ଝାରସୁଗୁଡ଼ା : ଝାରସୁଗୁଡ଼ା ପୋଲିସର ନୂଆ ପ୍ରୟାସ । ଏବେ QR କୋଡ୍ ମାଧ୍ୟମରେ ଟ୍ରାକ୍ ହେବ ଅଟୋ । ଝାରସୁଗୁଡ଼ା ସହରରେ ସାଧାରଣ ଯାତ୍ରୀ ଓ ମହିଳାମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଝାରସୁଗୁଡ଼ା ପୋଲିସ ଏକ ବଡ଼ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛି । ‘ଅପରେସନ୍ ନେତ୍ର’ ଅଧୀନରେ ଏବେ ସହରରେ ‘ସ୍ମାର୍ଟ ଅଟୋ ଟ୍ରାକିଂ ସିଷ୍ଟମ’ ଆରମ୍ଭ କରାଯାଇଛି । ଏହି ବ୍ୟବସ୍ଥା ଦ୍ୱାରା ପ୍ରତ୍ୟେକ ଅଟୋ-ରିକ୍ସାରେ ଏକ ସ୍ୱତନ୍ତ୍ର QR କୋଡ୍ ଲଗାଯିବ । ଯାତ୍ରୀମାନେ ନିଜ ମୋବାଇଲ୍ ରୁ ଏହି କୋଡ୍ କୁ ସ୍କାନ କରି ସାଙ୍ଗେ ସାଙ୍ଗେ ଅଟୋ ଚାଳକଙ୍କ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ । କୌଣସି ଜରୁରୀକାଳୀନ ପରିସ୍ଥିତି, ଅଭିଯୋଗ କିମ୍ବା ଗାଡ଼ିରେ ଜିନିଷପତ୍ର ଛାଡ଼ିଥିଲେ, ଯାତ୍ରୀମାନେ ଏହି ସିଷ୍ଟମ ଜରିଆରେ ସିଧାସଳଖ ପୋଲିସ ସହିତ ଯୋଗାଯୋଗ କରିପାରିବେ । ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ଝାରସୁଗୁଡ଼ା ପୋଲିସ ସର୍ବଦା ଚେଷ୍ଟିତ ବୋଲି ଏହି ଅଭିଯାନରୁ ସ୍ପଷ୍ଟ ଜଣାପଡ଼ୁଛି।
ବିଶେଷକରି ମହିଳା, ଛାତ୍ରଛାତ୍ରୀ ଏବଂ ରାତିରେ ଯାତ୍ରା କରୁଥିବା ଲୋକମାନେ ନିର୍ଭୟରେ ଯାତାୟାତ କରିପାରିବେ । କୌଣସି ବିପଦ ବେଳେ ଯାତ୍ରୀମାନେ ବିନା ବିଳମ୍ବରେ ଏହି ଆପ୍ ବା ସିଷ୍ଟମ ଜରିଆରେ ପୋଲିସକୁ ଜଣାଇ ପାରିବେ । ଯଦି ଭୁଲବଶତଃ ଅଟୋରେ କିଛି ସାମଗ୍ରୀ ବା ବ୍ୟାଗ୍ ଛାଡ଼ି ହୋଇଯାଏ, ତେବେ ଡ୍ରାଇଭରଙ୍କ ବିବରଣୀ ଥିବାରୁ ତାହାକୁ ଖୁବ୍ ଶୀଘ୍ର ଖୋଜି ବାହାର କରାଯାଇପାରିବ । ଅଟୋ ଚାଳକମାନେ ଯାତ୍ରୀଙ୍କ ସହ ଦୁର୍ବ୍ୟବହାର କରିବା କିମ୍ବା ଅଧିକ ଭଡ଼ା ମାଗିବା ଭଳି ସମସ୍ୟା ହ୍ରାସ ପାଇବ । ଏହି ବ୍ୟବସ୍ଥା ଦ୍ୱାରା ନକଲି ବା ଅଣପଞ୍ଜୀକୃତ ଅଟୋ ଚାଳକଙ୍କୁ ଚିହ୍ନଟ କରାଯାଇପାରିବ, ଯାହା ଫଳରେ ସାଧୁ ଓ ଭଲ ଅଟୋ ଚାଳକମାନଙ୍କ ପ୍ରତି ଜନସାଧାରଣଙ୍କ ଭରସା ବଢ଼ିବ ।
