିଛି । ରାସ୍ତାରୁ ପଥର ଓ ମାଟି ଅଳିଆ ଆବର୍ଜନା ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ମେସିନ୍ ନିୟୋଜିତ କରାଯାଇଛି ।
ଉଦୟପୁର-କିଲାଡ ରାସ୍ତା ଗୋଟେ ଦିନ ପୂର୍ବରୁ ଭୂସ୍ଖଳନ ଯୋଗୁଁ ବନ୍ଦ ଥିଲା । ଏହା ଯୋଗୁଁ ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ତିନ୍ଦିରେ ରହିଥିଲେ । ରାସ୍ତା ଖରାପ ଥିବା ଯୋଗୁଁ ଗାଡ଼ି ପାଙ୍ଗୀ ଆଡକୁ ଯାଇଥିଲା । କିନ୍ତୁ କଡୁ ନାଲା ପାଖରେ ହଠାତ୍ ପାହାଡରୁ ଏକ ବଡ଼ ପଥର ଗାଡ଼ି ଉପରେ ଖସିପଡିଥିଲା । ତେବେ ଘଟଣାରେ ୧୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।
