ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ଡବଲ ମର୍ଡର । ଗୋବିନ୍ଦପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଦୁର୍ବୁତ୍ତମାନେ ମା ଏବଂ ପୁଅଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତ ମା ଏବଂ ପୁଅ ଉତ୍ତର ପ୍ରଦେଶର ବାସିନ୍ଦା । ଘଟଣା ବିଷୟରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ବୁଧବାର ୨୦ ମଇ ମଧ୍ୟରାତିରେ ଏଭଳି ଘଟଣା ଘଟିଛି ।
ଖବର ମୁତାବକ, ୟୁପିର ବଦାୟୁଁର ବାସିନ୍ଦା ଶାରଦା ଦେବୀ ତାଙ୍କ ସ୍ୱାମୀ ଏବଂ ପରିବାର ସହିତ ଦିଲ୍ଲୀର ଗୋବିନ୍ଦପୁରୀ ପୋଲିସ ଷ୍ଟେସନ ଅଧୀନସ୍ଥ ଲେନ ନମ୍ବର ୧୦ରେ ରହୁଥିଲେ । ୪୦ ବର୍ଷୀୟା ଶାରଦା ଦେବୀ ଜଣେ ପରିବା ବ୍ୟବସାୟୀଙ୍କୁ ବିବାହ କରିଥିଲେ । ଗତକାଲି ରାତିରେ ଶାରଦା ଦେବୀ ତାଙ୍କ ୧୪ ବର୍ଷୀୟ ପୁଅ ଖୁସିଲ ସହିତ ଘରେ ଏକା ଥିଲେ । ତାଙ୍କ ସ୍ୱାମୀ ତାଙ୍କ ପନିପରିବା ଦୋକାନ ସଜାଡ଼ିବାକୁ ବାହାରକୁ ଯାଇଥିଲେ । ରାତି ୧୨ଟା ପରେ ସ୍ୱାମୀ ଘରକୁ ଫେରିବା ପରେ ଘରର କବାଟ ତଳୁ ରକ୍ତ ବହୁଥିବାର ଦେଖିବାକୁ ପାଇଥିଲେ । କବାଟ ଖୋଲି ଘର ଭିତରକୁ ଯିବା ପରେ ସ୍ତ୍ରୀ ଏବଂ ପୁଅଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଭିତରେ ପଡିଥିବା ଦେଖି ଚମକି ପଡିଥିଲେ । ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଏହାପରେ ସ୍ୱାମୀ ତୁରନ୍ତ ପୋଲିସକୁ ଘଟଣା ବିଷୟରେ ଜଣାଇଥିଲେ ।
ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେମାନେ ବର୍ତ୍ତମାନ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରାର ଫୁଟେଜ୍ ଯାଞ୍ଚ କରୁଛନ୍ତି । ଡକାୟତି ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘରୁ ନଗଦ ଟଙ୍କା ବ୍ୟତୀତ ସୁନା ଏବଂ ରୂପା ଅଳଙ୍କାର ମଧ୍ୟ ଗାଏବ ହୋଇଛି । ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବା ପରେ ସବୁ ସତ ସାମ୍ନାକୁ ଆସିବ ।
