Monday, September 14, 2026
23.5 C
Odisha

    ଅର୍ପଣ ଚାଉଳ ଫିଙ୍ଗିବା ମହାପାପ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

    ଆଗକୁ ପଢନ୍ତୁ

    ପୁରୀ: ମହାପ୍ରଭୁଙ୍କ ଅର୍ପଣ ଚାଉଳ ଫିଙ୍ଗିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘଟଣାର ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି। ଅପରପକ୍ଷେ ଅର୍ପଣ ଚାଉଳ ଫିଙ୍ଗିବା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ। ଆଜି ସୁଆର ମହାସୁଆର ନିଯୋଗ ରାଇସ୍‌ ମିଲ୍‌ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବ ବୋଲି ଗତକାଲି ଗଣମାଧ୍ୟମ ଆଗରେ କହିଥିଲା। କିନ୍ତୁ ଆଜି ନିଯୋଗର କେହି କାର୍ଯ୍ୟକର୍ତ୍ତା ମିଲ୍‌ ଯାଇନାହାନ୍ତି କି ସ୍ଥିତି ଅନୁଧ୍ୟାନ କରିନାହାନ୍ତି। ଫଳରେ ଅର୍ପଣ ଚାଉଳକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି, ଯେଉଁ ଗାଡ଼ିରେ ଚାଉଳ ନେଇ କେନାଲରେ ଫିଙ୍ଗା ଯାଇଥିଲା, ସେହି ଗାଡ଼ିରେ ଅର୍ପଣ ଚାଉଳ ଶ୍ରୀମନ୍ଦିରରୁ ମିଲ୍‌କୁ ନିଆଯାଇଥିବା ସ୍ପଷ୍ଟ ହୋଇସାରିଛି। କିନ୍ତୁ ସୁଆର ମହାସୁଆର ନିଯୋଗ ଗତକାଲି କହିଥିଲା କି ଯେଉଁ ଚାଉଳ ଫିଙ୍ଗାଯାଇଛି, ସେ ଚାଉଳ ଅର୍ପଣ ଚାଉଳ ନୁହେଁ।
    ଏହି ସନ୍ଦେହ ଦୂର ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ଘଟଣାସ୍ଥଳ ପରିଦର୍ଶନ କରିନଥିଲେ ବି ନିଯୋଗ ତରଫରୁ କାର୍ଯ୍ୟକର୍ତ୍ତା ମିଲ୍‌ ସହ ଯୋଗାଯୋଗ କରିଥିଲେ। ମିଲ୍‌ ପକ୍ଷରୁ ଅର୍ପଣ ଚାଉଳ ସୁରକ୍ଷିତ ଥିବା କୁହାଯାଇଛି। ପରବର୍ତ୍ତୀ ସମୟରେ ଆମେ ମିଲ୍‌ ପରିଦର୍ଶନ କରିବୁ ଓ ସ୍ଥିତି ଅନୁଧ୍ୟାନ କରିବୁ। ରାଜ୍ୟସଭା ସାଂସଦ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଅର୍ପଣ ଚାଉଳ ଭକ୍ତଙ୍କ ଭାବାବେଗ ସହ ଜଡ଼ିତ। ଏହି ଅର୍ପଣଚାଉଳ ମହାପ୍ରସାଦ ହୋଇ ଲୋକଙ୍କୁ ବିତରଣ କରାଯାଉଥିଲା। କିନ୍ତୁ ଏବେ ସେହି ଚାଉଳ ନଷ୍ଟ ହେଲାଣି। ଏଥିପ୍ରତି ରାଜ୍ୟ ସରକାରଙ୍କର ନିଘା ନାହିଁ। ଯେମିତି ବିଗତ ଦିନରେ ମହାପ୍ରସାଦ ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବିତରଣ କରାଯାଉଥିଲା, ବର୍ତ୍ତମାନର ରାଜ୍ୟ ସରକାର ସେଭଳି ଅର୍ପଣ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ଦରକାର। ଏ ଦିଗରେ ସୁଆର ମହାସୁଆର ନିଯୋଗ ସହ ତୁରନ୍ତ ସରକାର ଆଲୋଚନା କରନ୍ତୁ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

    ସେହିପରି ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି, ପୂର୍ବ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଏକ ଭୁଲ୍‌ ନିଷ୍ପତ୍ତି ଥିଲା। ମହାପ୍ରଭୁଙ୍କ ନାଁରେ ଯେଉଁଭଳି ପୂର୍ବ ସରକାର କାର୍ଯ୍ୟ କରିଥିଲେ, ଏହା ତାର ଏକ ନମୁନା। ବହୁ ଲୋକଙ୍କୁ ଏହା ବାଧିଥିଲା। ଗାଁ ଗାଁରୁ ଲୋକେ ଦାନ କରିଥିବା ଚାଉଳ ଆଜି କେନାଲରେ ଫିଙ୍ଗାହେଲା। ଏହାକୁ ଯେତେ ନିନ୍ଦା କଲେ ବି କମ୍‌ ହେବ। ପୂର୍ବ ସରକାର ଲୋକଙ୍କ ଭକ୍ତି ଓ ଭାବନାକୁ ନେଇ ଖେଳିଛନ୍ତି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ‘ଭଏସ ଅଫ୍‌ କମନ୍‌ ମ୍ୟାନ୍‌’ର ହେକ୍ଟର ମିଶ୍ର କହିଛନ୍ତି, ଅର୍ପଣ ଚାଉଳକୁ କେନାଲରେ ଫିଙ୍ଗିଦେବା ମହାପାପ। ଅର୍ପଣ ଚାଉଳ ଫିଙ୍ଗିବା ଘଟଣାରେ ଜିଲ୍ଲାପାଳ ମିଛ କହୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    0.9kmh
    100 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ