Friday, September 4, 2026
28.2 C
Odisha

    ବାଲେଶ୍ୱର ସ୍ଥିତି ଗମ୍ଭୀର, ସୁବର୍ଣ୍ଣରେଖାରେ ବଡ଼ ବନ୍ୟା, ଆଜି ସନ୍ଧ୍ୟା ଯାଏଁ ରହିବ ବିପଦ

    ଆଗକୁ ପଢନ୍ତୁ

    ସୁବର୍ଣ୍ଣରେଖା: ସୁବର୍ଣ୍ଣରେଖାରେ ବଡ଼ ବନ୍ୟା । ଝାଡ଼ଖଣ୍ଡର ଉପରମୁଣ୍ଡରୁ ଆସୁଥିବା ବିପୁଳ ପରିମାଣର ବନ୍ୟାଜଳ ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଗମ୍ଭୀର ସ୍ଥିତି । କାଲି ରାତିରେ ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳସ୍ତର ଶୀର୍ଷ ସ୍ତରରେ ପହଞ୍ଚିଲା । ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ କାଲି ସକାଳ ୯ଟାରେ ଜଳସ୍ତର ୧୧.୫୪ ମିଟର ରହିଥିଲା । ଅପରାହ୍ଣ ଗୋଟାଏ ବେଳକୁ ଏହା ପ୍ରାୟ ୧୧.୬୦ ମିଟରକୁ ବୃଦ୍ଧି ପାଇଥିଲା । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ନଦୀ ବିପଦ ସଙ୍କେତ ଉପରେ ରହିପାରେ । ଫଳରେ ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତାର ତଳିଆ ଅଞ୍ଚଳ ପାଇଁ ଆଜି ବେଶ୍ ଗୁରୁତ୍ୱପୂର୍ଣ୍ଣ । ସୁବର୍ଣ୍ଣରେଖାରେ ଏହି ବଡ଼ ବନ୍ୟା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି । ଝାଡ଼ଖଣ୍ଡ ଏବଂ ମୟୂରଭଞ୍ଜର ଉପରମୁଣ୍ଡରେ ପ୍ରବଳ ବର୍ଷା ସହ ଗାଲୁଡିହ ବ୍ୟାରେଜରୁ ବିପୁଳ ପରିମାଣର ପାଣି ଛଡ଼ାଯାଇଛି ।

    ୧ ତାରିଖ ରାତି ପ୍ରାୟ ୮ଟା ବେଳେ ଗାଲୁଡିହ ବ୍ୟାରେଜରୁ ସର୍ବାଧିକ ୫ ହଜାର୧୪୬ କ୍ୟୁମେକ୍ସ ପାଣି ନିଷ୍କାସନ ହୋଇଥିଲା । ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଅନୁସାରେ ଏହି ପାଣି ତଳମୁଣ୍ଡରେ ପହଞ୍ଚିବାକୁ ପ୍ରାୟ ୨୪ ଘଣ୍ଟା ସମୟ ଲାଗୁଛି। ଏହାପରେ ଆହୁରି ତଳିଆ ଅଞ୍ଚଳକୁ ବନ୍ୟାଜଳ ପହଞ୍ଚିବାକୁ ପ୍ରାୟ ୧୨ ଘଣ୍ଟା ଲାଗିପାରେ । ଏହି କାରଣରୁ ନଦୀର ଜଳସ୍ତର ଗୋଟିଏ ସମୟରେ ସ୍ଥିର ହୋଇଗଲେ ମଧ୍ୟ ତଳିଆ ଅଞ୍ଚଳରେ ବନ୍ୟାର ପ୍ରଭାବ କିଛି ସମୟ ପର୍ଯ୍ୟନ୍ତ ବଢ଼ିପାରେ । ବାଲେଶ୍ୱରରେ ବନ୍ୟାର ପ୍ରଭାବ ଦ୍ରୁତ ଗତିରେ ବଢ଼ିଛି । କାଲି ଆହୁରି ପ୍ରାୟ ୧୦୦ଟି ଗାଁ ବନ୍ୟାଜଳ ଘେରକୁ ଆସିଥିବା ଜଣାପଡି ଛି । ଜଳେଶ୍ୱର, ବାଲିଆପାଳ ଓ ଭୋଗରାଇର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । କେତେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟାଜଳ ତଳମୁଣ୍ଡକୁ ଗତି କରୁଥିବାରୁ ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ଏହି ଚାରି ବ୍ଲକ୍ ର ତଳିଆ ଅଞ୍ଚଳ ଉପରେ ବିଶେଷ ନଜର ରହିଛି ।

    ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ରହିପାରେ । ଏହାପରେ ଜଳସ୍ତର ଧୀରେ ଧୀରେ କମିବା ଆଶା କରାଯାଉଛି । ତେବେ ନଦୀର ପାଣି କମିବା ଆରମ୍ଭ କଲେ ମଧ୍ୟ ତୁରନ୍ତ ବନ୍ୟା ସ୍ଥିତି ସୁଧୁରିବା ସମ୍ଭାବନା କମ୍ । କାରଣ ନଦୀରୁ ବାହାରିଥିବା ପାଣି ତଳିଆ ଅଞ୍ଚଳ ଦେଇ ଆଗକୁ ବଢ଼ିବ । ଫଳରେ ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତାର କେତେକ ନୂଆ ଅଞ୍ଚଳକୁ ପାଣି ପଶିପାରେ କିମ୍ବା ପୂର୍ବରୁ ଜଳମଗ୍ନ ଅଞ୍ଚଳରେ ସ୍ଥିତି ଜାରି ରହିପାରେ । ତେବେ ଆଜି ପାଇଁ ଗୋଟିଏ ଆଶ୍ୱସ୍ତିର ଖବର ବର୍ଷା କରାଉଥିବା ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘୁଞ୍ଚୁଛି । ଫଳରେ ସୁବର୍ଣ୍ଣରେଖାର ଉପରମୁଣ୍ଡରେ ପୁଣି ଥରେ ଅତି ପ୍ରବଳ ବର୍ଷା ହେବାର ବଡ଼ ସତର୍କତା ବର୍ତ୍ତମାନ ନାହିଁ । ତେଣୁ ବର୍ତ୍ତମାନର ଆକଳନ ଅନୁଯାୟୀ ଆଜି ନଦୀ ବିପଦ ସଙ୍କେତ ଉପରେ ରହିପାରେ ଏବଂ ପରେ ଧୀରେ ଧୀରେ ପାଣି କମିବା ଆରମ୍ଭ ହୋଇପାରେ । କିନ୍ତୁ ଏହି ଆକଳନର ସବୁଠାରୁ ବଡ଼ ସର୍ତ୍ତ, ଗାଲୁଡିହରୁ ପୁଣି ବଡ଼ ପରିମାଣର ପାଣି ନଛାଡ଼ିବା ଏବଂ ଉପରମୁଣ୍ଡରେ ଆଉ ପ୍ରବଳ ବର୍ଷା ନହେବା । ଏଥିରୁ କୌଣସି ଗୋଟିଏ ସ୍ଥିତି ବଦଳିଲେ ସୁବର୍ଣ୍ଣରେଖା ବନ୍ୟାର ଆକଳନ ମଧ୍ୟ ବଦଳିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    70 %
    1.6kmh
    81 %
    Fri
    28 °
    Sat
    31 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ