Thursday, September 19, 2024
23 C
Odisha

    ସନ୍ଥ ଶ୍ରୀଧର ସ୍ୱାମୀ ଓ ବିନ୍ଦୁମାଧବ

    ଆଗକୁ ପଢନ୍ତୁ

     

    ଅନେକ ବିଦ୍ଵାନ ପଣ୍ଡିତ ଶ୍ରୀମଦ୍ଭଗବତ ଗୀତାର ଭାବାର୍ଥ ଟୀକା ଆକାରରେ ଲେଖିଯାଇଛନ୍ତି । ଭକ୍ତ ଶ୍ରୀଧର ସ୍ଵାମୀ ସେମାନଙ୍କ ମଧ୍ୟରୁ ଅନ୍ୟତମ । ସେ ବାରଣାସୀ ରେ ଶାସ୍ତ୍ର ଅଧ୍ୟୟନ, ଆଲୋଚନା ଓ ସାଧନା ସମୟରେ ଗୀତାର ଏକ ତାଳପତ୍ର ପୋଥି ପ୍ରାପ୍ତାନ୍ତେ ଗୀତାର ଟୀକା ରଚନା କରିବାକୁ ମନସ୍ଥ କଲେ । ତାଙ୍କ ଆରାଧ୍ୟ ଦେବ ଜଗନ୍ନାଥଙ୍କ ଅନ୍ୟ ରୂପ ମହାପ୍ରଭୁ ବିନ୍ଦୁମାଧବ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ ଗୀତାର ଟୀକା ଲେଖିବାକୁ ଭକ୍ତି,ଶକ୍ତି ଓ ଆଶିଷ ପ୍ରଦାନ କଲେ । ଶ୍ରୀଧର ସ୍ଵାମୀଙ୍କ ଟୀକା ବାରଣାସୀରେ ଚହଳ ପକାଇ ଦେଲା । ତାଙ୍କ ଗୀତା ଟୀକାର ମୂଲ୍ୟ ନିରୂପଣ କରିବାକୁ ଭଗବାନ ବିନ୍ଦୁମାଧବଙ୍କ ମନ୍ଦିରରେ ପଣ୍ଡିତ ସଭା ଆୟୋଜିତ ହେଲା । ସେଠାରେ ଅନ୍ୟ ପଣ୍ଡିତ ମାନଙ୍କର ଗୀତା ଟୀକା ମଧ୍ୟ ଆଲୋଚନା ପରିସରକୁ ଆସିଲା । ସମସ୍ତ ଟୀକା ବିନ୍ଦୁମାଧବଙ୍କ ଆସନ ସମ୍ମୁଖରେ କିଛି ଦୂରରେ ରଖି ଦିଆଗଲା । ପଣ୍ଡିତମାନେ ପ୍ରାର୍ଥନା କଲେ,”ପ୍ରଭୋ ! ଯେଉଁ ଟୀକା ଆପଣଙ୍କର ସବୁଠୁ ପ୍ରିୟ ତାହା ଆପଣଙ୍କ ପାଦ ପାଖକୁ ନେଇଯାଆନ୍ତୁ ।“ କବାଟ ଆଉଜାଇ ଦିଆଗଲା । କିଛି ସମୟ ପରେ କବାଟ ଖୋଲି ଦେଖାଗଲା ଯେ, ଶ୍ରୀଧର ସ୍ଵାମୀଙ୍କ ଲିଖିତ ଟୀକା ବିନ୍ଦୁମାଧବଙ୍କ ପାଦ ପାଖରେ ସ୍ଥାନିତ ହୋଇଛି । ସେ ଆଉ ତାଙ୍କ ଗୀତା ଶ୍ରେଷ୍ଠ ବୋଲି ସମସ୍ତେ ମାନିନେଲେ । ତାଙ୍କର ଅନେକ ଭକ୍ତ ଓ ଶିଷ୍ୟ ମଧ୍ୟ ସୃଷ୍ଟି ହେଲେ ।

    ଶ୍ରୀଧର ସ୍ୱାମୀଙ୍କ ବୃଦ୍ଧାବସ୍ଥାର କଥା । ତାଙ୍କ ପାଖରେ ରହି ମାଧବ ନାମକ ପଟ୍ଟଶିଷ୍ୟ ତାଙ୍କର ସେବା କରୁଥାନ୍ତି । ଏକଦା ଶ୍ରୀଧର ସ୍ଵାମୀଙ୍କ ଦେହ ଅତ୍ୟନ୍ତ ଖରାପ ଥିଲା । ମାଧବ ତାଙ୍କ ସେବା କରିବାରେ ଲାଗିଥାନ୍ତି । ଏହି ସମୟରେ ମାଧବଙ୍କ ମାଆ ଆସି ପହଞ୍ଚିଲେ । ମାଧବଙ୍କ ବାପାଙ୍କ ଦେହ ଭୀଷଣ ଖରାପ ବୋଲି ମନଦୁଃଖରେ କହିଲେ । ପୀଡ଼ିତ ଶ୍ରୀଧର ସ୍ଵାମୀ ମାଧବଙ୍କୁ ମାଆଙ୍କ ସହ ବାପାଙ୍କ ପାଖକୁ ଯିବାକୁ ଆଦେଶ ଦେଲେ । ଗୁରୁଙ୍କର ସ୍ଵାସ୍ଥ୍ୟବସ୍ଥା ସଙ୍କଟଜନକ ସମୟରେ ମାଧବ କଣ କରିବେ? ଗୁରୁଙ୍କ ଆଦେଶ ସର୍ବୋପରି ମନେକରି ସେ ମାଆଙ୍କ ସହିତ ପିତାଙ୍କ ପାଖକୁ ଗଲେ ।

    ସେହି ରାତ୍ରିରେ ଶ୍ରୀଧର ସ୍ୱାମୀଙ୍କ ଜ୍ୱର ଆହୁରି ବଢିଗଲା । କିଛି ଖାଦ୍ୟ ଗ୍ରହଣ କରି ନଥିବାରୁ ଭୋକରେ ଦେହ ଦୁର୍ବଳ ଲାଗୁଥାଏ । ଶେଯରୁ ଉଠି ଖାଦ୍ୟ ଆଣିବାକୁ ମଧ୍ୟ ସାହସ ଓ ବଳ ପାଉନଥାଏ । ଏଇ ସମୟରେ ଅଚାନକ ଶିଷ୍ୟ ମାଧବ ଆସି ଗୁରୁଙ୍କୁ ଖାଇବାକୁ ଦେବା ସହ ତାଙ୍କର ଅକୁଣ୍ଠିତ ସେବା କଲେ । ତାଙ୍କ ଗୋଡ ଘଷିଦେଇ ମୁଣ୍ଡ ଚିପିଦେଲେ । ଗୁରୁ ପଚାରିବାରୁ କହିଲେ ପିତାଙ୍କ ସ୍ଵାସ୍ଥ୍ୟ ଭଲ ଥିବାରୁ ମୁଁ ଫେରି ଆସିଲି । ତା’ ପରଦିନ ପ୍ରକୃତ ମାଧବ ଆସି ରାତିରେ କିଛି ଅସୁବିଧା ହୋଇଛି କି ବୋଲି ପଚାରିଲେ । ଶ୍ରୀଧର ସ୍ୱାମୀ ଚକିତ ହୋଇ କହିଲେ,”ତୁମେ କାଲି ସାରା ରାତ୍ରି ମୋ ପାଖରେ ରହି ମୋର ସେବା କରି ଚାଲିଛ । ଏବେ ଅସୁବିଧା କଥା ପଚାରୁଛ କଣ ?”

    ମାଧବ କହିଲା, “ଗୁରୁଦେବ, ଆପଣଙ୍କର ଭ୍ରମ ହୋଇଛି । ମୁଁ ତ ରାତିସାରା ବାପାଙ୍କ ପାଖରେ ଥିଲି ।“ ଏଥର ଶ୍ରୀଧର ବୁଝିଗଲେ ଯେ ସ୍ୱୟଂ ମହାପ୍ରଭୁ ବିନ୍ଦୁମାଧବ, ମାଧବ ବେଶରେ ଆସି ତାଙ୍କର ସେବା କରି ଯାଇଛନ୍ତି । ଧନ୍ୟ ଭକ୍ତ, ଧନ୍ୟ ଭଗବାନଙ୍କ ଭକ୍ତ ପ୍ରତି ଥିବା ସ୍ନେହ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ