ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ମାହାଙ୍ଗା ମାଡ଼। ଦେଶର ପ୍ରମୁଖ ଦୁଗ୍ଧଜାତ ଉତ୍ପାଦ ବ୍ରାଣ୍ଡ ଅମୁଲ ଘିଅ ଓ ଲହୁଣି ଦାମ୍ ବଢ଼ାଇଛି। ୧ କେଜି ଘିଅ ପ୍ୟାକେଟ୍ର ଦାମ୍ରେ ୫୦ ଟଙ୍କା ବୃଦ୍ଧି ପାଇ ୬୮୦ ଟଙ୍କା ହୋଇଥିବାବେଳେ ୫୦୦ ଗ୍ରାମ୍ ଲହୁଣି (ବଟର୍) ପ୍ୟାକେଟ୍ର ଦାମ୍ ୧୫ ଟଙ୍କା ବଢ଼ି ୩୪୫ ଟଙ୍କା ଓ ୧୦୦ ଗ୍ରାମ୍ ପ୍ୟାକେଟ୍ର ଦାମ୍ ୬୩ ଟଙ୍କାରୁ ୬୬ ଟଙ୍କା ହୋଇଛି। ଏହି ଦରବୃଦ୍ଧିର ପ୍ରଭାବ ମିଠା ଦର ଉପରେ ପଡ଼ିବା ଆଶଙ୍କା କରାଯାଉଛି।
ଦେଶର ବିଭିନ୍ନ ସ୍ଥାନରେ ନକଲି ଘିଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ଅସଲି ଘିଅର ଚାହିଦା ବଢ଼ିଛି। ଅନ୍ୟପକ୍ଷରେ ଗୁଜରାଟର ଅହମ୍ମଦାବାଦ ଓ ବଡୋଦରା ସମେତ ଅନ୍ୟ କେତେକ ସହରରେ ଅମୁଲ ଘିଅର ଅଭାବ ଦେଖାଦେଇଛି। ବିଶେଷକରି ଗାଈ ଘିଅର ଯୋଗାଣ କମ୍ ରହିଛି।
ଗଣେଶ ପୂଜା ପରଠାରୁ ଏହି ସମସ୍ୟା ଦେଖାଦେଇଥିବା ଖୁଚୁରା ବ୍ୟବସାୟୀମାନେ କହିଛନ୍ତି। ପୁଣେ, କୋଲକାତା ଓ ଜମ୍ମୁ-କଶ୍ମୀରରୁ ମଧ୍ୟ ଘିଅ ଯୋଗାଣରେ ସମସ୍ୟା ଥିବା ଅଭିଯୋଗ ଆସିଛି। ସାଧାରଣତଃ ବର୍ଷକର ମୋଟ ଘିଅ ବ୍ୟବହାରର ପ୍ରାୟ ୪୫% ପାର୍ବଣ ଋତୁରେ ହୋଇଥାଏ। ୨୦୨୫ ସେପ୍ଟେମ୍ବରରେ ଜିଏସ୍ଟି ହାର ୧୨%ରୁ ୫%କୁ କମିବା ପରେ ଅମୁଲ ଏହାର ପ୍ରାୟ ୭୦୦ ଦୁଗ୍ଧଜାତ ଉତ୍ପାଦର ଦାମ କମାଇଥିଲା।
