Saturday, October 3, 2026
23.6 C
Odisha

    ଆସନ୍ତାକାଲି ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ନବୀନ: ରୋଡ଼ ସୋ ସାଙ୍ଗକୁ ଲୋକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନୂଆବର୍ଷ ଦିନ ସ୍ଥାପନ ହେବ ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳର ଭିତ୍ତିପ୍ରସ୍ତର। ତ୍ରିଶୁଳିଆ ନିକଟ ରତଗଡ଼ର ଲେଙ୍କା ସାହିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କର ଏହା ଏକ ବଡ଼ ଭେଟି। ଏହା ସମ୍ପୂର୍ଣ୍ଣ ଭାବରେ ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ବିଜେଡି ଏହାକୁ ସଫଳ କରିବାକୁ ଲାଗିପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ବିମାନବନ୍ଦର ଛକରୁ ସଚିବାଳୟ ମାର୍ଗ ଓ ନନ୍ଦନକାନନ ରାସ୍ତା ଦେଇ ତ୍ରିଶୁଳିଆ ପହଞ୍ଚିବେ। ଏହି ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କ ରାସ୍ତାରେ ଫୁଲ ବିଞ୍ଚିବେ। ଏଥିପାଇଁ ଏକ ବଡ଼ ଆୟୋଜନ ଆରମ୍ଭ ହୋଇଯାଇଛି। ଏକାମ୍ର, ମଧ୍ୟ, ଉତ୍ତର ଓ ବାଙ୍କୀ ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ଲୋକ ଆସି କିଭଳି କାର୍ଯ୍ୟକ୍ରମରେ ଯୋଗଦାନ କରିବେ ସେଥିପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କାର୍ଯ୍ୟକ୍ରମର ନୀଳ ନକ୍ସା ପ୍ରସ୍ତୁତ ହୋଇଛି। ମିଳିଥିବା ତାଜା ସୂଚନା ମୁତାବକ ନବୀନ ଆସନ୍ତାକାଲି ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ବିମାନବନ୍ଦର ଛକ ଯିବେ |
    ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତ୍ରିଶୁଳିଆ ଅଭିମୁଖେ ଯିବେ | ତେବେ ତ୍ରିଶୁଳିଆ ଯିବା ବାଟରେ କ୍ୟାପିଟାଲ ହସ୍ପିଟାଲ ଛକ, ଜୟଦେବ ବିହାର ଛକ, ଜାଭିଅର ଛକ, ରେଳ ସଦନ, ପଟିଆ, କିଟ ଛକ, ରଘୁନାଥପୁର ପ୍ରମୁଖ ସ୍ଥାନରେ ଲୋକଙ୍କୁ ଭେଟିବେ | ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ନବୀନ ନିବାସରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଗୋଟିଏ ପାଖ ରାସ୍ତା ସମର୍ପିତ ଥିବାରୁ ଟ୍ରାପିକ୍‌ ସମସ୍ୟା ଦୂର କରିବା ପାଇଁ କମିସନରେଟ୍‌ ପୁଲିସ ମଧ୍ୟ ନୀଳ ନକ୍ସା ପ୍ରସ୍ତୁତ କରୁଛି। ‌ଗାଡ଼ିମୋଟର ଯା’ଆସରେ ଯେଭଳି ସମସ୍ୟା ନ ରହିବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ବହୁ ସଂଖ୍ୟାରେ ଗାଡ଼ି ଆସିବାକୁ ଥିବାରୁ ପାର୍କିଂ ପାଇଁ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇଛି। ଏହି ପ୍ରସ୍ତୁତିରେ ବରିଷ୍ଠ ପୁଲିସ ଅଧିକାରୀମାନେ ଲାଗିପଡ଼ିଥିବା ଜଣାପଡ଼ିଛି।

    ସୂଚନାଯୋଗ୍ୟ, ଭୁବନେଶ୍ବରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୋଟ ୬୨୫୫ କୋଟି ଟଙ୍କା ବ୍ୟୟ ହେବ। ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ପକଳ୍ପର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ। ଏହା ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ। ରାଜମହଲ, ଜୟଦେବ ବିହାର, କ୍ୟାପିଟାଲ ହସପିଟାଲ, ପଟିଆ ପ୍ରଭୃତି ପ୍ରମୁଖ ସ୍ଥାନ ସହ ଅନ୍ୟ ଜାଗାରେ ଷ୍ଟେସନ ବ୍ୟବସ୍ଥା ହେବ। ଚଳିତ ବର୍ଷ ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଘୋଷଣା କରିଥିଲେ। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିଃ ଏହାର ଡିପିଆର ପ୍ରସ୍ତୁତ କରିଛି। ମୋ ସରକାରଙ୍କ ୫-ଟି ଅଧୀନରେ ଏହା ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ, ଯାହା ଏକ ନୂତନ ଓଡ଼ିଶାର ଆବିର୍ଭାବର ପ୍ରତୀକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ