Sunday, September 13, 2026
23 C
Odisha

    ୩୧୬୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ୱ କେନାଲ ସହିତ ହଳଦିଆ ଡ୍ୟାମର ଲୋକାର୍ପଣ କରାଯାଇଛି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୨୮ କି.ମି. ଦୀର୍ଘ ବୈତରଣୀ ବାମ ପାର୍ଶ୍ୱ କେନାଲ ଦ୍ୱାରା ବୈତରଣୀ ଓ ସାଳନ୍ଦି ନଦୀକୁ ଯୋଡା ଯାଇଛି। ଏହା ଦ୍ୱାରା କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଆନନ୍ଦପୁର ବ୍ଲକରେ ୨,୨୨୧ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ବାଲେଶ୍ୱର ଜିଲ୍ଲାର ୭ଟି ବ୍ଲକରେ ୫୬,୫୫୦ ହେକ୍ଟର ଜମିକୁ ଖରିଫ୍ ଋତୁରେ ଜଳସେଚନ ସୁବିଧା ମିଳିବ। ଏହା ସହିତ ସାଳନ୍ଦି ଡ୍ୟାମରେ ଗଚ୍ଛିତ ଜଳକୁ ବ୍ୟବହାର କରାଯାଇ ରବି ଋତୁରେ ୫୦,୦୦୦ ହେକ୍ଟର ଜମିକୁ ମଧ୍ୟ ଜଳସେଚନର ସୁବିଧା ଦିଆଯିବ। ସମୁଦାୟ ୧,୦୮,୭୭୧ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିବ।
    ସେହିପରି ହଳଦିଆ ଡ୍ୟାମ ହେଉଛି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଏକ ଅଂଶ। ବର୍ତ୍ତମାନ ସୁଦ୍ଧା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଜରିଆରେ ୬୨,୪୮୦ ହେକ୍ଟର ଜଳସେଚନର ସୁବିଧା ଦିଆଯାଇଥିବା ବେଳେ ହଳଦିଆ ଡ୍ୟାମ ଦ୍ୱାରା ଆଉ ୫,୫୨୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ।

    ଏହା ସହିତ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଓ ଖଇରି ଭଣ୍ଡନ ବ୍ୟାରେଜ ପାଇଁ ଭିତ୍ତି ରଖିଛନ୍ତି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହେବା ପରେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୩୯,୬୯୪ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ସେହିପରି ମୟୁରଭଞ୍ଜ ଜିଲ୍ଲାର ଅଂଳାବଣୀ ଗ୍ରାମ ନିକଟରେ ଖଇରି ଭଣ୍ଡନ ନଦୀ ଉପରେ ବ୍ୟାରେଜ କାମ ଆରମ୍ଭ କରାଯିବ । ଏହା ଦ୍ୱାରା ୩ଟି ବ୍ଲକର ୬,୯୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ୩୫,୦୦୦ ଲୋକଙ୍କୁ ପିଇବା ପାଣିର ସୁବିଧା ମିଳିପାରିବ।

    ଏହି ଅବସରରେ ଭର୍ଚୁଆଲ ଜରିଆରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଭାଇକୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ଚାଷୀ ଭାଇ ହେଉଛନ୍ତି ଆମର ଅର୍ଥନୀତିର ସାରଥୀ। ଚାଷୀ ଭାଇଙ୍କ ସାଥିରେ ମୁଁ ସବୁବେଳେ ରହିଛି। ସେମାନଙ୍କ ପାଇଁ କାମ କରୁଛି ଓ କରୁଥିବି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଚାଷୀର କଲ୍ୟାଣ ଓ କୃଷିର ବିକାଶ ସବୁବେଳେ ମୋର ପ୍ରାଥମିକତା ହୋଇ ରହିଆସିଛି। ପ୍ରତିଦିନ ମୁଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀମାନଙ୍କୁ ଭେଟୁଛି। ଚାଷୀମାନଙ୍କ ପାଇଁ ଆମର କଲ୍ୟାଣ କାର୍ଯ୍ୟକ୍ରମଗୁଡିକ ଭଲ ଭାବରେ କାମ କରୁଛି ବୋଲି ଜାଣି ମୁଁ ବହୁତ ଖୁସି। ଚାଷୀମାନଙ୍କ ପାଇଁ କାଳିଆ ଯୋଜନା, ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ମାଗଣାରେ ଫସଲ ବୀମା, ଚାଷୀପରିବାର ପିଲାଙ୍କ ପାଇଁ ବୃତ୍ତିର ବ୍ୟବସ୍ଥା ଏବଂ ଆହୁରି ଅନେକ ରୋଜଗାର ବୃଦ୍ଧି କାର୍ଯ୍ୟକ୍ରମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ