Wednesday, October 14, 2026
22.5 C
Odisha

    ହାଇକୋର୍ଟରେ ଦେଇଥିବା ପ୍ରତିଶ୍ରୁତି ରହିଲାନି: ୫ ମାସ ହେଲା ଏସ୍‌ସିବିରେ ନିଯୁକ୍ତ ହୋଇପାରୁ ନାହାନ୍ତି ସ୍ଥାୟୀ ଅଧୀକ୍ଷକ

    ଆଗକୁ ପଢନ୍ତୁ

    ସେପ୍ଟେମ୍ବରରୁ ଖାଲିପଡ଼ିଛି ରାଜ୍ୟର ସର୍ବବୃହତ୍‌ ରେଫରାଲ୍‌ ହସ୍ପିଟାଲ ଏସ୍‌ସିବି ମେଡିକାଲ୍‌ର ଅଧୀକ୍ଷକ ପଦ। ବାରମ୍ବାର ଦାବି ପରେ ବି ପଦ ପୂରଣ ହୋଇପାରୁନି। ଗତମାସରେ ହାଇକୋର୍ଟରେ କଟକ ସହର ସମସ୍ୟା ଶୁଣାଣି ସମୟରେ ଦୁଇ ସପ୍ତାହ ଭିତରେ ଏସ୍‌ସିବି ଅଧୀକ୍ଷକ ପଦ ପୂରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। କିନ୍ତୁ ଏକମାସ ପୂରିଲା ପଛେ ଆଜି ପର୍ଯ୍ୟନ୍ତ ଏସ୍‌ସିବି ଅଧୀକ୍ଷକ ପଦ ପୂରଣ କରିପାରୁ ନାହାନ୍ତି ସରକାର। ଏପଟେ ଏସ୍‌ସିବିରେ ଅଧୀକ୍ଷକ ନଥିବାରୁ ଉଭୟ ଅଧ୍ୟକ୍ଷ ଓ ଅଧୀକ୍ଷକ ପଦରେ ଜଣେ ରହିଛନ୍ତି। ଉଭୟ ଏକାଡେମିକ୍‌ ଓ ପ୍ରାଶାସନିକ ବ୍ୟବସ୍ଥାରେ ଜଣେ ରହୁଥିବାରୁ କାର୍ଯ୍ୟ ଠିକ୍‌ଭାବେ ହୋଇପାରୁନି। ଏହି କାରଣରୁ ଦିନକୁ ଦିନ ଏସ୍‌ସିବିରେ ପ୍ରାଶାସନିକ ଅବ୍ୟବସ୍ଥା, ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ଏସ୍‌ସିବିରେ ଏପରି ପ୍ରାଶାସନିକ ଦ୍ବନ୍ଦ୍ବ ପୂର୍ବରୁ କେବେ ସୃଷ୍ଟି ହୋଇ ନଥିବା ଓ ଏମିତି ୫ମାସ ଧରି ଅଧୀକ୍ଷକ ପଦ ବି ଖାଲି ପଡ଼ିନଥିବା କୁହାଯାଉଛି ।ରାଜ୍ୟର ସର୍ବବୃହତ୍‌ ରେଫରାଲ୍ ହସ୍‌ପିଟାଲ୍‌ ହୋଇଥିବାରୁ ଏସ୍‌ସିବିକୁ ରାଜ୍ୟ ତଥା ରାଜ୍ୟ ବାହାରୁ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ରାଜ୍ୟ ସରକାର ଏସ୍‌ସିବି ପ୍ରତି ସ୍ବତନ୍ତ୍ର ଗୁରୁତ୍ବ ନଦେଲେ ରୋଗୀ ସେବା ଓ ପ୍ରାଶାସନିକ ବ୍ୟବସ୍ଥା ଉଭୟ ପ୍ରଭାବିତ ହେଉଛି। ଯଦିଓ ହାଇକୋର୍ଟଙ୍କ ହସ୍ତକ୍ଷେପ ଫଳ‌ରେ ଏସ୍‌ସିବିରେ ନିରାମୟ କେନ୍ଦ୍ର ବୃଦ୍ଧି ସହ ସଂପର୍କୀୟଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ଗତ ମାସ ୯ତାରିଖ ଦିନ କଟକ ସହର ସମସ୍ୟା ଶୁଣାଣି ସମୟରେ ଏସ୍‌ସିବି ଅଧୀକ୍ଷକ ପଦ ଖାଲି ପଡ଼ିଥିବା ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଚୟନ ପ୍ରକ୍ରିୟା ଚାଲିଛି। ଦୁଇ ସପ୍ତାହ ଭିତରେ ଅଧୀକ୍ଷକ ନିଯୁକ୍ତି ଦିଆଯିବ। କିନ୍ତୁ ଏକମାସ ପୂରିଯାଇଥିଲେ ବି ସରକାର ଅଧୀକ୍ଷକ ନିଯୁକ୍ତି ଦେଇନାହାନ୍ତି।  ପୂର୍ବ ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଗତବର୍ଷ ଅଗଷ୍ଟରେ ଅବସର ନେଇଥିଲେ। ତାଙ୍କ ଅବସର ପୂର୍ବରୁ ଏସ୍‌ସିବିର ପରବର୍ତ୍ତୀ ଅଧୀକ୍ଷକ ଚୟନ ପାଇଁ ଚର୍ଚ୍ଚା ଓ ଆଲୋଚନା ଲାଗିରହିଛି। ଏହାକୁ ନେଇ ଭିନ୍ନଭିନ୍ନ ଲୋକଙ୍କ ନାମ ଚର୍ଚ୍ଚାରେ ରହିଛି। ଜଣେ ବ୍ୟକ୍ତି ମେଡିକାଲ୍‌ କଲେଜର ପାଠ୍ୟକ୍ରମ ତଥା ଏକାଡେମିକ୍‌ ବ୍ୟବସ୍ଥା ଓ ମେଡିକାଲ୍‌ର ରୋଗୀ ସେବା ତଦାରଖ କରିବା ଏକପ୍ରକାର ଅସମ୍ଭବ। ୩୯ଟି ବିଭାଗର ଏକାଡେମିକ୍‌ କାର୍ଯ୍ୟକ୍ରମ ଓ ହଜାର ହଜାର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟବସ୍ଥା ଭିତରେ ରାଜ୍ୟର ସର୍ବବୃହତ୍‌ ମେଡିକାଲ୍‌ରେ ରୋଗୀସେବା ଓ ପ୍ରାଶାସନିକ କାର୍ଯ୍ୟ ତଦାରଖ କରିବା ସହଜ ନୁହେଁ। ଏ ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ତୁରନ୍ତ ଏସ୍‌ସିବିରେ ଅଧୀକ୍ଷକ ନିଯୁକ୍ତି ଦେବା ପାଇଁ ମତପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.5 ° C
    22.5 °
    22.5 °
    90 %
    1.1kmh
    87 %
    Tue
    22 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ