ୱାଶିଂଟନ : ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ପରାଜୟ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ୟା ବଢ଼ିବାରେ ଲାଗିଛି। କଂଗ୍ରେସର ଉଭୟ ଗୃହରୁ ବହୁମତ ହରାଇଥିବା ଟ୍ରମ୍ପଙ୍କ ରିପବ୍ଲିକାନ ଦଳରେ ମଧ୍ୟ ବିଦ୍ରୋହ ଆରମ୍ଭ ହୋଇଯାଇଛି। ଏପରି ସମୟରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହା ମାଧ୍ୟମରେ ତାଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ବିରୋଧୀ ଅଣ୍ଟା ଭିଡ଼ିଛନ୍ତି। ଡେମୋକ୍ରାଟିକ୍ ପାର୍ଟିର ନେତାମାନେ ଟ୍ରମ୍ପଙ୍କ ବିରୋଧରେ ବଡ଼ ଅଭିଯୋଗ ଲଗାଇଛନ୍ତି। ସେମାନେ କହିଛନ୍ତି ଯେ ଟ୍ରମ୍ପ ନିଜ ପଦର ଅପବ୍ୟବହାର କରି ନିଜ ନିକଟତର ଲୋକଙ୍କୁ ଫାଇଦା ପହଞ୍ଚାଇଛନ୍ତି ଓ ବିପୁଳ ସମ୍ପତ୍ତି ଅର୍ଜନ କରିଛନ୍ତି। ଏହାଦ୍ୱାରା ସାଧାରଣ ଲୋକଙ୍କୁ କ୍ଷତି ସହିବାକୁ ପଡ଼ିଛି।
ଡେମୋକ୍ରାଟିକ୍ ସାଂସଦ ରବର୍ଟ ଗାର୍ସିଆ କହିଛନ୍ତି ଯେ ରାଷ୍ଟ୍ରପତି ଥିବା ସମୟରେ ଟ୍ରମ୍ପ ଓ ତାଙ୍କ ପରିବାରର ସମ୍ପତ୍ତି କିପରି ବୃଦ୍ଧି ପାଇଲା ତାହାର ତଦନ୍ତ କରାଯିବ। ଏହି ତଦନ୍ତରେ ଟ୍ରମ୍ପଙ୍କ ପୁଅମାନେ ଓ ଜ୍ୱାଇଁ ଜାରେଡ୍ କୁଶନରଙ୍କ ବ୍ୟାବସାୟିକ କାରବାର ଉପରେ ବିଶେଷ ଧ୍ୟାନ ଦିଆଯିବ। ଗାର୍ସିଆ ତଦନ୍ତ ପାଇଁ ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଚିହ୍ନଟ କରିଛନ୍ତି। ଏଥିରେ ଟ୍ରମ୍ପ ପରିବାରର ବ୍ୟାବସାୟିକ କାରବାର, ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍ ମାମଲାର ତଦନ୍ତରେ ଟ୍ରମ୍ପ ପ୍ରଶାସନର ଭୂମିକା ଓ ଆମେରିକାର ଇମିଗ୍ରେସନ୍ ଏଜେନ୍ସି (ଆଇସିଇ) ପକ୍ଷରୁ କରାଯାଉଥିବା ଚଢ଼ଉ ଓ କାର୍ଯ୍ୟାନୁଷ୍ଠାନ ଆଦି ସାମିଲ ରହିଛି। ଏହା ପୂର୍ବରୁ ୨୦୧୭ ଓ ୨୦୨୧ରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା। ମାତ୍ର ଉଭୟ ଥର ଏହା କାଟ ଖାଇଥିଲା।
