Wednesday, August 19, 2026
28.3 C
Odisha

    ବିନା ପିସିରେ ପଞ୍ଚାୟତରେ କାମ ହେଉନି: ବିରୋଧୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେଡି ସରକାରକୁ ପିସି ସରକାର ବୋଲି କହୁଥିଲେ। ନିର୍ବାଚନ ପୂର୍ବରୁ ଗାଁ ଗାଁରେ ପ୍ରଚାର କଲେ ବିନା ପିସିରେ କାମ ହେଉନି। କିନ୍ତୁ ଏବେ ବିଜେପି ସରକାରରେ ବ୍ଲକରେ ୩୫% ପିସି ନଦେଲେ କାମ ହେଉନି। ବିଜେପି କାର୍ଯ୍ୟକର୍ତ୍ତାମାନେ ଯେଉଁ କାମ ହେବ ବୋଲି କହୁଛନ୍ତି, ତାହା ହେଉଛି। ପିଇଓ, ଯନ୍ତ୍ରୀ ଓ ବିଡିଓମାନଙ୍କୁ ଧରି ବିଭିନ୍ନ ପ୍ରକଳ୍ପ ଟଙ୍କାକୁ ଲୁଟୁଛନ୍ତି। ବିନା ପିସିରେ ବାବୁଙ୍କ କଲମ ଚାଲୁନି।

    ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକମାନେ ଏହିଭଳି ଢଙ୍ଗରେ ସରକାରଙ୍କୁ ଘେରିଥି‌ଲେ।, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପେସା ଆଇନ ଲାଗୁ କରିବା, ପାନୀୟ ଜଳ ସମସ୍ୟା, ବିପର୍ଯ୍ୟସ୍ତ ରାସ୍ତା, ମନରେଗା ଦୁର୍ନୀତି ପ୍ରସଙ୍ଗ ବି ଉଠିଥିଲା। ଉଠାଇଥିଲେ। ବିଜେଡି ବିଧାୟକମାନେ କହିଥିଲେ, ଗ୍ରାମ ପଞ୍ଚାୟତଗୁଡ଼ିକ କେବେ ଆତ୍ମନିର୍ଭରଶୀଳ ହେବେ? ପଞ୍ଚାୟତଗୁଡ଼ିକର ରାଜସ୍ବ ବଢ଼ାଇବା ନେଇ ସରକାର କ’ଣ ଯୋଜନା କରୁଛନ୍ତି? ପଞ୍ଚାୟତଗୁଡ଼ିକର ବିକାଶ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ତାଙ୍କର ଯୋଗ୍ୟ ଅଧିକାରୀଙ୍କୁ ଜିଲ୍ଲାସ୍ତରରେ ନୁହେଁ, ପଞ୍ଚାୟତସ୍ତରରେ ନିଯୁକ୍ତି ଦେବାକୁ ହେବ। ‌ଡବଲ୍‌ ଇଞ୍ଜିନ ସରକାର ଆସିଲା ହେଲେ ପଞ୍ଚାୟତକୁ ଏପର୍ଯ୍ୟନ୍ତ ନୂଆ ସରକାର ଟଙ୍କାଟିଏ ବି ଦେଲେନି। ନୂଆ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯେଉଁ କିଛି କାମ ହେଉଥିଲା ତାକୁ ବନ୍ଦ କରିଦେଲେ। ସବୁଠୁ ଅଧିକ ଦୁର୍ନୀତି ହେଉଥିବା ବ୍ଲକକୁ ମନରେଗା କାମ ପାଇଁ ପୁରସ୍କୃତ କରାଯାଉଛି। ଯେଉଁଠି ବିଜେପି ବିଧାୟକ ନାହାନ୍ତି ସେଠାରେ ବିଜେପି ନେତା ବିଡିଓ, ଜିଲ୍ଲାପାଳଙ୍କ ମାଧ୍ୟମରେ ବିଭାଗକୁ ପ୍ରକଳ୍ପ ତାଲିକା ପଠାଉଛନ୍ତି। କିଛି ନୀତି ନିୟମ ଅନୁଯାୟୀ ହେଉନି। ବିଧାୟକ ଦିବ୍ୟଶଙ୍କର ମିଶ୍ର, ଅଧିରାଜ ପାଣିଗ୍ରାହୀ, ପ୍ରତାପ କେଶରୀ ଦେବ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରବିନ୍ଦ ମହାପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

    ଆବାସ ଘର ଏବେବି ଦଳୀୟ କର୍ମୀଙ୍କୁ ବଣ୍ଟାଯାଉଛି
    ଭୁଶୁଡ଼ି ପଡ଼ିଥିବା ପଞ୍ଚାୟତିରାଜ ବ୍ୟବସ୍ଥା ଏବେ ସୁଧୁରୁଛି: ବିଜେପି
    ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ପାରିତ

    କଂଗ୍ରେସ ବିଧାୟକମାନେ କହିଥିଲେ, ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ହୋଇଗଲାଣି। ରାଜ୍ୟ ସରକାର ପାନୀୟ ଜଳ ଯୋଗାଣରେ ବିଫଳ ହୋଇଛନ୍ତି। ଯେଉଁଥିପାଇଁ ଲୋକ ୧୦କିମି ଦୂରରୁ ପାଣି ବୋହିକି ଆଣୁଛନ୍ତି। ଆବାସ ଯୋଜନାରେ ପୂର୍ବ ସରକାର ଯେମିତି ଦଳୀୟ କର୍ମୀଙ୍କୁ ଘର ବାଣ୍ଟିଥିଲେ, ବିଜେପି ସରକାରରେ ବି ସେୟା ହେଉଛି। ପଞ୍ଚାୟତକୁ ଆସୁଥିବା ଟଙ୍କାକୁ ଅଧିକାରୀମାନେ ମିଳିମିଶି ଲୁଟୁଛନ୍ତି।  ଅନେକ ବାବୁଙ୍କର ପୂର୍ବ ସରକାରଙ୍କ ପ୍ରୀତି ଯାଇନି। ଏପରିକି ବିନା ପିସିରେ ବାବୁଙ୍କ କଲମ ଚାଲୁନି। ବିଧାୟକ ଅଶୋକ ଦାସ, ପବିତ୍ର ସାଉଁଟା, ତାରାପ୍ରସାଦ ବାହିନୀପତି, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ନୀଳ ମାଧବ ହିକ୍‌କା ବି ଆଲୋଚନାରେ ଭାଗ ନେଇ ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ।

    ବିଜେପି ବିଧାୟକମାନେ କହିଥିଲେ, ଏହି ବଜେଟ୍‌କୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଗ୍ରାମାଞ୍ଚଳର ବିକାଶକୁ ବିରୋଧ କରୁଛନ୍ତି। ପୂର୍ବ ସରକାରରେ ଦିଶା‌ହୀନ ହୋଇପଡ଼ିଥିବା ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆମ ସରକାର ସୁଧାରିବାକୁ ଚେଷ୍ଟା କରୁଛି। ବିଜେଡି ସରକାର ପଞ୍ଚାୟତ ପ୍ରତିନିଧିଙ୍କୁ ପଚାରୁନଥିଲା। ପୂର୍ବ ସରକାରରେ ଆମେ ବିଧାୟକ ଥିବାବେଳେ ବି ଆମକୁ ନପଚାରି ଆମ ଅଞ୍ଚଳରେ କାମ ହେଉଥିଲା। ଏ ସରକାରରେ ତାହା ହେଉନି। ବିଜେପି ପକ୍ଷରୁ ବିଧାୟକ ମାନସ ଦତ୍ତ, ସନାତନ ବିଜୁଳି, ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଅମର କୁମାର ନାୟକ, ଜଲେନ୍ ନାୟକ, ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଖର୍ଚ୍ଚ ଦାବିକୁ ସମର୍ଥନ କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଉତ୍ତର ରଖିବାବେଳେ କଂଗ୍ରେସ ବିଧାୟକମାନେ ‘ପେସା’ ଆଇନ କେବେ ଲାଗୁ ହେବ ପଚାରି ଗୃହ ତ୍ୟାଗ କରିଥିଲେ। ବିଜେଡି ବିଧାୟକମାନେ ମନ୍ତ୍ରୀଙ୍କ ଉତ୍ତର ଶୁଣିଥିଲେ ବି ଖର୍ଚ୍ଚଦାବି ପାରିତ ହେବାବେଳେ ଗୃହ ବାହାରକୁ ଚାଲିଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    81 %
    4.6kmh
    81 %
    Wed
    29 °
    Thu
    27 °
    Fri
    27 °
    Sat
    26 °
    Sun
    27 °

    ସମ୍ବନ୍ଧିତ