ଆଜିକାଲି ଆମ ଖାଦ୍ୟପେୟରେ ପରିବର୍ତ୍ତନ ଆମକୁ ବିଭିନ୍ନ ରୋଗର ଶିକାର ହେବାକୁ ପଡ଼ୁଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି, ଯୁବପିଢ଼ି ମଧ୍ୟ କମ୍ ବୟସରେ ଗମ୍ଭୀର ରୋଗର ଶିକାର ହେଉଛନ୍ତି । ଏପରି ପରିସ୍ଥିତିରେ, କିଛି ଗଛ ଏବଂ ଗଛ ଅଛି ଯାହା ଭଲ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିପାରେ। ଆଗରୁ ବାରି,ବଗିଚାମାନଙ୍କରେ ଅନେକ ପ୍ରକାର ଔଷଧିୟ ବୃକ୍ଷ,ଲତା ଦେଖିବାକୁ ମିଳୁଥିଲା । ଯାହାକୁ ଔଷଧ ଭାବେ ବ୍ୟବହାର କରାଯାଉଥିଲା । ହେଲେ ଏବେ ସେହି ସବୁ ଗଛ ଆଉ ଦେଖିବାକୁ ମିଳୁନି । ଆମେ ଆଜି ଆପଣଙ୍କୁ ଗୋଟିଏ ଏମିତି ଏକ ଗଛର ନାଁ କହିବାକୁ ଯାଉଛୁ । ଯାହା ଆପଣଙ୍କ ଅନେକ ସମସ୍ୟାକୁ ଚୁଟକିରେ ଦୂର କରିଦେଇଥାଏ । ଏପରି ଏକ ଔଷଧୀୟ ଗୁଣରେ ଭରା ଗଛ ହେଉଛି ପସାରୁଣୀ ।
ପସାରୁଣୀ ପତ୍ର ହେଉଛି ଏକପ୍ରକାର ଲତା । ଯାହାର ପତ୍ର ଅନେକ ଔଷଧିୟ ଗୁଣର ଅଧିକାରୀ । ଏହି ପତ୍ରକୁ ଇଂରାଜୀରେ Skunk Vine Leaf ବୋଲି କୁହାଯାଏ । ଏହା ପେଟର ଅନେକ ସମସ୍ୟା ଭଲ କରିଦେଇଥାଏ । କିନ୍ତୁ ପସାରୁଣୀ ପତ୍ରରୁ ଆସୁଥିବା ଦୁର୍ଗନ୍ଧ ଯୋଗୁଁ ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରିନଥାନ୍ତି । ହେଲେ ଏହା ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏହାକୁ ଗଣ୍ଠି ରୋଗଠାରୁ ଆରମ୍ଭ କରି ଅନ୍ୟାନ୍ୟ ରୋଗ ପର୍ଯ୍ୟନ୍ତ ଅନେକ ରୋଗର ଚିକିତ୍ସାରେ ସହାୟକ ବୋଲି ବିବେଚନା କରାଯାଏ । ଆପଣ ଏହାର ପତ୍ରକୁ ବ୍ୟବହାର କରି ବରା, ପରାଟା କିମ୍ବା ତରକାରୀ ଖାଇପାରିବେ । ଯାହା ଆପଣଙ୍କ ଗ୍ୟାସ ସମସ୍ୟା ପାଇଁ ଉପକାରୀ ହୋଇଥାଏ ।
ଯେଉଁ ଲୋକଙ୍କର ଗ୍ୟାଷ୍ଟ୍ରିକ୍ ସମସ୍ୟା ରହିଛି ସେମାନେ ନିଶ୍ଚିତ ପସାରୁଣୀ ପତ୍ରକୁ ଗୋଲମରିଚ ସହିତ ବାଟି କିଛି ଦିନ ସେବନ କରନ୍ତୁ ପେଟର ସମସ୍ତ ରୋଗ ସହ ଗ୍ୟାଷ୍ଟ୍ରିକ୍ ସମସ୍ୟା ମଧ୍ୟ ଦୂର ହେବ । ଲାଳ ରକ୍ତ ଝାଡ଼ା ହେଉଥିଲେ ଏହି ପତ୍ରର ରସ ସହିତ ମହୁ ମିଶାଇ ଦିନକୁ ୨ ରୁ ୩ ଥର ସେବନ କରନ୍ତୁ ମଳ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ଏହି ପତ୍ରକୁ ଛେଚି କ୍ଷତ ସ୍ଥାନରେ ଲଗାଇ ପଟି ବାନ୍ଧିଲେ କ୍ଷତ ଶୁଖିଥାଏ । ଖାଲି ଏତିକି ନୁହେଁ ଦରଜ ହୋଇଥିବା ଜାଗାରେ ଏହି ପତ୍ରକୁ ନିଆଁରେ ସେକି ବାନ୍ଧିଦେଲେ ଦରଜ ବା ଫୁଲିଥିବା ଜାଗା ଭଲ ହୁଏ । ପସାରୁଣୀ ତେଲକୁ ଆଣ୍ଠୁଗଣ୍ଠିରେ ମାଲିସ୍ କଲେ ଦରଜରୁ ମୁକ୍ତି ମିଳେ । ଏହି ପତ୍ରକୁ ତରକାରୀ କରି ମଧ୍ୟ ଖିଆଯାଏ । ଯାହାଦ୍ବାରା କୋଷ୍ଠକାଠିନ୍ୟ ଦୂର ହୁଏ । ପସାରୁଣୀ ପତ୍ରକୁ ତରକାରୀ କଲେ ଏଥିରୁ ଆଉ ଦୁର୍ଗନ୍ଧ ବାହାରେ ନାହିଁ । ଯେଉଁ ଲୋକଙ୍କୁ ଯାହା ବି ଖାଇଲେ ଅଜୀର୍ଣ୍ଣର ସମ୍ମୁଖିନ ହେବାକୁ ପଡୁଛି ସେମାନେ ୬ ରୁ ୭ ଟି ପସାରୁଣୀ ପତ୍ର ସହି ୫ ରୁ ୬ ଟି ଗୋଲମରିଚକୁ ବାଟି ଖାଆନ୍ତୁ । ଏହାଦ୍ବାରା ଆମ୍ବିଳା ହାକୁଟି ଓ ଅଜୀର୍ଣ୍ଣ ଦୂର ହୋଇଥାଏ । କୃମି ପାଇଁ ମଧ୍ୟ ଭାରି ଉପକାରୀ ପସାରୁଣୀ ପତ୍ର । ସାଧାରଣତଃ ଛୋଟ ପିଲାଙ୍କଠାରେ କୃମି ସମସ୍ୟା ଅଧିକ ଦେଖାଯାଏ । ଏହି ସମୟରେ ପସାରୁଣୀ ପତ୍ର ବାଟି ପିଇଲେ କୃମି ସମସ୍ୟା ଦୂର ହୁଏ ।
