ଆମେରିକା : ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡାରେ ଭୟାବହ ବିମାନ ଦୁର୍ଘଟଣା । ଜଳିପୋଡ଼ି ପାଉଁଶ ହେଲା ‘ଲିଅରଜେଟ୍ ୬୦’ ବିଜନେସ୍ ଜେଟ୍ । ବିମାନରେ ଥିବା ସମସ୍ତ ୯ ଜଣ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କ ମୃତ୍ୟୁ । ଟେକ୍ସାସର ଅଷ୍ଟିନରୁ ବାହାମାସ ଅଭିମୁଖେ ଯାଉଥିବା ବେଳେ ପାମ ବିଚ୍ କାଉଣ୍ଟି ନିକଟରେ ତଳକୁ ଖସିପଡ଼ିଲା ବିମାନ । ଜନବସତି ଅଞ୍ଚଳରେ ଖସିପଡ଼ି ନିଆଁର ପିଣ୍ଡୁଳାରେ ପରିଣତ ହେଲା ବିମାନ । ରାସ୍ତାରେ ସୃଷ୍ଟି ହେଲା ବିରାଟ ଗର୍ତ୍ତ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ତାର ଛିଣ୍ଡିବା ସହ ଘରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ।
ଦୁର୍ଘଟଣା ପରେ ଶହ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କ୍ୟାମେରା ଓ ଡ୍ୟାସକ୍ୟାମରେ କଏଦ ହେଲା ମିସାଇଲ ଭଳି ଖସିପଡ଼ି ବିସ୍ଫୋରଣ ହେବାର ହୃଦୟବିଦାରକ ଦୃଶ୍ୟ । ଦୁର୍ଘଟଣା ପୂର୍ବରୁ ପାଇଲଟ୍ ‘Mayday’ ଜରୁରୀକାଳୀନ ସଙ୍କେତ ଦେଇଥିବା କକପିଟ୍ ଅଡିଓରୁ ସୂଚନା ମିଳିଛି । ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କଲା FAA ଏବଂ NTSBର ଉଚ୍ଚସ୍ତରୀୟ ଟିମ୍ ।
