Thursday, October 8, 2026
24.4 C
Odisha

    ବେଲପତ୍ର ବିନା କାହିଁକି ଅସମ୍ପୂର୍ଣ୍ଣ ରହେ ଶିବ ପୂଜା? ଜାଣନ୍ତୁ ପୌରାଣିକ ରହସ୍ୟ

    ଆଗକୁ ପଢନ୍ତୁ

    ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ ଶିବାଳୟରେ କାଉଡିଆଙ୍କ ଭିଡ଼ ଲାଗିଥାଏ । ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ କ୍ଷୀର, ଜଳ, ବେଲପତ୍ର, ମହୁ ଇତ୍ୟାଦି ଅର୍ପଣ କରାଯାଏ । ଆଉ ଯେତେବେଳେ ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ଜିନିଷ ବିଷୟରେ କଥା ଉଠେ ସେତେବେଳେ ବେଲ ପତ୍ର ନାମ ପ୍ରଥମେ ଆସେ ।

    ଆମେ ସମସ୍ତେ ଜାଣୁ ବେଲ ପତ୍ର ଭଗବାନ ଶିବଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଏବଂ ଶିବଲିଙ୍ଗ ଉପରେ ବେଲ ପତ୍ର ନ ଚଢ଼ାଇବା ପର୍ଯ୍ୟନ୍ତ ପୂଜା ସମ୍ପୂର୍ଣ୍ଣ ହୋଇନଥାଏ । ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ କୌଣସି ଭୋଗ ନୈବେଦ୍ୟ ନୁହେଁ ବରଂ ଏକ ପାଣି ଢାଳ ଏବଂ କିଛି ବେଲ ପତ୍ର ହିଁ ଯଥେଷ୍ଟ । କିନ୍ତୁ ଆପଣ ଜାଣନ୍ତି କି ଶିବଲିଙ୍ଗ ଉପରେ କାହିଁକି ଚଢ଼ାଯାଏ ବେଲପତ୍ର? ଆସନ୍ତୁ ଜାଣିବା ଏହାର ରହସ୍ୟ…

    କୁହାଯାଏ ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ବିଷ ବାହାରିଥିଲା ସେତେବେଳେ ଭଗବାନ ଶିବ ସମଗ୍ର ବ୍ରହ୍ମାଣ୍ଡକୁ ଚକ୍ଷା କରିବା ପାଇଁ ଏହି ବିଷପାନ କରିଥିଲେ । ବିଷର ପ୍ରଭାବରେ ତାଙ୍କ କଣ୍ଠ ନୀଳ ହୋଇଗଲା ଏବଂ ତାଙ୍କ ସମଗ୍ର ଶରୀର ଅତ୍ୟନ୍ତ ଗରମ ହୋଇଗଲା ଯାହାଫଳରେ ଆଖପାଖର ପରିବେଶ ମଧ୍ୟ ଗରମ ହେବାକୁ ଲାଗିଲା । ବିଶ୍ୱାସ ଅନୁଯାୟୀ ବେଲପତ୍ର ବିଷର ପ୍ରଭାବକୁ ହ୍ରାସ କରିଥାଏ । ଯେଉଁଥିପାଇଁ ସମସ୍ତ ଦେବୀ ଏବଂ ଦେବତା ଭଗବାନ ଶିବଙ୍କୁ ବେଲପତ୍ର ଖାଇବାକୁ ଦେଇଥିଲେ । ବେଲପତ୍ର ସହିତ, ଶିବଙ୍କୁ ଥଣ୍ଡା ରଖିବା ପାଇଁ ଜଳ ମଧ୍ୟ ଅର୍ପଣ କରାଯାଇଥିଲା । ବେଲପତ୍ର ଏବଂ ଜଳର ପ୍ରଭାବ ଯୋଗୁଁ ମହାଦେବଙ୍କ ଶରୀରରେ ସୃଷ୍ଟି ହୋଇଥିବା ଉତ୍ତାପ ଥଣ୍ଡା ହେବାକୁ ଲାଗିଲା । ସେବେଠାରୁ ଭଗବାନ ଶିବଙ୍କୁ ଜଳ ଏବଂ ବେଲପତ୍ର ଅର୍ପଣ କରିବାର ପ୍ରଥା ଆରମ୍ଭ ହେଲା ।

    ସେହିଭଳି ଅନ୍ୟ ଏକ କାହାଣୀ ଅନୁସାରେ, ପୂର୍ବ କାଳରେ ଭିଲ ନାମକ ଜଣେ ଡକାୟତ ଥିଲା । ଏହି ଡକାୟତ ନିଜ ପରିବାର ପୋଷଣ ପାଇଁ ଲୋକମାନଙ୍କୁ ଲୁଟୁଥିଲା । ଥରେ ଶ୍ରାବଣ ମାସ ଚାଲିଥିବା ସମୟରେ ଏହି ଡକାୟତ ପଥଚାରୀମାନଙ୍କୁ ଲୁଟିବା ଲକ୍ଷ୍ୟରେ ଜଙ୍ଗଲକୁ ଯାଇଥିଲା । ଏଥିପାଇଁ ସେ ଏକ ଗଛରେ ଚଢ଼ି ବସି ପଡ଼ିଲା । ଆଉ ଏହାରି ଭିତରେ ଗୋଟିଏ ଦିନ ରାତି ବିତିଗଲା କିନ୍ତୁ ସେ କୌଣସି ଲୋକଙ୍କୁ ଶିକାର କରିବା ପାଇଁ ପାଇଲା ନାହିଁ ।

    ଅନ୍ୟପଟେ ଯେଉଁ ଗଛରେ ଡକାୟତ ଚଢ଼ି ଲୁଚି ରହିଥିଲା ତାହା ଏକ ବେଲ ଗଛ ଥିଲା । ଲୋକଙ୍କ ଅପେକ୍ଷାରେ ସାରା ରାତି ବିତିଗଲା । ଯାହାଫଳରେ ଭିଲ ବିରକ୍ତ ହୋଇ ପତ୍ରଗୁଡ଼ିକୁ ଛିଣ୍ଡାଇ ତଳେ ପକାଇବାକୁ ଲାଗିଲେ । ସେହି ଗଛ ତଳେ ଏକ ଶିବଲିଙ୍ଗ ସ୍ଥାପନ କରାଯାଇଥିଲା । ଭିଲ ଯେଉଁ ଯେଉଁ ପତ୍ରଗୁଡ଼ିକୁ ଛିଣ୍ଡାଇ ତଳେ ପକାଉଥିଲେ ତାହା ଶିବଲିଙ୍ଗ ଉପରେ ପଡୁଥିଲା । କିନ୍ତୁ ଡକାୟତ ଭିଲ ଏହା ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲା ।

    ଭିଲ ଦ୍ୱାରା ଲଗାତାର ବେଲ ପତ୍ରଗୁଡ଼ିକୁ ଶିବଲିଙ୍ଗ ଉପରେ ପକାଇବା ଦ୍ୱାରା ମହାଦେବ ଖୁସି ହୋଇଥିଲେ ଏବଂ ହଠାତ୍ ଡକାୟତଙ୍କ ସମ୍ମୁଖରେ ଉପରେ ଉପସ୍ଥିତ ହେଲେ । ଭଗବାନ ଶିବ ବେଲପତ୍ର ଅର୍ପଣର ଏତେ ପ୍ରସନ୍ନ ହୋଇଯାଇଥିଲେ ଯେ ସେ ଡକାୟତକୁ ବର ମାଗିବାକୁ କହିଥିଲେ । ସେହି ଦିନଠାରୁ, ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରିବାର ଗୁରୁତ୍ବ ଆହୁରି ବଢ଼ିଗଲା । ଯାହାପରଠାରୁ ବେଲପତ୍ର ବିନା ମହାଦେବଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି ମନାଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ