ନୂଆଦିଲ୍ଲୀ : ପ୍ରତ୍ୟେକ ରାଜ୍ୟରେ ପୁଲିସ ମହାନିର୍ଦେଶକ (ଡିଜିପି) ମନୋନୟନ ଓ ନିଯୁକ୍ତି ସମ୍ପର୍କିତ ସବିଶେଷ ନିୟମ ସମ୍ପର୍କରେ ଜଣାଇବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ନୋଟିସ ଜାରି କରିଛନ୍ତି।
ବରିଷ୍ଠ ଆଇପିଏସ୍ ତଡାଷା ମିଶ୍ରଙ୍କୁ ଝାଡଖଣ୍ଡ ସରକାର ଡିଜିପି ଭାବେ ନିଯୁକ୍ତି ଦେଇଥିବାବେଳେ ଏହାକୁ ଚ୍ୟାଲେଞ୍ଜ କରି ଦାୟର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ନୋଟିସ ଜାରି କରିଛନ୍ତି। ତଡାଷାଙ୍କୁ ତାଙ୍କ ଚାକିରିରୁ ଅବସର ନେବାର ଦିନକ ପୂର୍ବରୁ ଝାଡଖଣ୍ଡ ସରକାର ଡିଜିପି ଭାବେ ନିଯୁକ୍ତି ଦେଇଥିଲେ। ତଡାଷାଙ୍କ ଏପରି ପଦୋନ୍ନତିକୁ ଚାଲେଞ୍ଜ କରାଯାଇଥିବାବେଳେ ସୁପ୍ରିମକୋର୍ଟ ଝାଡଖଣ୍ଡ ସରକାର ଓ ତଡାଷାଙ୍କ ଠାରୁ ମଧ୍ୟ ଜବାବ ଲୋଡିଛନ୍ତି। ନଭେମ୍ବର ୧୬ ତାରିଖ ପୂର୍ବରୁ ନୋଟିସର ଜବାବ ଦେବାକୁ କୁହାଯାଇଛି। ଡିଜିପି ନିଯୁକ୍ତି କ୍ଷେତ୍ରରେ ପ୍ରତ୍ୟେକ ରାଜ୍ୟ ସରକାର ଭିନ୍ନ ଭିନ୍ନ ନିୟମ ଆପଣାଇ ଆସୁଛନ୍ତି। ତେଣୁ ଏପରି କ୍ଷେତ୍ରରେ ଡିଜିପି ମନୋନୟନ ଓ ନିଯୁକ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ନିୟମ ବାବଦରେ ଜଣାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି।
