Monday, March 16, 2026
24.3 C
Odisha

    8୨୦୨୪ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା; ମନୁଷ୍ୟସମାଜ ପାଇଁ ସତର୍କଘଣ୍ଟି: ବୈଜ୍ଞାନିକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୟୁରୋପୀୟ ସଂଘର ପୃଥିବୀ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ କୋପରନିକାସ୍ ଜଳବାୟୁ ପରିବର୍ତ୍ତନ ସେବା (ସି୩ଏସ୍) ଆନ୍ତର୍ଜାତିକ ସ୍ତରରେ ସଂଗୃହୀତ ସମସ୍ତ ବିଶ୍ୱ ତାପମାତ୍ରା ଡାଟାସେଟ୍‌କୁ ଉଦାହରଣ ଦେଇ କହିଛି ଯେ ୧୮୫୦ ମସିହାରେ ରେକର୍ଡ ଆରମ୍ଭ ହେବା ପରଠାରୁ ୨୦୨୪ ବର୍ଷ ବିଶ୍ୱରେ ସବୁଠାରୁ ଉତ୍ତପ୍ତ ଥିଲା ଏବଂ ପ୍ରଥମ ଥର ପାଇଁ ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍-ଶିଳ୍ପ ସ୍ତରଠାରୁ ୧.୫ ଡିଗ୍ରି ସେଲସିୟସ୍ ଅତିକ୍ରମ କରିଥିଲା। ୧୯୦୧ ପରଠାରୁ ୨୦୨୪ ବର୍ଷ ଭାରତ ପାଇଁ ମଧ୍ୟ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା। ଏହା ୨୦୨୪ରେ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଜନ୍ମ ଦେଇଛି ବୋଲି ଏଥିରେ କୁହାଯାଇଛି। ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ ଅତ୍ୟଧିକ ବାୟୁ ଓ ସମୁଦ୍ରପୃଷ୍ଠ ତାପମାତ୍ରା ବୃଦ୍ଧିରେ ସହାୟକ ହୋଇଥିଲା। ଏଲ୍‌ନିନୋ ସାଉଥ୍ ଅସିଲେସନ୍ (ଇଏନ୍ଏସ୍ଓ) ଭଳି ଅନ୍ୟାନ୍ୟ କାରଣ ମଧ୍ୟ ଅସ୍ୱାଭାବିକ ତାପମାତ୍ରାରେ ଯୋଗଦାନ ଦେଇଥିଲା। ଇଏନ୍‌ଏସଓ ହେଉଛି ଏକ ପୁନଃପୁନଃ ଘଟିତ ଜଳବାୟୁ ଢାଞ୍ଚା ଯାହା କେନ୍ଦ୍ରୀୟ ଓ ପୂର୍ବ-ବିଷୁବ ପ୍ରଶାନ୍ତ ମହାସାଗର ଜଳର ତାପମାତ୍ରାରେ ପରିବର୍ତ୍ତନ ଆଣିଥାଏ। ଏକ ବିବୃତିରେ ସି୩ଏସ୍ କହିଛି ଯେ ୟୁରୋପୀୟ ମଧ୍ୟମ ପରିସର ପାଣିପାଗ ପୂର୍ବାନୁମାନ କେନ୍ଦ୍ର (ଇସିଏମ୍‌ଡବ୍ଲ୍ୟୁଏଫ୍), ନାସା, ନ୍ୟାସନାଲ ଓସେନିକ୍ ଆଣ୍ଡ୍ ଆଟ୍‌ମସ୍ଫିୟରିକ୍ ଆଡ୍‌ମିନିଷ୍ଟ୍ରେସନ୍ (ଏନ୍ଓଏଏ), ବ୍ରିଟେନ୍ ପାଣିପାଗ କାର୍ଯ୍ୟାଳୟ, ବର୍କଲେ ଆର୍ଥ ଓ ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ପରି ବିଶ୍ୱ ଜଳବାୟୁ ଉପରେ ନଜର ରଖୁଥିବା ସଂଗଠନଗୁଡ଼ିକ ମିଳିତଭାବେ ତଥ୍ୟ ସଂଗ୍ରହ କରି ଏହି ବିଶ୍ଳେଷଣ କରିଛନ୍ତି। ସି୩ଏସ୍ ନିର୍ଦ୍ଦେଶକ କାର୍ଲୋ ବୋଣ୍ଟେମ୍ପୋ କହିଛନ୍ତି ଯେ ଅନ୍ତର୍ଜାତୀୟ ସ୍ତରରେ ସଂଗୃହୀତ ସମସ୍ତ ବିଶ୍ୱ ତାପମାତ୍ରା ଡାଟାସେଟ୍ ଦର୍ଶାଉଛି ଯେ ୧୮୫୦ରେ ରେକର୍ଡ ଆରମ୍ଭ ହେବା ପରଠାରୁ ୨୦୨୪ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା। ଜଳବାୟୁ ଆହ୍ୱାନର ଆମେ କିପରି ମୁକାବିଲା କରୁଛୁ ତାହା ଉପରେ ଏହାର ଭାଗ୍ୟ ନିର୍ଭର କରୁଛି। ଦ୍ରୁତ ଓ ନିର୍ଣ୍ଣାୟକ ପଦକ୍ଷେପ ଭବିଷ୍ୟତ ଜଳବାୟୁର ଗତିପଥକୁ ପରିବର୍ତ୍ତନ କରିପାରିବ ବୋଲି ବୋଣ୍ଟେମ୍ପୋ କହିଛନ୍ତି।

    ଇଆର୍‌ଏ୫ ଡାଟାସେଟ୍ କହିଛି ଯେ ବିଶ୍ୱର ହାରାହାରି ତାପମାତ୍ରା ୧୯୯୧-୨୦୨୦ ହାରାହାରି ତାପମାତ୍ରାଠାରୁ ୦.୭୨ ଡିଗ୍ରି ସେଲସିୟସ ଏବଂ ୨୦୨୩ଠାରୁ ୦.୧୨ ଡିଗ୍ରି ସେଲସିୟସ ଅଧିକ ଥିଲା। ଏହା ୧୮୫୦-୧୯୦୦ ତାପମାତ୍ରାର ଆକଳନଠାରୁ ୧.୬୦ ଡିଗ୍ରି ସେଲସିୟସ ଅଧିକ। ୨୦୨୪ ଜୁଲାଇ ୨୨ତାରିଖରେ ବିଶ୍ୱର ଦୈନିକ ହାରାହାରି ତାପମାତ୍ରା ୧୭.୧୬ ଡିଗ୍ରି ସେଲସିୟସରେ ପହଞ୍ଚିଥିଲା। ଆଣ୍ଟାର୍କଟିକା ଓ ଅଷ୍ଟ୍ରେଲିଆ ବ୍ୟତୀତ ଅନ୍ୟ ସମସ୍ତ ମହାଦେଶୀୟ ଅଞ୍ଚଳ ତଥା ସମୁଦ୍ରର ଅଧିକାଂଶ ଅଂଶ ବିଶେଷ କରି ଉତ୍ତର ଆଟଲାଣ୍ଟିକ୍ ମହାସାଗର, ଭାରତ ମହାସାଗର ଓ ପଶ୍ଚିମ ପ୍ରଶାନ୍ତ ମହାସାଗର ପାଇଁ ଗତ ବର୍ଷ ସବୁଠାରୁ ଉଷ୍ମ ବର୍ଷ ଥିଲା। ଅତ୍ୟଧିକ ତାପମାତ୍ରା ଓ ଉଚ୍ଚ ଆର୍ଦ୍ରତା ଗ୍ରୀଷ୍ମ ଚାପ (ହିଟ୍‌ ଷ୍ଟ୍ରେସ୍)କୁ ବୃଦ୍ଧି କରିବାରେ ସହାୟକ ହୋଇଥିଲା। କାର୍ବନ ଡାଇଅକ୍ସାଇଡ୍ ଓ ମିଥେନ୍‌ର ବାୟୁମଣ୍ଡଳୀୟ ସାନ୍ଦ୍ରତା ବୃଦ୍ଧି ପାଇବାରେ ଲାଗିଛି ଏବଂ ୨୦୨୪ରେ ରେକର୍ଡ ବାର୍ଷିକ ସ୍ତରରେ ପହଞ୍ଚିଛି। ୧୯୦୧ ପରଠାରୁ ୨୦୨୪ ବର୍ଷ ଭାରତ ପାଇଁ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା। ପ୍ରବଳ ଗରମ ଯୋଗୁଁ ଉତ୍ତର ପଶ୍ଚିମ ଓ ପୂର୍ବ ଭାରତରେ ବହୁ ଲୋକ ପ୍ରାଣ ହରାଇଛନ୍ତି। ମୌସୁମୀ ସମୟରେ ବନ୍ୟା, ଭୂସ୍ଖଳନ ଓ ଲକ୍ଷଦ୍ୱୀପର ରିଫ୍‌ (ପ୍ରବାଳ ପ୍ରାଚୀର)ରେ ରେକର୍ଡ ବ୍ଲିଚିଂ ହୋଇଥିବା ସୂଚନା ମିଳିଛି। ଇମ୍ପେରିଆଲ କଲେଜ ଲଣ୍ଡନର ସେଣ୍ଟର ଫର ଏନଭାରମେଣ୍ଟାଲ ପଲିସିର ବରିଷ୍ଠ ଅଧ୍ୟାପକ ଫ୍ରିଡେରିକ୍ ଓଟୋ କହିଛନ୍ତି ଯେ ଦେଶଗୁଡ଼ିକ ଏବେ ବି ବିପୁଳ ପରିମାଣର ତୈଳ, ଗ୍ୟାସ୍ ଓ କୋଇଲା ଜାଳୁଛନ୍ତି। ତାପମାତ୍ରା ବୃଦ୍ଧି ଓ ପରିବର୍ତ୍ତିତ ପାଣିପାଗ ଯୋଗୁ ଭାଲେନ୍ସିଆ ବନ୍ୟା, ଆମେରିକା ବାତ୍ୟା, ଫିଲିପାଇନ୍ସ ବାତ୍ୟା ଓ ଆମାଜନ ମରୁଡ଼ି ଭଳି ବିପର୍ଯ୍ୟୟ ଘଟିଛି। ଏହାକୁ ରୋକିବା ପାଇଁ ଜୀବାଶ୍ମ ଇନ୍ଧନଠାରୁ ଦୂରେଇ ରହିବା ଓ ଜଙ୍ଗଲ କ୍ଷୟକୁ ରୋକିବା  ଆବଶ୍ୟକ ବୋଲି ଓଟୋ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.3 ° C
    24.3 °
    24.3 °
    44 %
    1.4kmh
    78 %
    Mon
    37 °
    Tue
    38 °
    Wed
    37 °
    Thu
    36 °
    Fri
    35 °

    ସମ୍ବନ୍ଧିତ