Wednesday, October 14, 2026
22.1 C
Odisha

    ମହାକୁମ୍ଭରେ ବୁଡ଼ ପକାଇପାରିଲେନି ଶ୍ରଦ୍ଧାଳୁ, ଦୁର୍ଘଟଣାର ସାମ୍ନା କଲା ବସ୍‌

    ଆଗକୁ ପଢନ୍ତୁ

    ଭୋଗରାଇ/ପାଟଣା: ତୀର୍ଥରାଜ ‘ପ୍ରୟାଗରାଜ’ରେ ଆୟୋଜିତ ମହାକୁମ୍ଭ-୨୦୨୫ ପ୍ରାୟତଃ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇବା ପାଇଁ ଦେଶବିଦେଶରୁ ଭକ୍ତଙ୍କ ସୁଅ ଛୁଟୁଛି। ଏହାରି ମଧ୍ୟରେ ଅନେକ ତୀର୍ଥଯାତ୍ରୀ ଦୁର୍ଘଟଣାର ସାମ୍ନା କରୁଥିବା ଖବର ମଧ୍ୟ ଆସୁଛି, ଯେଉଁଥିରେ ଓଡ଼ିଶାର ତୀର୍ଥଯାତ୍ରୀମାନେ ମଧ୍ୟ ଯୋଡ଼ି ହୋଇଯାଇଛନ୍ତି। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ବାହାରିଥିବା ଏକ ଘରୋଇ ତୀର୍ଥଯାତ୍ରୀ ବସ୍‌ ବୁଧବାର-ଗୁରୁବାର ମଧ୍ୟରାତ୍ରୀରେ ଦୁର୍ଘଟଣାର ସାମ୍ନା କରିବାରୁ ୩୫ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଆହତମାନଙ୍କର ମଧ୍ୟରେ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି। ସମସ୍ତଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଯାତ୍ରୀମାନେ ହେଲେ ନଗୁଆଁର ରାଜକିଶୋର ସାହୁ, କୁକୁଡ଼ିଆର ସୁବାସ ବେହେରା ଏବଂ ଫୁଲବାଣୀର ବାପି ସାମଲ।

    ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ବରରୁ ଏକ ଘରୋଇ ବସ୍‌ ‘ଶ୍ରୀରାମ୍‌ଜୀ’ ୬୦ ଜଣ ମହିଳାଙ୍କ ସମେତ ୭୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପ୍ରୟାଗରାଜ ବାହାରିଥିଲା। ବସ୍‌ଟି ବାରାଣସୀରେ ପହଞ୍ଚିବାର ପ୍ରାୟ ୫୦କିମି ପୂର୍ବରୁ କେମୁର ଜିଲ୍ଲା ମୁହାନିଆ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲା। ସମ୍ଭବତଃ ବସ୍‌ର ଡ୍ରାଇଭରଙ୍କ ଆଖି ଲାଖି ଯିବାରୁ ସେଠାରେ ଅଟକିଥିବା ଏକ ବାଲିବୋଝେଇ ଡମ୍ପରକୁ ପଛପଟରୁ ଧକ୍କା ଦେବାରୁ ଏଭଳି ମର୍ମନ୍ତୁତ ଦୁର୍ଘଟଣା ଘଟିଥିଲା। ବସ୍‌ ଦୁର୍ଘଟଣାର ସାମ୍ନା କରିବା ବେଳକରୁ ରାତି ପ୍ରାୟ ୧ଟା ହୋଇଥିଲା। ଏହି ସମୟରେ ବସ୍‌ର ଅଧିକାଂଶ ଯାତ୍ରୀ ଶୋଇଥିଲେ। ଦୁର୍ଘଟଣା ପରେ ଶୋଇକି ଉଠିଲା ବେଳକୁ ଅନେକ ଯାତ୍ରୀ ଖଣ୍ଡିଆଖବରା ହୋଇସାରଥିଲେ।

    ସୂଚନା ପାଇଁ କେମୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କର ସହାୟତରେ ପୁଲିସ ସମସ୍ତ ୩୫ ଜଣ ଆହତଙ୍କୁ ଉଦ୍ଧାର କରିଛି। ଗୁରୁତର ଥିବା ୩ ଜଣଙ୍କୁ ଚିକିତ୍ସା ପାଇଁ ଉତ୍ତରପ୍ରଦେଶର ବାରାଣସୀର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଉଛି। ଏହି ଓଡ଼ିଆ ତୀର୍ଥଯାତ୍ରୀଙ୍କ କୁମ୍ଭମେଳାରେ ବୁଡ଼ ପକାଇବାର ସ୍ବପ୍ନ ପୂରା ହୋଇପାରି ନାହିଁ। ବସ୍‌ର ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାପରେ ତୀର୍ଥଯାତ୍ରୀଙ୍କ ପରିବାର ଚିନ୍ତାରେ ଅଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟ ସରକାର ସମସ୍ତ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିବାକୁ ସେମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.1 ° C
    22.1 °
    22.1 °
    91 %
    0.7kmh
    70 %
    Wed
    29 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ