Saturday, November 28, 2026
16.5 C
Odisha

    ୩୭ ଦିନରେ ରଥ ନିର୍ମାଣ, ପାଞ୍ଚଦଣ୍ଡା ପ୍ରସ୍ତୁତି ଶେଷ

    ଆଗକୁ ପଢନ୍ତୁ

    ପୁରୀ  : ରଥ ନିର୍ମାଣ କାର୍ଯ୍ୟ ୩୭ ଦିନରେ ପହଞ୍ଚିଛି। ତିନିରଥର ପାଞ୍ଚଦଣ୍ଡା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି, ସେଥିରେ ମୁଖସାଲ କରାଯାଇଛି। ଗତକାଲି ମୁଖ୍ୟ ମହାରଣାମାନେ ସେଗୁଡ଼ିକୁ ତଦାରଖ କରିଛନ୍ତି। ଦଣ୍ଡା ଫ୍ରେମ୍ ପ୍ରସ୍ତୁତି ପରେ ପାଞ୍ଚଦଣ୍ଡାର ଉଭୟ ପାର୍ଶ୍ୱରେ ସଂଯୋଗ କରାଯିବ। ତିନିରଥର ୨୦ ଫୁଟିଆ ମୁହାଁଟ ନିର୍ମାଣ ଶେଷହୋଇ ରଥଖଳାରେ ସାଇତା ଯାଇଛି। ପାର୍ଶ୍ୱଦଣ୍ଡାଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାର ଉଭୟ ପାର୍ଶ୍ୱରେ କୁଡ଼ୁକା ଦ୍ୱାରା ସଂଯୋଗ କରାଯିବ।
    ଦର୍ପଦଳନ ରଥର ପାଞ୍ଚଦଣ୍ଡା ସହ ଦୁଇପାର୍ଶ୍ୱରେ ଗୋଟିଏ ଲେଖାଏଁ ଦଣ୍ଡାକୁ ମିଶାଇ ୭ଟି ଦଣ୍ଡା ଲଗାଯାଉଛି। ତାଳଧ୍ବଜ ରଥ ଏବଂ ନନ୍ଦିଘୋଷ ରଥର ପାଞ୍ଚଦଣ୍ଡା ସହ ଉଭୟ ପାର୍ଶ୍ୱରେ ଦୁଇଟି ଲେଖାଏଁ ପାର୍ଶ୍ୱ ଦଣ୍ଡାକୁ ମିଶାଇ ମୋଟ ୯ଟି ଲେଖାଏଁ ଦଣ୍ଡା ସଂଯୋଗ କରାଯାଉଛି। ରୂପକାର ସେବକ ତିନିରଥର ୩୩ ଟି ସାଲଗୁଜରେ ରୂପ ଖୋଦେଇ କରିଛନ୍ତି। ସେଥିରେ ଅଳଙ୍କାର ପକାଯିବା ସହ ପଲିସ୍ କାର୍ଯ୍ୟ ଶେଷ ହୋଇଛି। ତିନିରଥର ୮ ଟି ଲେଖାଏଁ ତୀଖ ଗୁଜରେ ସିଂହ ବିରଳ ରୂପ ଖୋଦେଇ ଶେଷ ହୋଇଛି।
    କରତି ସେବକ ତାଳଧ୍ବଜ ରଥର ପୋଲ ଗୟଳ ଚିରଟ ଶେଷ କରିଛନ୍ତି। ନନ୍ଦିଘୋଷ ରଥର ୪୦ ଫୁଟିଆ ପୋଲ ଗୟଳ ଚିରଟ କାର୍ଯ୍ୟ ଶେଷକରି ଦର୍ପଦଳନ ରଥର ୪୦ ଫୁଟିଆ ପୋଲ ଗୟଳ ଚିରଟ ଆରମ୍ଭ ହୋଇଛି। ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ଓଝା ସେବକ ତିନିରଥର ଦଣ୍ଡାକଣ୍ଟା ସହ ଗରଗରା କଣ୍ଟା ନିର୍ମାଣ ଶେଷ କରିଛନ୍ତି। ଚନ୍ଦା ଗୟଳ କଣ୍ଟା ଏବଂ ବଡ଼ଥଳ ଗୟଳ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ପହି ମହାରଣାମାନେ ଅଣସର ଓ ରଥଯାତ୍ରା ନୀତି ପାଇଁ କୁରୁମ ପିଢ଼ା, ଶୁଦ୍ଧସୁଆର ପିଢ଼ା, ବନକପିଢ଼ା, ରୁଖା, ଭେଟବାକ୍ସ ପ୍ରସ୍ତୁତ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.5 ° C
    16.5 °
    16.5 °
    72 %
    0.5kmh
    0 %
    Sat
    24 °
    Sun
    25 °
    Mon
    26 °
    Tue
    26 °
    Wed
    26 °

    ସମ୍ବନ୍ଧିତ