Thursday, April 30, 2026
29.3 C
Odisha

    ଆମେରିକୀୟ ସିନେଟରଙ୍କ ଚକିତକାରୀ ବୟାନ: ଜେଲେନସ୍କି ଜାଣିଶୁଣି ଟ୍ରମ୍ପଙ୍କ ସହ ଝଗଡ଼ା କରିଥିଲେ!

    ଆଗକୁ ପଢନ୍ତୁ

    ୱାସିଂଟନ: ୟୁକ୍ରେନ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କି ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା ସମୟରେ ମୁହାଁମୁହିଁ ହେବା ନେଇ ଚକିତକାରୀ ତଥ୍ୟ ସାମ୍ନାକୁ ଆସିଛି। ‘ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ ଅନୁଯାୟୀ, ଦକ୍ଷିଣ କାରୋଲିନାର ରିପବ୍ଲିକାନ ସିନେଟର ଲିଣ୍ଡ୍‌ସେ ଗ୍ରାହମ୍‌ ଟ୍ରମ୍ପଙ୍କ ସହ ସାକ୍ଷାତ ପୂର୍ବରୁ ୟୁକ୍ରେନ ନେତାଙ୍କୁ କୌଣସି ଉତ୍ତେଜନାପୂର୍ଣ୍ଣ ବିତର୍କରୁ ଦୂରେଇ ରହିବାକୁ ସ୍ପଷ୍ଟ ପରାମର୍ଶ ଦେଇଥିଲେ। ଏକ ସାକ୍ଷାତକାରରେ ଗ୍ରାହମ୍‌ କହିଛନ୍ତି, ସୁରକ୍ଷା ଚୁକ୍ତିକୁ ନେଇ ଟ୍ରମ୍ପ କିଛି ସର୍ତ୍ତ ଉପସ୍ଥାପନ କରିପାରନ୍ତି ଏବଂ ଏହାକୁ ଚ୍ୟାଲେଂଜ କରି କୌଣସି ଅଡ଼ୁଆରେ ନପଡ଼ିବାକୁ ମୁଁ ଜେଲେନସ୍କିଙ୍କୁ କହିଥିଲି। କିନ୍ତୁ ବୈଠକରେ ଏହାର ଓଲଟା ଆଚରଣ କରି ଜେଲେନସ୍କି ସମସ୍ୟା ବଢ଼ାଇ ଦେଲେ ବୋଲି ଗ୍ରାହମ୍‌ କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ବୈଠକ ଆରମ୍ଭ ହୋଇଥିଲା, ସେତେବେଳେ ଜେଲେନସ୍କି ଆମେରିକାର ସାମରିକ ସହାୟତାକୁ ନେଇ ଚିନ୍ତିତ ଥିଲେ। ରୁଷ୍-ୟୁକ୍ରେନ ସଂଘର୍ଷରେ ସେ ଆମେରିକାଠାରୁ ଅଧିକ ସାହାଯ୍ୟ ଚାହୁଥିଲେ। କିନ୍ତୁ ଆମେରିକା ପ୍ରତି କୃତଜ୍ଞତା ପ୍ରକାଶ କରିବାକୁ ଚାହୁନଥିଲେ। ଏହା ହିଁ ତୀବ୍ର କଥା କଟାକଟିର କାରଣ ହୋଇଥିଲା ବୋଲି ଗ୍ରାହମ୍‌ କହିଛନ୍ତି।
    ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ଜେଲେନସ୍କିଙ୍କୁ ଆମେରିକା ପ୍ରତି କୃତଜ୍ଞ ରହିବାକୁ କହୁଥିବା ବେଳେ ଜେଲେନସ୍କି ଏ ଦିଗରେ ଠିକ୍‌ ଯୁକ୍ତି ରଖିନଥିଲେ ଏବଂ ଏବଂ ଏଥିପାଇଁ ସେମାନେ କ୍ରୋଧିତ ହୋଇଥିଲେ। ଏହା ପରେ କ’ଣ ଘଟିଲା ତାହା ସମସ୍ତେ ଜାଣନ୍ତି। ୟୁକ୍ରେନ ମସ୍କୋ ସହ ଶାନ୍ତି ଚୁକ୍ତି କରିବା ଉଚିତ ବୋଲି ଟ୍ରମ୍ପ ବାରମ୍ବାର ପରାମର୍ଶ ଦେଇ ଆସୁଥିବା ବେଳେ ଜେଲେନସ୍କି ଅନ୍ୟ କିଛି ଚାହୁଥିଲେ ବୋଲି ଗ୍ରାହମ୍‌ ଆଜି ସ୍ପଷ୍ଟ କରିଛନ୍ତି। ହ୍ବାଇଟ୍‌ହାଉସ୍‌ ଆଲୋଚନା ଉତ୍ତେଜନାପୂର୍ଣ୍ଣ ଆଡ଼କୁ ଯିବା ପରେ ଜେଲେନସ୍କି ମଧ୍ୟ ଏହାକୁ ବଢ଼ାଇବା ଭଳି କାମ କରିବା ମୋତେ ବିସ୍ମିତ କରିଛି ବୋଲି ସେ କହିଛନ୍ତି।

    ସିନେଟର ଗ୍ରାହମ୍‌ କହିଛନ୍ତି, ଜେଲେନସ୍କି ଇସ୍ତଫା ଦେବା ସହ ଆଗାମୀ ଦିନରେ ଶାନ୍ତି ବୁଝାମଣା ପାଇଁ ଅନ୍ୟ କାହାକୁ ଆମେରିକା ପଠାଇବା ଉଚିତ। ବର୍ତ୍ତମାନ ଜେଲେନସ୍କି ୟୁରୋପ ଭରସାରେ ଅଛନ୍ତି। ୟୁରୋପୀୟ ସଂଘ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଜେଲେନସ୍କିଙ୍କ ସପକ୍ଷରେ ଥିଲେ ମଧ୍ୟ ରୁଷ୍‌ର ମୁକାବିଲା କରିବା ପାଇଁ ୟୁରୋପୀୟ ସଂଘର ସାମର୍ଥ୍ୟ ନାହିଁ ବୋଲି ଅନେକ ସାମରିକ ବିଶେଷଜ୍ଞ ସ୍ପଷ୍ଟ କରି ଦେଇଛନ୍ତି। ଏଭଳି ସ୍ଥିତିରେ ଏବେ ଜେଲେନସ୍କି ପୁଣି ତାଙ୍କ ଆଭିମୁଖ୍ୟ ନରମ କରି ଆମେରିକା ସହ ଖଣିଜ ଚୁକ୍ତି କରିବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ୟୁକ୍ରେନକୁ ପରବର୍ତ୍ତୀ ସହାୟତା କିମ୍ବା ଯୁଦ୍ଧବିରତି ଆଲୋଚନା ନେଇ ଟ୍ରମ୍ପ କୌଣସି ସ୍ପଷ୍ଟ ସଙ୍କେତ ଦେଇନଥିବାରୁ ଅନିଶ୍ଚିତତା ଲାଗି ରହିଛି। ଗତକାଲି ଜେଲେନସ୍କି ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାର୍ମରଙ୍କୁ ଭେଟି ସ୍ଥିତି ଅବଗତ କରାଇଛନ୍ତି ଏବଂ ଷ୍ଟାର୍ମର ତାଙ୍କୁ ରୁଷ୍‌ ସହ ଯୁଦ୍ଧରେ ପୂର୍ଣ୍ଣ ସମର୍ଥନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.3 ° C
    29.3 °
    29.3 °
    35 %
    1.8kmh
    35 %
    Thu
    43 °
    Fri
    41 °
    Sat
    42 °
    Sun
    42 °
    Mon
    41 °

    ସମ୍ବନ୍ଧିତ