Friday, April 3, 2026
39 C
Odisha

    ରତ୍ନଭଣ୍ଡାର ସଂରକ୍ଷଣ କାମ ଶୀଘ୍ର ସାରିବାକୁ ଏଏସଆଇକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ

    ଆଗକୁ ପଢନ୍ତୁ

    ପୁରୀ : ଏଏସ୍‌ଆଇକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାର ସଂରକ୍ଷଣ କାମ ଶୀଘ୍ର ସାରିବାକୁ ଏଏସଆଇକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । ଚଳିତ ବର୍ଷ ରଥଯାତ୍ରା ସମୟରେ ମିଳୁଥିବା ଅବଧି ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ ସାରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଏଏସ୍ଆଇ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢୀ। ସେହିପରି ଚିଠିରେ ଆହୁରି ମଧ୍ୟ ଲେଖା ଅଛି ଯେ, ଆଗାମୀ ରଥଯାତ୍ରା ସମୟରେ ମିଳିବାକୁ ଥିବା ଅବଧି ଅର୍ଥାତ୍ ଜୁନ୍ ୨୮ରୁ ଜୁଲାଇ ୬ ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ ତ୍ୱରାନ୍ବିତ କରି ଶୀଘ୍ର ସମାପନ କରାଯାଉ। ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗୁରୁତ୍ୱ ଦୃଷ୍ଟିରୁ ଏହି କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନେବାକୁ କହିଛନ୍ତି। ସେହିପରି ରଥଯାତ୍ରା ସମୟରେ କରାଯାଉଥିବା ଗର୍ଭଗୃହ ତଥା ଅନ୍ୟ ଗୁରୁତ୍ବପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟର ମଧ୍ୟ ତଦାରଖ ପାଇଁ ଏଏସ୍ଆଇ ଉପ-ମହାନିର୍ଦ୍ଦେଶକ କିମ୍ବା ନିର୍ଦ୍ଦେଶକ ପଦବୀର ଅଧିକାରୀଙ୍କ ଦ୍ୱାରା କରାଯିବାକୁ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି। ଅରୁଣ ସ୍ତମ୍ଭ ନିକଟରେ ଖଣ୍ଡୋଲାଇଟ୍ ପଥର ବଦଳ ଏବଂ ଅଦ୍ୟାବଧି ରତ୍ନଭଣ୍ଡାରର ସଂରକ୍ଷଣ ଆଦି କାର୍ଯ୍ୟ ପାଇଁ ଏଏସଆଇକୁ ଧନ୍ୟବାଦ ଜ୍ଞାପନ କରିବା ସହ ମୁଖ୍ୟ ପ୍ରଶାସକ ୩ ଗୋଟି ବିନ୍ଦୁ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଆକର୍ଷଣ କରିଛନ୍ତି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ, ଉତ୍ତର ଦ୍ୱାର ଠାରେ ରାମ୍ପ ନିର୍ମାଣ, ଏଏସଆଇ ପରାମର୍ଶ ତଥା ମାର୍ଗଦର୍ଶନରେ ଶେଷ ହୋଇଛି। ଏଏସଆଇର ନିର୍ଦ୍ଦେଶକ (ସଂରକ୍ଷଣ)ଙ୍କ ଅନୁଧ୍ୟାନ ପରେ ନାଟମଣ୍ଡପକୁ ବାତାନୁକୁଳିତ କରାଯିବା ନେଇ ପରିବର୍ତ୍ତିତ ଡିଜାଇନ ଦାଖଲ କରାଯିବା ସହ ଏନେଇ ଏଏସଆଇର ସହମତି ପ୍ରଦାନ ପାଇଁ ଅନୁରୋଧ। ଏଥିସହ ଶ୍ରୀମନ୍ଦିର ଓ ବେଢାରେ ଥିବା ପାର୍ଶ୍ବ ମନ୍ଦିର ଗୁଡିକର ସୁନ୍ଦର ଭାବେ ଆଲୋକୀକରଣ ପାଇଁ ଏଏସଆଇ ପରାମର୍ଶଦାତାଙ୍କ ସହ ଆଲୋଚନା ହୋଇଛି। ବିସ୍ତୃତ ରିପୋର୍ଟ ପାଇବା ପରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ। ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ପାଇଁ ଏଏସଆଇର ସହଯୋଗ କାମନା କରିବା ସହ ଅନୁରୋଧ କରାଯାଇଥିବା ସମସ୍ତ କାର୍ଯ୍ୟର ଗୁରୁତ୍ବକୁ ଉପଲବ୍ଧି କରି ଧାର୍ଯ୍ଯ ସମୟସୀମା ଭିତରେ ସାରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପତ୍ରରେ ଉଲ୍ଲେଖ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ