Monday, November 23, 2026
27.3 C
Odisha

    ସମ୍ବଲପୁରରେ ‘ନିର୍ଭୟା’: ୮୦୦ ସିସିଟିଭି କ୍ୟାମେରା, ୧୫ଟି ଜରୁରୀକାଳୀନ ଯାନ ଓ ୪୦ଟି ଇ-ରିକ୍ସାର ପ୍ରସ୍ତାବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମହିଳା ଓ ବାଳିକାଙ୍କ ପାଇଁ ସୁରକ୍ଷିତ, ସମାବେଶୀ ଓ ଭୟମୁକ୍ତ ସହର ଗଠନ ଲକ୍ଷ୍ୟରେ ନିର୍ଭୟା ପଦକ୍ଷେପ ଅଧୀନରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି  ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ।  ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା,  ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ଵତୀ ଏସ., ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଡା ଏନ୍. ତିରୁମାଲା ନାଏକ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ ମୃଣାଳିନୀ ଦର୍ସୱାଲଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଭାସୀ ମାଧ୍ୟମରେ ଯୋଗଦେଇ ପ୍ରସ୍ତାବିତ ଯୋଜନାଗୁଡ଼ିକର ରୂପରେଖ ଉପସ୍ଥାପନ କରିଥିଲେ।

    ବୈଠକରୁ ମିଳିଥିବା ସୂଚନାନୁସାରେ, ନିର୍ଭୟା ଯୋଜନାରେ  ମୋଟ ୧୦ କୋଟି ଟଙ୍କାର ବ୍ୟୟରେ ନଅଟି ପ୍ରମୁଖ ଉଦ୍ୟମ ପ୍ରସ୍ତାବିତ ହୋଇଛି। ଏଥିରେ ମହିଳା ପୁଲିସଙ୍କ ଦ୍ୱାରା ତ୍ୱରିତ ସହାୟତା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା, ପ୍ରଯୁକ୍ତିଭିତ୍ତିକ ନିରୀକ୍ଷଣ, ନିରାପଦ ଯାତାୟାତ, ମହିଳା ଅନୁକୂଳ ସାର୍ବଜନୀନ ସୁବିଧା ଓ ସଚେତନତା କାର୍ଯ୍ୟକ୍ରମକୁ ସାମିଲ କରାଯାଇଛି।

    ‘ଶକ୍ତି ସାରଥୀ’ ଅଧୀନରେ ୧୫ଟି ଦୁଇଚକିଆ ଯାନ ମାଧ୍ୟମରେ ମହିଳା ପୋଲିସ କର୍ମଚାରୀଙ୍କ ପକ୍ଷରୁ ପାଟ୍ରୋଲିଂ ଓ ତ୍ୱରିତ ସହାୟତା ପ୍ରଦାନ ପ୍ରସ୍ତାବ ରହିଛି। ‘ପ୍ରତିକ୍ରିୟା’ ଯୋଜନାରେ ୧୫ଟି ଜରୁରୀକାଳୀନ ପ୍ରତିକ୍ରିୟା ଯାନ ଓ ଡ୍ରୋନ୍‌ ବ୍ୟବହାର ମାଧ୍ୟମରେ ମହିଳାଙ୍କୁ ଆବଶ୍ୟକ ସହାୟତା ଓ ଉଦ୍ଧାର ସେବା ଯୋଗାଇବାର ଯୋଜନା ରହିଛି। ‘ଦୃଷ୍ଟି’ ଅଧୀନରେ ୨୧୦ଟି ସ୍ଥାନରେ ୮୦୦ଟି ସିସିଟିଭି କ୍ୟାମେରା ସ୍ଥାପନ କରି ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପ୍ରସ୍ତାବ ରହିଛି। ସେହିପରି ‘ଏସ୍-ଷ୍ଟପ୍’ ଅଧୀନରେ ୫ଟି ପୋଲିସ ସହାୟତା କେନ୍ଦ୍ର ସ୍ଥାପନ କରାଯିବାର ଯୋଜନା ରହିଛି।

    ମହିଳାଙ୍କ ପାଇଁ ନିରାପଦ ଓ ସୁଲଭ ଯାତାୟାତ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ‘ସହଯାତ୍ରା’ ଅଧୀନରେ ୪୦ଟି ଗୋଲାପୀ ଇ-ରିକ୍ସା ପରିଚାଳନା ପ୍ରସ୍ତାବିତ ହୋଇଛି। ‘ନିର୍ଭୟା ସଦନ’ ଯୋଜନାରେ ଜିଲ୍ଲା ଅଦାଲତ ପରିସର, ରେଳ ଷ୍ଟେସନ, ବୁର୍ଲା ଚିକିତ୍ସା ଅଞ୍ଚଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାରିଟି ସହାୟତା କେନ୍ଦ୍ର ସ୍ଥାପନ ପ୍ରସ୍ତାବ ରହିଛି। ‘ସାଥୀ’ ଅଧୀନରେ ଛଅଟି ଶୌଚାଳୟ ଓ ନର୍ସିଂ ସୁବିଧା ସ୍ଥାପନ ସହ ‘ଯାତ୍ରା’ ଅଧୀନରେ ୫୦ଟି ଶିକ୍ଷାନୁଷ୍ଠାନର ବସ୍‌ ପାଇଁ ବାସ୍ତବ ସମୟ ଟ୍ରାକିଂ ବ୍ୟବସ୍ଥା ବିକାଶ କରିବାର ପ୍ରସ୍ତାବ ରହିଛି।

    ଏହା ସହିତ ‘ସଚେତନା’ ଅଧୀନରେ ମହିଳା ସୁରକ୍ଷା ସମ୍ପର୍କିତ ସଚେତନତା, ଆତ୍ମରକ୍ଷା ପ୍ରଶିକ୍ଷଣ, ସ୍ୱାସ୍ଥ୍ୟ ଶିକ୍ଷା ଓ ଗୋଷ୍ଠୀ ସମୁଦାୟଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.3 ° C
    27.3 °
    27.3 °
    70 %
    0.9kmh
    29 %
    Mon
    28 °
    Tue
    27 °
    Wed
    27 °
    Thu
    26 °
    Fri
    26 °

    ସମ୍ବନ୍ଧିତ