Sunday, October 4, 2026
30.6 C
Odisha

    ବାଲେଶ୍ବର: ଛକାପଞ୍ଝାରେ ବିଜେଡି-ବିଜେପି

    ଆଗକୁ ପଢନ୍ତୁ

    ବାଲେଶ୍ୱର: ବାଲେଶ୍ୱର ସଦର ବିଧାନସଭା ଆସନରେ ଏଥର ପୁଣି ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଦୁଇ ଦଳରେ ଆଶାୟୀଙ୍କ ସଂଖ୍ୟା ବଢ଼ିଥିବା ବେଳେ ଦଳୀୟ ଟିକେଟ୍‌ ପାଇବାକୁ ସମସ୍ତେ ସଭାସମିତି, ବନ୍ଧୁମିଳନ, ମିଶ୍ରଣ ପର୍ବ ଆୟୋଜନ କରି ନିଜ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ସେପଟେ ଜନତାଙ୍କର ବିଶ୍ୱାସଭାଜନ ହେବା ଲାଗି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର କସରତ ବି ଚାଲିଛି। ଏବେ ବିଜେଡି ଦଖଲରେ ରହିଛି ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ। ୨୦୧୯ ସାଧାରଣ ନିର୍ବାଚନରେ ରେମୁଣା ଓ ସଦର ଆସନରେ ଦେଖିବାକୁ ମିଳିଥିଲା ରୋଚକ ଲଢ଼େଇ। ସଦର ଆସନକୁ ଶାସକ ଦଳ ହାତରୁ ବିଜେପି ଛଡ଼ାଇ ନେଇଥିବା ବେଳେ ସେପଟେ ରେମୁଣା ଆସନକୁ ବିଜେପି ହାତରୁ ଛଡ଼ାଇ ନେଇଥିଲା ବିଜେଡି। ତେବେ ସଦର ଆସନରୁ ନିର୍ବାଚିତ ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କର ଆକସ୍ମିକ ନିଧନ ହେବା ପରେ ଏଠାରେ ବଦଳି ଯାଇଥିଲା ରାଜନୈତିକ ଚିତ୍ର। ୨୦୨୦ରେ ଅନୁଷ୍ଠିତ ଉପନିର୍ବାଚନରେ ଦୁଇ ଦଳ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିବା ବେଳେ ଶେଷରେ ବାଜି ମାରି ନେଇଥିଲା ବିଜେଡି। ଶାସକ ଦଳର ନବାଗତ ପ୍ରାର୍ଥୀ ସ୍ବରୂପ କୁମାର ଦାସ ଦିବଂଗତ ବିଧାୟକ ସ୍ବର୍ଗତ ମଦନମୋହନ ଦତ୍ତଙ୍କ ପୁତ୍ର ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୧୩,୧୯୫ ଭୋଟ୍‌ରେ ପରାସ୍ତ କରିଥିଲେ। ତେବେ ସାଢ଼େ ୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସ୍ବରୂପ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ନିର୍ବାଚନ ମଣ୍ଡଳୀରେ ଅନେକ ଉନ୍ନତିମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବା ସହ ବିଜେଡିର ସଂଗଠନକୁ ତୃଣମୂଳସ୍ତରରେ ମଜବୁତ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆଗାମୀ ନିର୍ବାଚନରେ ଦଳ ତାଙ୍କୁ ପୁଣି ପ୍ରାର୍ଥୀ ହେବାକୁ ସୁଯୋଗ ପ୍ରଦାନ କରିବ ବୋଲି ସେ ଆଶା ରଖିଛନ୍ତି। ତେବେ ସ୍ବରୂପଙ୍କ ନେତୃତ୍ବକୁ ବିରୋଧ କରୁଛନ୍ତି ଅନ୍ୟ କେତେକ ଟିକେଟ୍‌ ଆଶାୟୀ। ଯେଉଁମାନେ ପୃଥକ ଭାବେ ନିଜର ସଙ୍ଗଠନ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ବିଧାୟକଙ୍କୁ ଡାକୁନାହାନ୍ତି। ଉପରେ ସବୁ ଠିକ୍‌ଠାକ୍ ଚାଲିଥିଲେ ବି ଭିତରେ ଗୋଛି କଟା ଚାଲିଛି। ଏହା ହିଁ ସଦର ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ରାଜନୈତିକ ସ୍ଥିତି। ସ୍ବରୂପଙ୍କ ବ୍ୟତୀତ ଦଳର ବରିଷ୍ଠ ନେତା ଯଯାତି ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବରଦା ପ୍ରସନ୍ନ ପଟ୍ଟନାୟକ, ‘ବ୍ରିଟ୍‌’ ଅଧ୍ୟକ୍ଷ ଆଲୋକ ସାହୁ ମଧ୍ୟ ବିଜେଡି ଟିକେଟ୍‌ ପାଇଁ ଆଶାୟୀ ଅଛନ୍ତି।

    ଅନ୍ୟପକ୍ଷରେ ନିର୍ବାଚନୀ ମଇଦାନରେ ଏଥର ବିଜେଡିକୁ ଚକ୍‌ମା ଦେବା ଲାଗି ପୂରା ପ୍ରସ୍ତୁତିରେ ଲାଗିଛି ବିଜେପି। ବିଜେଡି ଭଳି ବିଜେପିର ମଧ୍ୟ ଏକାଧିକ ଆଶାୟୀ ନିର୍ବାଚନ ରଣାଙ୍ଗନରେ ଲଢ଼ିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ପୁଣି ଆଶାୟୀ ଥିବା ବେଳେ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ, ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ଶୁଭଙ୍କର ମହାପାତ୍ର ପ୍ରମୁଖ ଟିକେଟ୍‌ ଦୌଡ଼ରେ ରହିଛନ୍ତି। କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ, ସେ ନେଇ ଏବେ ବି ଦଳୀୟ କର୍ମୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ଲାଗିରହିଛି। ୨୦୨୦ ଉପନିର୍ବାଚନରେ ଦଳରୁ ପ୍ରାର୍ଥୀ ହୋଇଥିବା ମମତା କୁଣ୍ଡୁ ବଡ଼ ବ୍ୟବଧାନରେ ହାରି ଯାଇଥିଲେ। ସେବେଠାରୁ ଶ୍ରୀମତୀ କୁଣ୍ଡୁ ସଙ୍ଗଠନରୁ ଧୀରେ ଧୀରେ ଦୂରେଇ ଯାଇଛନ୍ତି। ଏବେ ଯୁବନେତା ସରୋଜ କୁମାର ଲେଙ୍କା ଓ ବିକ୍ରମ ପଣ୍ଡାଙ୍କୁ ବିଭିନ୍ନ ସଭାସମିତି, କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ସହିତ ଲଢ଼ିବା ଦଳ ପାଇଁ ଏକ ବଡ଼ ଆହ୍ବାନ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ