Saturday, October 10, 2026
27.9 C
Odisha

    ଚଳିତ ବର୍ଷ ଦଶମ ବିଦ୍ୟାର୍ଥୀଙ୍କ ପାଇଁ ଲାଗୁ ହେବନି ତୃତୀୟ ଭାଷା:ସିବିଏସ୍‌ଇ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   : ବର୍ତ୍ତମାନର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ୩-ଭାଷା ନୀତି କାର୍ଯ୍ୟକାରୀ ହେବନାହିଁ।  ଗତକାଲି ସିବିଏସ୍‌ଇ ପକ୍ଷରୁ ୩-ଭାଷା ନୀତି ଉପରେ ଏହି ନିୟମାବଳୀ ଜାରି କରିଛି।ନିୟମାବଳୀରେ କୁହାଯାଇଛି ଯେ, ଜାତୀୟ ଶିକ୍ଷା ନୀତି-୨୦୨୦ରେ ୩-ଭାଷାରେ ଅଧ୍ୟୟନ କରିବାକୁ ନିୟମ ରହିଛି। ଶିକ୍ଷାବର୍ଷ ୨୦୨୬-୨୭ରେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ୩-ଭାଷା ନୀତି ଲାଗୁ ହେବ ବୋଲି ପୂର୍ବରୁ ନିର୍ଦେଶନାମା ଜାରି ହୋଇଥିଲା। ତେବେ ନୂତନ ଭାଷା ନୀତି ବର୍ତ୍ତମାନର ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ। ତେଣୁ ଚଳିତ ବର୍ଷ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଅତିରିକ୍ତ ବିଷୟ ଉପରେ ଚିନ୍ତା କରିବାକୁ ପଡ଼ିବ ନାହିଁ। ତେବେ ୭ମ, ୮ମ ଏବଂ ୯ମ ଶ୍ରେଣୀର ଛାତ୍ରଛାତ୍ରୀ ଯେଉଁମାନେ ପୂର୍ବରୁ ଦୁଇଟି ବିଦେଶୀ ଭାଷା ବାଛି ସାରିଛନ୍ତି, ସେମାନେ ସେହି ଭାଷାଗୁଡ଼ିକ ସହିତ ପାଠପଢ଼ା ଜାରି ରଖିପାରିବେ। ସେମାନଙ୍କୁ ଅତିରିକ୍ତ ଏକ ଭାରତୀୟ ଭାଷା ଅଧ୍ୟୟନ କରିବାକୁ ପଡ଼ିବ। ନୂତନ ଭାଷା ନୀତି ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ନବମ ଶ୍ରେଣୀର୨୦୨୬-୨୭ ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ତିନୋଟି ଭାଷା ପଢ଼ିବାକୁ ପଡ଼ିବ। ତିନୋଟି ଭାଷା ମଧ୍ୟରୁ ଅତି କମରେ ଦୁଇଟି ଭାରତୀୟ ଭାଷା ହେବା ଆବଶ୍ୟକ। ଭାରତୀୟ ଭାଷାରେ ହିନ୍ଦୀ, ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲାମ୍‌, ମରାଠୀ, ବେଙ୍ଗଲୀ, ପଞ୍ଜାବୀ, ଗୁଜରାଟି, ଓଡ଼ିଆ ଏବଂ ଆସାମୀ ରହିଛି। ସେହିପରି ବିଦେଶୀ ଭାଷାରେ ଇଂରାଜୀ, ଫରାସୀ, ଜର୍ମାନୀ, ଆରବିକ ଏବଂ ସ୍ପେନିସ୍‌ ଇତ୍ୟାଦି ରହିଛି। ଯଦି ଜଣେ ବିଦ୍ୟାର୍ଥୀ ଭାରତୀୟ ଭାଷା ମଧ୍ୟରୁ ଦୁଇଟି ଭାଷାରେ ଅଧ୍ୟୟନ କରି ସାରିଛି ତେବେ ସେ ଅନ୍ୟ ଏକ ଭାରତୀୟ ଭାଷା କିମ୍ବା ଇଂରାଜୀ କିମ୍ବା ଫରାସୀ ଭଳି ଏକ ବିଦେଶୀ ଭାଷାକୁ ତୃତୀୟ ଭାଷା ଭାବରେ ବାଛି ପାରିବ। ଯଦି ଜଣେ ଛାତ୍ର ଗୋଟିଏ ଭାରତୀୟ ଭାଷା ତାମିଲ ଏବଂ ଗୋଟିଏ ବିଦେଶୀ ଭାଷା ଇଂରାଜୀରେ ଅଧ୍ୟୟନ କରୁଛନ୍ତି, ତେବେ ତାଙ୍କୁ ତୃତୀୟ ଭାଷା ଭାବରେ ଏକ ଭାରତୀୟ ଭାଷା ଯୋଡିବାକୁ ପଡ଼ିବ। ଯଦି ଜଣେ ବିଦ୍ୟାର୍ଥୀ ଦୁଇଟି ବିଦେଶୀ ଭାଷା ଇଂରାଜୀ ଏବଂ ଫରାସୀ ଅଧ୍ୟୟନ କରୁଛନ୍ତି ତେବେ ସେ ଉଭୟ ବିଦେଶୀ ଭାଷା ଅଧ୍ୟୟନ ଜାରି ରଖିପାରିବେ। କିନ୍ତୁ ତାଙ୍କୁ ତୃତୀୟ ଭାଷାରେ ଏକ ଭାରତୀୟ ଭାଷା ମଧ୍ୟ ଅଧ୍ୟୟନ କରିବାକୁ ପଡ଼ିବ। ଏନସିଇଆରଟି ୨୨ଟି ଅନୁସୂଚିତ ଭାରତୀୟ ଭାଷାରେ ନୂତନ ପୁସ୍ତକ ଯୋଗାଇ ଦେଉଛି।ବର୍ତ୍ତମାନ ୯ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାବର୍ଷ ୨୦୨୭-୨୮ରେ ତୃତୀୟ ଭାଷାରେ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଏହି ଭାଷା କେବଳ ସ୍କୁଲସ୍ତରରେ ମୂଲ୍ୟାୟନ କରାଯିବ। ସପ୍ତମ-ଅଷ୍ଟମ ଶ୍ରେଣୀର ୨୦୨୬-୨୭ବର୍ଷର ଛାତ୍ରଛାତ୍ରୀ ଯେତେବେଳେ ୯ମ ଏବଂ ୧୦ମ ଶ୍ରେଣୀରେ ପହଞ୍ଚିବେ, ସେମାନେ ତିନୋଟି ଭାଷା ପଢ଼ିବେ। ଯଦି ସେମାନେ ପୂର୍ବରୁ ଦୁଇଟି ବିଦେଶୀ ଭାଷା ବାଛିଛନ୍ତି ତେବେ ସେମାନଙ୍କୁ କେବଳ ଆଉ ଗୋଟିଏ ଭାରତୀୟ ଭାଷା ଯୋଡିବାକୁ ପଡ଼ିବ। ଏହି ଛାତ୍ରଙ୍କୁ ତୃତୀୟ ଭାଷା ପାଇଁ ବୋର୍ଡ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଏହା କେବଳ ସ୍କୁଲ ଦ୍ୱାରା ମୂଲ୍ୟାୟନ କରାଯିବ। ଷଷ୍ଠ ଶ୍ରେଣୀର ୨୦୨୬-୨୭ବର୍ଷ ଏବଂ ପରବର୍ତ୍ତୀ ବ୍ୟାଚ୍‌ଗୁଡ଼ିକର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ନୀତି ସମ୍ପୂର୍ଣ୍ଣ ପ୍ରଯୁଜ୍ୟ ହେବ। ତିନୋଟି ମଧ୍ୟରୁ ଦୁଇଟି ଭାରତୀୟ ଭାଷା ବାଧ୍ୟତାମୂଳକ ହେବ। ଏହି ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପହଞ୍ଚିବା ପରେ ସେମାନେ ତୃତୀୟ ଭାଷାରେ ବୋର୍ଡ ପରୀକ୍ଷା ମଧ୍ୟ ଦେବେ।

    ଅପରପକ୍ଷେ ସିବିଏସ୍‌ଇ ଏହି ନିୟମରୁ କିଛି ବର୍ଗର ଛାତ୍ରଛାତ୍ରୀଙ୍କୁ ମୁକ୍ତ କରିଛି। ଆଇନ ଅନୁଯାୟୀ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏଥିରୁ ଛାଡ଼ ପାଇବେ। ଭାରତ ବାହାରେ ଥିବା ସିବିଏସ୍‌ଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଭାରତୀୟ ଭାଷା ଅଧ୍ୟୟନ ବାଧ୍ୟତାମୂଳକ ହେବନାହିଁ। ବିଦେଶରୁ ଭାରତକୁ ଫେରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ତୃତୀୟ ଭାରତୀୟ ଭାଷାରୁ ମୁକ୍ତ କରାଯିବ। ଯଦି ଜଣେ ଛାତ୍ରଛାତ୍ରୀଙ୍କ ପିତାମାତା ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହୁଅନ୍ତି, ତେବେ ସେ ତାଙ୍କର ପୂର୍ବରୁ ବାଛିଥିବା ତୃତୀୟ ଭାଷା ଜାରି ରଖିପାରିବେ। ଏପରି ପରିସ୍ଥିତିରେ ସ୍କୁଲକୁ ଅଧ୍ୟୟନର ବ୍ୟବସ୍ଥା କରିବାକୁ ପଡ଼ିବ। ଆବଶ୍ୟକ ହେଲେ ସ୍କୁଲଗୁଡ଼ିକ ପୂର୍ବରୁ ଥିବା ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକ, ସ୍ନାତକୋତ୍ତର ଶିକ୍ଷକ ଏବଂ ଅନଲାଇନ କିମ୍ବା ହାଇବ୍ରିଡ଼ ମାଧ୍ୟମ ବ୍ୟବହାର କରିପାରିବେ ବୋଲି ବୋର୍ଡ କହିଛି। ଏହି ପରିବର୍ତ୍ତନ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ