Thursday, October 8, 2026
21.5 C
Odisha

    ରାଜ୍ଯ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ, ବିଧାନସଭା ସଚିବଙ୍କୁ ଦେଲା ୧୫ ବିଧାୟକଙ୍କ ଚିଠି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ଯ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । ଆଜି ଏ ସମ୍ପର୍କରେ ବିଧାନସଭା ସଚିବଙ୍କୁ ଚିଠି ଦେଇଛି କଂଗ୍ରେସ। ବିଧାନସଭା ପରିସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାମ୍ବରକୁ ଯାଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବିଜେଡିର ସମର୍ଥନ ଲୋଡିଛନ୍ତି । ବିଧାନସଭାର ସଂଖ୍ୟା ଦୃଷ୍ଟିରୁ ଅନାସ୍ଥା ପ୍ରସ୍ତାବ ବିଧାନସଭାରେ କାଟ୍ ଖାଇବା ସୁନିଶ୍ଚିତ। ଏଭଳି ସ୍ଥିତିରେ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ବିଜେଡିର କଣ ରହିବ ଆଭିମୁଖ୍ୟ । ବିଧାନସଭାରେ ସରକାରଙ୍କ ବିରୋଧରେ ପ୍ରତୀକାତ୍ମକ ଲଢେଇ ଅପେକ୍ଷା ନୂଆପଡା ବିଧାନସଭା ଆସନକୁ ପୁଣିଥରେ ନିଜ କବଜାକୁ ଆଣିବା ଉପରେ ବିଜେଡି ବେଶୀ ଗୁରୁତ୍ବ ଦେଇପାରେ ବୋଲି କୁହାଯାଉଛି ।

    ବିଧାନସଭା ସଚିବଙ୍କ ପାଖରେ ୧୫ ବିଧାୟକଙ୍କ ଦସ୍ତଖତ ଥିବା ଚିଠି ଦେଇଛି କଂଗ୍ରେସ । ଅନାସ୍ଥା ପ୍ରସ୍ତାବକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସମର୍ଥନ କରିବେ ନା ଏଥିରୁ ଦୂରେଇ ରହିବେ? ଏପ୍ରସଙ୍ଗରେ ନବୀନଙ୍କ କଣ ରହିବ ଆଭିମୁଖ୍ୟ ? ନିକଟରେ ଉପ ରାଷ୍ଟ୍ରପତି ନିର୍ବାଚନରେ ଭୋଟଦାନରୁ ବିରତ ରହି ସମଦୂରତା ନୀତିକୁ କାଏମ୍ ରଖିଛି ବିଜେଡି । ସରକାରଙ୍କ ବିରୋଧରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଏକ ପ୍ରତୀକାତ୍ମକ। କାରଣ ବିଜେପି ପାଖରେ ୮୧ ବିଧାୟକଙ୍କ ସମର୍ଥନ ରହିଛି । ସେହିପରି ବିରୋଧୀ ବିଜେଡି ପାଖରେ ୫୦ ବିଧାୟକ ଓ କଂଗ୍ରେସ ପାଖରେ ୧୪ ଜଣ ବିଧାୟକଙ୍କ ସମର୍ଥନ ରହିଛି ।

    ମୋହନ ସରକାରଙ୍କୁ ୧୫ ମାସ ପୂରିଛି । ସେପଟେ ନବୀନ ପଟ୍ଟନାୟକ ରାଜ୍ୟରେ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ସେବା କରିଛନ୍ତି। ତେଣୁ ଏତେକମ୍ ସମୟ ଭିତରେ ସରକାରଙ୍କ ବିରୋଧରେ କଂଗ୍ରେସର ଅନାସ୍ଥାକୁ ବିଜେଡି ସମର୍ଥନ କଲେ, ବିଜୁ ଜନତା ଦଳକୁ ଘେରିବା ପାଇଁ ବିଜେପିକୁ ବଡ଼ ମଉକା ମିଳିଯିବ । ନବୀନଙ୍କୁ ଆକ୍ଷେପ କରିବାକୁ ବିଜେପି ବଡ଼ ସୁଯୋଗ ପାଇବ । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲୋକପ୍ରିୟତା ଏବେ ସାମ୍ନାକୁ ଆସିଛି ।

    ନିକଟରେ ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ପୋଲର ସର୍ଭେ ଅନୁସାରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିଭଳି ବିଜୁ ଜନତା ଦଳ ଅନାସ୍ଥାରୁ ଦୂରେଇ ରହିଲେ କଂଗ୍ରେସକୁ ବଡ଼ ମଉକା ମିଳିବ ବିଜେଡିକୁ ଘେରିବା ପାଇଁ । ବିଜେପି ପ୍ରତି ବିଜେଡିର ନରମ ଆଭିମୁଖ୍ୟ ରହିଛି ବୋଲି କଂଗ୍ରେସ ବାର୍ତ୍ତା ଦେବାକୁ ପ୍ରୟାସ କରିବ । ତେଣୁ ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଅପେକ୍ଷା ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ଜିତିବା ଉପରେ ବିଜେଡି ଅଧିକ ଫୋକସ କରିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    88 %
    1.2kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ