ଭୁବନେଶ୍ୱର : ରୋମାନିଆର କ୍ରାୟୋଭା ବିଶ୍ୱବିଦ୍ୟାଳୟରେ ଦୀର୍ଘ ୩ ସପ୍ତାହ ଧରି ଅଭ୍ୟାସ ଜାରି ରଖିଛନ୍ତି KIIT-KISS ର ୨୦ଜଣ ଛାତ୍ରଛାତ୍ରୀ । ସେମାନେ ଓଡ଼ିଶାର ଜନଜାତି ଭାଷାରେ ପ୍ରଖ୍ୟାତ ନାଟ୍ୟକାର ସେକ୍ସପିଅରଙ୍କ ନାଟକ ପରିବେଷଣ କରିବେ । ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ମେ ମାସରେ ଅନୁଷ୍ଠିତ ହେବ ବିଶ୍ୱ ସେକ୍ସପିଅର ମହୋତ୍ସବ। ଏହି ବିଶ୍ୱ ରଙ୍ଗମଞ୍ଚରେ କିସ୍ ଛାତ୍ରଛାତ୍ରୀ ସେମାନଙ୍କ ନିଜସ୍ୱ ଭାଷାରେ ୩ଟି ସେକ୍ସପିଅର ନାଟକ ପରିବେଷଣ କରିବେ। ଏହା କିସ୍, ଜନଜାତି ସମାଜ ଓ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କୁହାଯାଉଛି। କାର୍ଯ୍ୟକ୍ରମରେ ବିଶ୍ୱର ୩୦ଟି ଦେଶର ୪୫ଟି ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରୁଛନ୍ତି ।
ରୋମାନିଆ ଗସ୍ତର ପ୍ରଥମ ସପ୍ତାହରେ ସେମାନେ ସେକ୍ସପିଅର ମହୋତ୍ସବ ଉଦ୍ଘାଟନୀ କାର୍ଯ୍ୟକ୍ରମ ପାଇଁ ଅଭ୍ୟାସ ଆରମ୍ଭ କରିଥିଲେ। ରୋମାନିଆରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଡ. ମନୋଜ ମହାପାତ୍ର ସେମାନଙ୍କ ସହ ସାକ୍ଷାତ କରି ପ୍ରସ୍ତୁତି ଓ ଅଭ୍ୟାସ ବିଷୟରେ ପଚାରି ବୁଝିଥିଲେ। ଡ.ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କିଟ୍ ଓ କିସ୍ ପିଲାମାନେ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ କିଟ୍ ଓ କିସ୍ ପିଲାମାନେ କିଭଳି ଓଡ଼ିଶା ଜନଜାତି ଭାଷାରେ ସେକ୍ସପିଅର ନାଟକ ପରିବେଷଣ କରିବେ ତା ଉପରେ ସୂଚନା ଦେଇଛନ୍ତି। ଦ୍ୱିତୀୟ ସପ୍ତାହରେ ସେମାନେ ବିଶ୍ୱର ଅନ୍ୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମିଶି ଯୋଗାଭ୍ୟାସ ସହ ଥିଏଟର ଅଭ୍ୟାସ ଆରମ୍ଭ କରିଥିଲେ ।
ପରେ ସେମାନେ କ୍ରାୟୋଭା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଫୁଟବଲ୍ ମ୍ୟାଚ୍ ଦେଖିବାର ସୁଯୋଗ ନେଇଥିଲେ। ସେହିପରି ତୃତୀୟ ସପ୍ତାହରେ ଆୟୋଜକଙ୍କ ତରଫରୁ ସେମାନଙ୍କୁ ଫେଷ୍ଟିଭାଲ୍ ଟି-ସାର୍ଟ ପ୍ରଦାନ କରାଯାଇଥିଲା। ପରେ ସେକ୍ସପିଅରଙ୍କ ନାଟକ ଉପରେ ଜନସଚେତନତା ପାଇଁ ସେମାନେ ସେଠାରେ ଏକ ପ୍ରମୋସନାଲ୍ ୱାକରେ ଅଂଶଗ୍ରହଣ କରିଥିଲେ। କିସ୍ ଓ କିଟ୍ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ସେଠାରେ ବେଶ ପ୍ରଶଂସା କରାଯାଇଛି ।
କ୍ରାୟୋଭା ଲିଆ ଓଲଗୁଟା ଭାସିଲେସ ମଧ୍ୟ ଏହି ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ବେଶ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିରେ ଖୁସିବ୍ୟକ୍ତ କରିଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। କିସ୍ ଛାତ୍ରଛାତ୍ରୀମାନେ ପୂର୍ବରୁ କ୍ରୀଡ଼ା ଓ ଶିକ୍ଷା ଆଦି କ୍ଷେତ୍ରରେ ଦେଶ ବିଦେଶ ଯାଇ ସୁନାମ ଆଣୁଥିଲେ । ଏବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଅନ୍ତର୍ଜାତୀୟସ୍ତରରେ ସୁନାମ ଆଣିବେ। ଏହା ସମସ୍ତଙ୍କ ପାଇଁ ଖୁସିର ବିଷୟ କହିଛନ୍ତି ଡ. ସାମନ୍ତ ।
