ଭୁବନେଶ୍ୱର : ପୋଲିସ ଡିଜିଙ୍କ ନାଁରେ ଛାତ୍ରୀଙ୍କୁ ଠକେଇ ଉଦମ୍ୟ । ବ୍ଲୁ ଫିଲ୍ମ ଦେଖୁଛ କହି ମାଗିଲେ ଟଙ୍କା । ଟଙ୍କା ନଦେଲେ ଗିରଫ କରିବାକୁ ଧମକ । ଏପରିକି ଅପରାଧୀଙ୍କୁ ପୋଲିସ ମାଡ଼ ମାରୁଥିବା ଭିଡିଓ ପଠାଇ ଡରାଇବାକୁ ଉଦ୍ୟମ । ଭୟଭୀତ ହୋଇ ଶେଷରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ନିଟ୍ ଛାତ୍ରୀ ।
ଦୁଇ ଯୁବକଙ୍କ ଦେହରେ ଖାକି ପୋଷାକ । ଜଣଙ୍କ ମୁଣ୍ଡରେ ହେଲମେଟ୍। ଆଉ ଜଣଙ୍କ ମୁହଁରେ ମାସ୍କ । ସାମ୍ନାରେ ଜଣେ ଯୁବକ । ଆଉ ତାଙ୍କ ଉପରେ ଚାଲିଛି ନିସ୍ତୁକ ମାଡ଼ । ଏହା କୌଣସି ଥାନାର ଦୃଶ୍ୟ ନୁହେଁ । ବରଂ ସାଇବର ଠକଙ୍କ ଠକେଇର ନୂଆ ଅସ୍ତ୍ର । ଏଭଳି ଭିଡିଓ ପଠାଇ ଲୋକଙ୍କୁ ଭୟଭୀତ କରନ୍ତି ସାଇବର ଅପରାଧୀ । ଭୟ ଦେଖାଇ ଲୁଟି ନିଅନ୍ତି ଟଙ୍କା । ଠିକ୍ ଏଭଳି ଏକ ଜାଲରେ ଫସାଇବାକୁ ଉଦ୍ୟମ କରାଯାଇଥିଲା ଭୁବନେଶ୍ୱରରେ ରହି ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ରୀଙ୍କୁ । ବ୍ଲୁ ଫିଲ୍ମ ଦେଖୁଥିବା କହି ତାଙ୍କୁ ମାଗିଥିଲେ ଟଙ୍କା । କେବଳ ଟଙ୍କା ମାଗିନଥିଲେ । ଆଇନର ଭୟ ଦେଖାଇଥିଲେ । ଫୋନରେ ନିଜକୁ ଡିଜିପି ବୋଲି ପରିଚୟ ଦେଇଥିଲା ସାଇବର ଠକ । ବ୍ଲକ୍ ହୋଇଥିବା ପର୍ଣ୍ଣ ସାଇଟ୍ ଖୋଲିଥିବା ଅଭିଯୋଗରେ ମାଗିଥିଲା ଜରିମାନା । ଟଙ୍କା ନଦେଲେ ଗିରଫ କରାଯିବ ବୋଲି ଦେଇଥିଲା ଧମକ । ଭୟ ବଢ଼ାଇବା ପାଇଁ ପଠାଇଥିଲା ଆଉ ଏକ ଭିଡିଓ । ଯେଉଁଥିରେ ଅପରାଧୀଙ୍କୁ ପୋଲିସ ମାଡ଼ ମାରୁଥିବାର ଦୃଶ୍ୟ ଥିଲା । ଏପରିକି ହ୍ୱାଟ୍ସଆପ୍ ପ୍ରୋଫାଇଲ୍ ରେ ଓଡ଼ିଶା ପୋଲିସ ଡିଜିଙ୍କ ଫଟୋ ବ୍ୟବହାର କରିଥିଲା ଠକ । ତେବେ ଛାତ୍ରୀ ଜଣକ ଠକେଇର ଶିକାର ହେଉଥିବା ଅନୁଭବ କରିବା ପରେ ଟଙ୍କା ଦେବା ବଦଳରେ ପହଞ୍ଚିଥିଲେ ସାଇବର ଥାନାରେ ।
ଏହି ଠକେଇକୁ କୁହାଯାଏ ଡିଜିଟାଲ୍ ଆରେଷ୍ଟ । ପୋଲିସ, ଜଜ୍ ଓ ଅନ୍ୟ ଅଧିକାରୀଙ୍କ ଫଟୋ ବ୍ୟବହାର କରି ନିଜକୁ ଅଧିକାରୀ ବୋଲି ପରିଚୟ ଦିଅନ୍ତି ଠକ । କେତେବେଳେ ମିଛ ପୋଲିସ ଷ୍ଟେସନ୍, ମିଛ କୋର୍ଟ ଏପରିକି ମିଛ ଜଜ୍ ମଧ୍ୟ ତିଆରି କରି ଲୋକଙ୍କୁ ଡରାନ୍ତି । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ, ସମସ୍ତେ ମୋବାଇଲ୍ ବ୍ୟବହାର କରୁଥିବାରୁ ସଚେତନ ଅଭାବରୁ ସାଇବର ଠକେଇର ଶିକାର ହେବାର ସମ୍ଭାବନା ବେଶୀ।
