ଯାଯପୁର: ଏକାଧିକ ଯାତ୍ରା ନାଟକ ଲେଖି ଜାତୀୟ ସ୍ତରରେ ନାଁ କରିଛନ୍ତି ଓଡ଼ିଆ ନାଟ୍ୟକାର । ଗୋଟିଏ ବର୍ଷରେ ସର୍ବାଧିକ ୧୮ ଟି ନାଟକ ଲେଖି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଏଥିପାଇଁ ଡ. ଦୀପକ ଜେନାଙ୍କୁ ଚାରି ଆଡ଼ୁ ଶୁଭେଛାର ସୁଅ ଛୁଟୁଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବିତନା ପଞ୍ଚାୟତ ଅନ୍ତର୍ଗତ ନଥିପୁର ଗାଁର ଅଧ୍ୟାପକ ଦୀପକ ଜେନା ଚଳିତ ବର୍ଷ ଓଡିଶା ଯାତ୍ରା ଜଗତ ପାଇଁ ସର୍ବାଧିକ ୧୮ ଗୋଟି ନାଟକ ରଚନା କରି ଏହି ରେକର୍ଡର ଅଧିକାରୀ ହୋଇପାରିଛନ୍ତି ।
ଅଧ୍ୟାପନା ସହିତ ଯାତ୍ରା ନାଟକରେ ରୁଚି ରଖୁଥିବା ଦୀପକ ଚଳିତ ବର୍ଷ “ତୁ ମୋ ଭାଗ୍ୟରେ ନାହୁଁ” ନଅଙ୍କ ଦୁର୍ଭିକ୍ଷ” “କଟି କଟି ଡବଲ କଟି” “ହାଇଦର” ଓ ‘ତୁ ମୋ ବଜରଙ୍ଗୀ’ ଭଳି ଅନେକ ନାଟକ ଲେଖି ଚର୍ଚ୍ଚାକୁ ଆସିଥିଲେ ।
ଡ. ଦୀପକଙ୍କ ଦ୍ଵାରା ଲିଖିତ ନାଟକ ଆଜି ଘରେ ଘରେ ପହଞ୍ଚି ପାରିଥିବା ବେଳେ ନାଟକରେ ଅଭିନୟ କରିଥିବା କଳାକାରଙ୍କୁ ସ୍ବତନ୍ତ୍ର ପରିଚୟ ମିଳିଛି । ତାଙ୍କ ଦ୍ବାରା ରଚିତ ନାଟକରେ ସାମାଜିକ ବିଷୟ ବସ୍ତୁ ଓ ସାଂପ୍ରତିକ ପରିସ୍ଥିତି ଉପସ୍ଥାପିତ ହୋଇଛି । ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ଦୀପକଙ୍କ ଏହି ସଫଳତା ମିଳିବା ପରେ ସେ ପଢ଼ାଉଥିବା ବରୁଣେଶ୍ୱର କଲେଜର କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ ଅଧିକରୁ ଅଧିକ ନାଟକ ଲେଖିବାକୁ ପ୍ରେରଣା ଯୋଗାଇବ ଏହି ସମ୍ମାନ । ଡ. ଦୀପକଙ୍କ ପେଶା ଅଧ୍ୟାପନା ହୋଇଥିବା ବେଳେ ନିଶା ଏବେ ନାଟକ ଲେଖିବା ପାଲଟି ଯାଇଛି । ଆଉ ନିଶା ଏବେ ସ୍ବୀକୃତି ମଧ୍ୟ ଦେଇଛି ।

