ପୁରୀ : ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ । ଯେଉଁ ତିଥିରେ ଯାହାଙ୍କର ପିତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି । ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥାନ୍ତି ସେହିମାନେ ମହାଳୟା ଅମାବାସ୍ୟା ଦିନ ଅର୍ଥାତ ଆଜି ଶ୍ରାଦ୍ଧ ଓ ତିଳତର୍ପଣ କରିଥାନ୍ତି । ଏଣୁ କେହି ଶ୍ରୀମନ୍ଦିର ଚତୁରପାର୍ଶ୍ୱରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରିଥାଏ ତ ଆଉ କିଏ ନିଜ ବାସଭବନ, ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ କରିଥାନ୍ତି ।
ଆଜିର ଏହି ମହାଳୟା ତିଥିରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ଲାଭ କରିଛନ୍ତି। ମହୋଦଧି , ଇନ୍ଦ୍ରଦ୍ୟୁମ୍ନ,ନରେନ୍ଦ୍ର, ଶ୍ୱେତଗଙ୍ଗା ଓ ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀ ମାନଙ୍କରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇଛନ୍ତି । ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖ ଭାଗରେ ପିଣ୍ଡଦାନ ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳିଛି । ତେବେ ଏହି ପିତୃପକ୍ଷରେ ପ୍ରତ୍ୟେକ ଗୃହସ୍ଥ ନିଜର ପିତୃପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି। ପିତୃପକ୍ଷରେ ବିଶେଷକରି ପିତା,ପିତାମହ,ପ୍ରପିତାମହ,ମାତା,ପିତାମୟି,ପ୍ରପିତାମୟି,ମାତାମହ,ପ୍ରମାତାମହ,ବୃଦ୍ଧ ପ୍ରମାତାମହ ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି । ପିତୃପକ୍ଷରେ ପୁତ୍ରଙ୍କ ହସ୍ତରୁ ଜଳଟିକେ ପାଇ ତୃପ୍ତ ହେବାକୁ ପିତୃପୁରୁଷ ଚାହିଁ ରହିଥାନ୍ତି ।
ସେପଟେ ଶାରଦୀୟ ଦୁର୍ଗତ୍ସବ ଅବସରରେ ପୁରୀରେ ଶ୍ରୀଜିଉମାନଙ୍କର ଆଜିଠୁ ଆରମ୍ଭ ହେବ ଗୁପ୍ତଗୁଣ୍ଡିଚା ନୀତି । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମା ମହାଲକ୍ଷ୍ମୀ ସ୍ଵରୁପା ମା ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିବେ । ମା ଲକ୍ଷ୍ମୀଙ୍କୁ ପବିତ୍ର ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଗୁଣ୍ଡିଚା ଘରକୁ ନେଇନଥିବା ବେଳେ ନୀଳାଦ୍ରିବିଜେ ସମୟରେ ଅଭିମାନିନୀ ମା ଲକ୍ଷ୍ମୀଙ୍କୁ ଗୁପ୍ତଗୁଣ୍ଡିଚାରେ ଯିବା ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ । ତେବେ ସେହି ପ୍ରତିଶୃତି, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରି ଏହି ଗୁପ୍ତଗୁଣ୍ଡିଚା ଅନୁଷ୍ଠିତ ହେବାର ପରମ୍ପରା ରହିଥିବା ଗବେଷକ ମତ ଦେଇଛନ୍ତି । ମାତା ମହାଲକ୍ଷ୍ମୀ ମା ଦୁର୍ଗା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ମାଧବ ରୂପରେ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିବେ ।