Wednesday, June 10, 2026
40.2 C
Odisha

    ୧୦ ବର୍ଷରେ ୪୪ କୋଟି ଖର୍ଚ୍ଚ: ତଥାପି ଜଳୁନି ଗାଁ ଆଲୁଅ, ଗାଁ ଆଲୁଅ ଯୋଜନାରେ ମହାଦୁର୍ନୀତି

    ଆଗକୁ ପଢନ୍ତୁ

    ଯାଜପୁରସଦର: ଗ୍ରାମାଞ୍ଚଳ ଅଲୋକୀକରଣ ଯୋଜନାରେ କୋଟିକୋଟି ଟଙ୍କା ବ୍ୟୟ କରାଯାଇଛି। ତଥାପି ଶହଶହ ଗାଁ ଛକ, ରାସ୍ତା ଅନ୍ଧାର। ଅନେକ ଗାଁରେ ଆଲୁଅ ଲାଗିନି। ଆଉ କିଛି ଗାଁରେ ନିମ୍ନମାନର ଲାଇଟ୍ ଲ‌ାଗିଛି। ଦିନ କେଇଟାରେ ସେସବୁ ଅଚଳ ହୋଇଯାଇଛି। କାଗଜକଲମରେ ସବୁ ଗାଁ ଆଲୁଅ ହୋଇଥିବା ବେଳେ ବାସ୍ତବତା କିନ୍ତୁ ଭିନ୍ନ। ଯାଜପୁର ଜିଲ୍ଲାରେ ଗତ ୧୦ ବର୍ଷରେ ଗାଁ ଆଲୁଅ ଯୋଜନାରେ ୪୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ଏଥିରୁ ସିଂହଭାଗ ଅର୍ଥ ଆତ୍ମସାତ୍‌ କରାଯାଇଛି। ଏ ନେଇ ବଡ଼ଚଣା ବିଧାୟକ ଅମର କୁମ‌ାର ନାୟକ ବିଧାନସଭାରେ ପ୍ରଶ୍ନ ଉଠାଇ ଯାଜପୁରର ଗାଁ ଆଲୁଅ କେଳେଙ୍କାରୀକୁ ପଦାରେ ପକାଇ ଦେଇଛନ୍ତି।

    ୨୦୧୨ ମସିହାରୁ ଗ୍ରାମାଞ୍ଚଳ ଆଲୋକୀକରଣ ପାଇଁ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନା ୨୦୧୮-୧୯ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଯାଜପୁର ଜିଲ୍ଲାରେ ୩୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୨ରୁ ୨୦୨୨ ମଧ୍ୟରେ ଜିଲ୍ଲାର ଗ୍ରାମାଞ୍ଚଳ ଆଲୋକୀକରଣ କାର୍ଯ୍ୟ କରିବାକୁ ଗୋଟିଏ ସଂସ୍ଥାକୁ ଅନୁମତି ମିଳିଥିଲା। ମିଳିଥିବା ତଥ୍ୟ ମୁତାବକ, ଏହି ସଂସ୍ଥାକୁ ୨୦୧୧-୧୨ ବର୍ଷରେ ୩ କୋଟି, ୨୦୧୨-୧୩ରେ ୩ କୋଟି, ୨୦୧୩-୧୪ରେ ୩ କୋଟି ୭୫ଲକ୍ଷ, ୨୦୧୪-୧୫ରେ ୮ କୋଟି, ୨୦୧୬-୧୭ରେ ୫ କୋଟି, ୨୦୧୭-୧୮ରେ ୬ କୋଟି, ୨୦୧୮-୧୯ ବର୍ଷରେ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୋଟ ୩୧ କୋଟି ୭୫ ଲକ୍ଷ ଟଙ୍କା ଅଲୋକୀକରଣ ବାବଦରେ ଖର୍ଚ୍ଚ ହୋଇଥିଲା।

    ବାସ୍ତବତା ହେଉଛି ଏବେ ମଧ୍ୟ ଶହଶହ ଗ୍ରାମରେ ଆଲୋକ ଜଳୁନାହିଁ। ଅନେକ ଜାଗାରେ ବତିଖୁଣ୍ଟ ଅଚଳ ପଡ଼ିଛି। ନାମକୁ ମାତ୍ର ଆଲୋକୀକରଣ କରାଯାଇ ବିପୁଳ ଅର୍ଥ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ସରକାର ଏହି ଯୋଜନାକୁ ବନ୍ଦ କରି ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍‌ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଗାଁ ରାସ୍ତା ଆଲୋକୀକରଣ ପାଇଁ ପ୍ରତି ପଞ୍ଚାୟତକୁ ବର୍ଷକୁ ୧୦ଟି ଏଲ୍‌ଇଡି ମଞ୍ଜୁର କରିବାର ବ୍ୟବସ୍ଥା ହୋଇଥିଲା। ପ୍ରତି ଷ୍ଟ୍ରିଟ୍ ଲାଇଟ୍‌ର ମୂଲ୍ୟ ୧ଲକ୍ଷ ଟଙ୍କା ହିସାବରେ ଠିକାସଂସ୍ଥା କାର୍ଯ୍ୟାଦେଶ ନେଇଥିଲା। ନିୟମ ଅନୁଯାୟୀ, ପଞ୍ଚାୟତକୁ ମିଳୁଥିବା ୧୦ଟି ଏଲ୍‌ଇଡି ଯେକୌଣସି ଗୋଟିଏ ଗ୍ରାମରୁ ଆରମ୍ଭ କରାଯାଇ ପରବର୍ତ୍ତୀ ସମୟରେ ଅନ୍ୟ ଗ୍ରାମକୁ ଆଲୋକୀକରଣ କରାଯିବା କଥା। ହେଲେ ଏହା ଠିକ୍ ଭାବେ କରାଯାଇନାହିଁ।

    ସୂଚନା ଅଧିକାର ତଥ୍ୟ ଅନୁଯାୟୀ, ସେହି ଠିକାସଂସ୍ଥାକୁ ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇବାର କାର୍ଯ୍ୟାଦେଶ ମିଳିଥିଲା। ୨୦୧୯-୨୦ରେ ଏହି ସଂସ୍ଥାକୁ ଜିଲ୍ଲାର ୩୧୧ ପଞ୍ଚାୟତରେ ୩ ହଜାର ୧୧୦ଟି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ପାଇଁ  ୪କୋଟି ୧୭ଲକ୍ଷ ୯୮ହଜାର ୪ଶହ ଟଙ୍କା ମଞ୍ଜୁର ହୋଇଥିଲା। ସେହିପରି ୨୦୨୦-୨୧ରେ ୩୧୧ ପଞ୍ଚାୟତ ପାଇଁ ପୁଣି ୩ ହଜାର ୧୧୦ଟି ଏଲ୍‌ଇଡି ଲାଇଟ୍‌ ଲଗାଇବାକୁ ୪କୋଟି ୧୭ ଲକ୍ଷ ୯୮ହଜାର୪ ଶହ ଟଙ୍କା ପ୍ରଦାନ କରାଯାଇଛି। ୨୦୨୧-୨୨ ବର୍ଷରେ ସେହି ୩୧୧ ପଞ୍ଚାୟତ ପାଇଁ ୪କୋଟି ୨୫ ଲକ୍ଷ ୨୧ହଜାର ୩୪୦ ଟଙ୍କା ମଞ୍ଜୁର ହୋଇଥିଲା। ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଯୋଜନାରେ ପ୍ରାୟ ୧୨କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଲାଇଟ୍‌ ଲାଗିବା ପରେ ଠିକାସଂସ୍ଥା ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ତାହାର ରକ୍ଷଣାବେକ୍ଷଣ କରିବା କଥା। କିନ୍ତୁ ତାହା ହୋଇନାହିଁ। ଫଳରେ ଅନେକ ଲାଇଟ୍‌ ଅଚଳ ହୋଇପଡ଼ିଛି। ଯଦିଓ ବିଡିଓ ଏହାର ତଦାରଖ କରି କାମ ଠିକ ହୋଇଛି କି ନାହିଁ ରିପୋର୍ଟ ଦେବାର ନିୟମ ରହିଛି, ତାହା କିନ୍ତୁ ଦାଖଲ ହୋଇନାହିଁ। ସେପଟେ ଗତ ୨ ବର୍ଷ ହେଲା ଗ୍ରାମାଞ୍ଚଳ ଆଲୋକୀକରଣ କାର୍ଯ୍ୟ ବନ୍ଦ ରହିଛି। ଜିଲ୍ଲାସ୍ତରରେ ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    40.2 ° C
    40.2 °
    40.2 °
    23 %
    2.9kmh
    76 %
    Wed
    42 °
    Thu
    44 °
    Fri
    42 °
    Sat
    40 °
    Sun
    42 °

    ସମ୍ବନ୍ଧିତ