Monday, September 28, 2026
23.1 C
Odisha

    ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ଼: ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର ନିକ୍ଷେପ କଲା ରୁଷ୍‌

    ଆଗକୁ ପଢନ୍ତୁ

    ମସ୍କୋ: ରୁଷ୍‌ ବିରୋଧରେ  ୟୁକ୍ରେନ  ଆମେରିକା ଓ ବ୍ରିଟିଶ ନିର୍ମିତ କ୍ଷେପଣାସ୍ତ୍ର ପ୍ରୟୋଗ କରିବା ପରେ ଏବେ ଯୁଦ୍ଧନୀତି ବଦଳିଛି।   ରୁଷ୍‌ ଆଜି ୟୁକ୍ରେନ ଉପରେ ଦୀର୍ଘ ରେଂଜ୍‌ ବିଶିଷ୍ଟ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ୍)  ମାଡ଼ କରିଛି।  ୟୁକ୍ରେନର ଡିନିପ୍ରୋ ସହରକୁ ଟାର୍ଗେଟ କରି ରୁଷ୍‌ ଏକ  ଆଇସିବିଏମ୍ ଉତ୍‌‌କ୍ଷେପଣ କରିଛି ବୋଲି କିବ୍‌ ବାୟୁସେନା ଗୁରୁବାର ସ୍ପଷ୍ଟ କରିଥିବା ବେଳେ ଏହି କ୍ଷେପଣାସ୍ତ୍ର ମାଡ଼ ପରେ ହୋଇଥିବା କ୍ଷୟକ୍ଷତି ନେଇ ବିସ୍ତୃତ ସୂଚନା ଜାରି କରିନାହିଁ। ଆଇସିବିଏମ୍‌ର ପ୍ରଥମ ବାସ୍ତବ ସାମରିକ ବ୍ୟବହାର କରି ରୁଷ୍‌ ସମସ୍ତ ପଶ୍ଚିମ ରାଷ୍ଟ୍ରମାନଙ୍କୁ ଆଜି ବଡ଼ ଚେତାବନୀ ଦେଇଛି। ଏହାକୁ ନେଇ ଆମେରିକାର ପରବର୍ତ୍ତୀ ରଣନୀତି କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

    ଆଇସିବିଏମ୍‌ର ପ୍ରଥମ ସାମରିକ ବ୍ୟବହାର

    ରୁଷ୍‌ର ଆଭ୍ୟନ୍ତରୀଣ ଅଂଚଳ ଭିତରେ ଆମେରିକା ଓ ବ୍ରିଟିଶ କ୍ଷେପଣାସ୍ତ୍ର ମାଡ଼  କରାଯିବା ପରେ ଆଜି ରୁଷ୍‌ ଏହାର ପ୍ରତିଶୋଧ ନେଇଛି ଏବଂ ଆଗକୁ ମଧ୍ୟ ଆଇସିବିଏମ୍‌ ଆକ୍ରମଣ ଜାରି ରହିବ ବୋଲି ସଙ୍କେତ ଦେଇଛି।   ମସ୍କୋ କହିଛି ଯେ ୟୁକ୍ରେନ ଆମେରିକା ନିର୍ମିତ ସବୁଠାରୁ ଲମ୍ବା ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର ଏଟିଏସିଏମ୍‌ଏସ୍‌ ବ୍ୟବହାର କରିଛି ଏବଂ ପାଶ୍ଚାତ୍ୟ ଦେଶମାନେ ସଂଘର୍ଷକୁ ବଢ଼ାଇବାକୁ ଚାହୁଛନ୍ତି। ରୁଷ୍‌ ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି  ଏବଂ ରୁଷ୍‌ ବିରୋଧରେ ସକ୍ରିୟ କୌଣସି ଶକ୍ତିକୁ ବରଦାସ୍ତ କରାଯିବ ନାହିଁ ବୋଲି କ୍ରେମ୍‌ଲିନ ମୁଖପାତ୍ର କହିଛନ୍ତି।  ଆଜି ରୁଷ୍‌ ୟୁକ୍ରେନର ଆଭ୍ୟନ୍ତରୀଣ ଅଞ୍ଚଳକୁ ୫,୮୦୦ କିଲୋମିଟର ଦୂରତା ବିଶିଷ୍ଟ ଆର୍‌ଏସ୍‌-୨୬ ରୁବେଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆତଙ୍କ ଖେଳିଯାଇଛି। ତେବେ ଏହି କ୍ଷେପଣାସ୍ତ୍ରରେ କୌଣସି ପରମାଣୁ ଯୁଦ୍ଧାସ୍ତ୍ର ନଥିଲା। ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ (ସିଏସ୍ଆଇଏସ୍) ଅନୁଯାୟୀ, ଆର୍‌ଏସ୍‌-୨୬ର ପ୍ରଥମ ପରୀକ୍ଷଣ ୨୦୧୨ରେ ହୋଇଥିଲା। ଏହି କ୍ଷେପଣାସ୍ତ୍ରର ଲମ୍ବ ୧୨ ମିଟର  ଏବଂ   ଓଜନ ପ୍ରାୟ  ୩୬ ଟନ୍ ହେବ। ଆର୍‌ଏସ୍‌-୨୬ କ୍ଷେପଣାସ୍ତ୍ର ବ୍ୟତୀତ ରୁଷୀୟ ସେନା ଏକ କିନ୍‌ଝାଲ ହାଇପରସୋନିକ୍ କ୍ଷେପଣାସ୍ତ୍ର ଏବଂ ୭ଟି କେଏଚ୍-୧୦୧ କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟ ନିକ୍ଷେପ କରିଥିବା ଜଣାପଡ଼ିଛି। ତେବେ ଏଥିରୁ ୬ଟି କ୍ଷେପଣାସ୍ତ୍ରକୁ ୟୁକ୍ରେନର ପ୍ରତିରକ୍ଷା ବ୍ୟବସ୍ଥା ଖସାଇ ଦେଇଥିବା ଦାବି କରାଯାଇଛି। ସୂଚନାଯୋଗ୍ୟ, ୟୁକ୍ରେନର ଡିନିପ୍ରୋରେ ଥିବା ଉଦ୍ୟୋଗ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରି ରୁଷ୍‌ ଏହି କ୍ଷେପଣାସ୍ତ୍ର ଆକ୍ରମଣ  କରିଥିବା ବେଳେ ଏ ବାବଦ କ୍ଷୟକ୍ଷତି ସଂକ୍ରାନ୍ତ ରିପୋର୍ଟ ୟୁକ୍ରେନ ଜାରି କରିନାହିଁ। ଆଇସିବିଏମ୍ ହେଉଛି ପରମାଣୁ ଯୁଦ୍ଧାସ୍ତ୍ର ପ୍ରୟୋଗ କରିବା ପାଇଁ ଡିଜାଇନ୍ କରାଯାଇଥିବା ରଣନୈତିକ ଅସ୍ତ୍ର ଏବଂ ଏହା ରୁଷ୍‌ର ପରମାଣୁ ପ୍ରତିରୋଧ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    89 %
    1.5kmh
    2 %
    Sun
    23 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ