ଝାଡ଼ଖଣ୍ଡ : ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ ତୀବ୍ର । ରାସ୍ତାରେ ହଜାର ହଜାର ଛାତ୍ର । ବିଧାନସଭା ଘେରାଉ ପାଇଁ ରାଞ୍ଚିରେ ଛାତ୍ରଙ୍କ ଶୋଭାଯାତ୍ରା । ଝାଡ଼ଖଣ୍ଡରେ ସରକାରୀ ଚାକିରି ପାଇଁ ହେଉଥିବା ନିଯୁକ୍ତି ପରୀକ୍ଷାକୁ ନେଇ ଛାତ୍ର ଅସନ୍ତୋଷ ତୀବ୍ର ହୋଇଛି । Jharkhand Public Service Commission (JPSC) ଏବଂ Jharkhand Staff Selection Commission (JSSC) ପରୀକ୍ଷା ଓ ନିଯୁକ୍ତି ପ୍ରକ୍ରିୟାରେ କଥିତ ଅନିୟମିତତା ବିରୋଧରେ ସୋମବାର ହଜାର ହଜାର ଛାତ୍ରଛାତ୍ରୀ ଓ ଚାକିରି ଆଶାୟୀ ରାଞ୍ଚିରେ ବିଧାନସଭା ଘେରାଉ ଅଭିଯାନରେ ସାମିଲ ହୋଇଛନ୍ତି ।
ଦୀର୍ଘଦିନ ଧରି JPSC ଓ JSSC ଦ୍ୱାରା ପରିଚାଳିତ ବିଭିନ୍ନ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି ଆନ୍ଦୋଳନକାରୀ । ବିଶେଷକରି 14th JPSC ପରୀକ୍ଷା ସହ JSSC-CGL ଏବଂ ଅନ୍ୟ ନିଯୁକ୍ତି ପରୀକ୍ଷାକୁ ନେଇ ସେମାନେ ଆପତ୍ତି ଉଠାଇଛନ୍ତି । କଥିତ ଅନିୟମିତତାର CBI ତଦନ୍ତ, ବିବାଦୀୟ ପରୀକ୍ଷା ବାତିଲ ଏବଂ ନିଯୁକ୍ତି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସେମାନଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି । ଏହା ପୂର୍ବରୁ ଜୁଲାଇ ୨୯ରେ ମଧ୍ୟ ହଜାର ହଜାର ଛାତ୍ରଛାତ୍ରୀ ରାଞ୍ଚିର ଜୟପାଲ ସିଂହ ମୁଣ୍ଡା ଷ୍ଟାଡିୟମରୁ ଆଲବର୍ଟ ଏକ୍କା ଛକ ପର୍ଯ୍ୟନ୍ତ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରିଥିଲେ । ସେତେବେଳେ 14th JPSC PT Exam ବାତିଲ କର, JPSC-JSSCର CBI ତଦନ୍ତ କର ବୋଲି ଦାବି ଉଠିଥିଲା ।
ଅନ୍ୟପଟେ ଝାଡ଼ଖଣ୍ଡ ସରକାର ଆନ୍ଦୋଳନକାରୀଙ୍କ ପ୍ରାୟ ୯୮ ପ୍ରତିଶତ ଦାବି ପୂରଣ ହୋଇଥିବା କହିଛନ୍ତି । କିନ୍ତୁ ଛାତ୍ରମାନେ ଏହି ଦାବିକୁ ଖାରଜ କରିଛନ୍ତି । ସେମାନଙ୍କ କହିବା କଥା, ଯେଉଁ ପରୀକ୍ଷାଗୁଡ଼ିକୁ ବାତିଲ କରିବାକୁ ସେମାନେ ଦାବି କରିଥିଲେ, ସେଥିମଧ୍ୟରୁ ମାତ୍ର କିଛି ପରୀକ୍ଷା ବାତିଲ ହୋଇଛି । ତେଣୁ ମୂଳ ସମସ୍ୟାର ସମାଧାନ ହୋଇନାହିଁ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।
ବିଧାନସଭା ଘେରାଉକୁ ଦୃଷ୍ଟିରେ ରଖି ରାଞ୍ଚିରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ବିଧାନସଭା ଆଖପାଖରେ ନିଷେଧାଜ୍ଞା ସହ ବହୁସ୍ତରୀୟ ବ୍ୟାରିକେଡିଂ ଓ କଣ୍ଟାତାର ବ୍ୟବସ୍ଥା କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ମଧ୍ୟ ଅତିରିକ୍ତ ପୋଲିସ ମୁତୟନ କରାଯାଇଛି । ଛାତ୍ରମାନଙ୍କ କହିବା କଥା, ସରକାରୀ ଚାକିରି ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତି କରୁଥିବା ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ଭବିଷ୍ୟତ ସହ କୌଣସି ପ୍ରକାର ସାଲିସ କରାଯାଇପାରିବ ନାହିଁ । ପରୀକ୍ଷା ଓ ନିଯୁକ୍ତି ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ୱଚ୍ଛ ହେଉ ଏବଂ ଅନିୟମିତତା ଅଭିଯୋଗର ନିରପେକ୍ଷ ତଦନ୍ତ ହେଉ । ଏହି ଦାବିକୁ ନେଇ ଆନ୍ଦୋଳନ ଜାରି ରହିଛି ।
