Wednesday, April 15, 2026
27.1 C
Odisha

    ଆରମ୍ଭ ହେଲା ଅନ୍ତ୍ୟୋଦୟ ଗୃହ ଯୋଜନା: ୩ ବର୍ଷରେ ବଣ୍ଟା ହେବ ୨.୨୫ଲକ୍ଷ ପକ୍କାଘର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟର ସମସ୍ତଙ୍କର ଯେପରି ପକ୍କା ଘର ଅର୍ଥାତ୍ ଛାତ ଘର ହେବ ସେଥିପାଇଁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ୩ବର୍ଷରେ ଅନ୍ୟୁନ୍ୟ ୨ଲକ୍ଷ ୨୫ହଜାର ନୂତନ ପକ୍କା ଘର ବଣ୍ଟା ହେବ। ଏହି ଯୋଜନା ପାଇଁ ୭୫୫୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମୋହର ବାଜିଛି।
    ଶୁକ୍ରବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ଉପରୋକ୍ତ ପ୍ରସ୍ତାବ ସମେତ ‌େମାଟ୍ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ୍ ବୈଠକ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେଇ ସେମାନଙ୍କ ଜୀବନ ଧାରଣର
    ମାନ ପରିବର୍ତ୍ତନ କରିବା ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ମୂଳ ଲକ୍ଷ୍ୟ।

    ପ୍ରାକୃତିକ ଅଥବା ମନୁଷ୍ୟକୃତ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାର, ବିଭିନ୍ନ ସରକାରୀ ପ୍ରକଳ୍ପ ହେତୁ ବିସ୍ଥାପିତ ହୋଇଥିବା ପରିବାର, ପରିବାରର ମୁଖ୍ୟ ଉପାର୍ଜନକାରୀ ଭିନ୍ନକ୍ଷମ ହୋଇଥିବା ପରିବାର, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଏବଂ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ନଥିବା ଯୋଗ୍ୟ ପରିବାରବର୍ଗଙ୍କୁ ଏହି ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ।
    ଏଥିରେ ହିତାଧିକାରୀ (ଶୌଚାଳୟର ଅଞ୍ଚଳକୁ ବାଦ୍‌ ଦେଇ) ୨୫ ବର୍ଗମିଟର ପରିଧି ବିଶିଷ୍ଟ ପକ୍କାଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପାଇପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇବୁ। ଏଥିପାଇଁ ‘ପକ୍କାଘର’ର ସଂଜ୍ଞାକୁ ସରଳୀକରଣ କରାଯାଇ ଆଜବେସଟସ୍, ଟିଣ ଓ ଟାଇଲ ଛାତ ଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି। କେବଳ ସିମେଣ୍ଟ ଯୋଡ଼େଇ କାନ୍ଥ ସହିତ ଆର.ସି.ସି. ଛାତକୁ ପକ୍କା ଘରର ମାନ୍ୟତା ପ୍ରଦାନ କରାଯାଉଛି। ପରିବାରର ସଂଜ୍ଞାକୁ ମଧ୍ୟ ସରଳୀକରଣ କରାଯାଇ ଯୋଜନାରେ ପରିବାରର ଅର୍ଥ ସ୍ୱାମୀ, ସ୍ତ୍ରୀ, ନିର୍ଭରଶୀଳ ପିତାମାତା ଓ ସନ୍ତାନଙ୍କୁ ବୁଝାଉଛି। ଏହାଦ୍ୱାରା ସୃଷ୍ଟି ହୋଇଥିବା ନୂଆ ପରିବାରମାନେ ଯୋଜନାରେ ଉପକୃତ ହୋଇ ପାରିବେ। ୩ବର୍ଷରେ ଅନ୍ୟୂନ ୨.୨୫ଲକ୍ଷ ନୂତନ ପକ୍କା ଘର ମଞ୍ଜୁର ହେବ। ଯେଉଁମାନେ ପ୍ରଥମ କିସ୍ତି ପାଇବାର ୪ ମାସ ଓ ୬ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରୁଛନ୍ତି, ସେମାନଙ୍କୁ ଯଥାକ୍ରମେ ୨୦ ହଜାର ଏବଂ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।

    ସେହିପରି କ୍ୟାବିନେଟ୍ ବୈଠକରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି,୨୦୨୨ରେ ସଂଶୋଧନ କରାଯାଇଛି। ଏହି ନୀତି ଯୋଗୁ ନବୀକରଣ ଯୋଗ୍ୟ ଶକ୍ତି ପ୍ରକଳ୍ପ କାର୍ଯ୍ୟାନ୍ବୟନରେ ପରିଚାଳନାଗତ ଅସୁବିଧା ଦେଖାଦେବାରୁ ଏହାକୁ ସଂଶୋଧନ କରାଯାଇଛି।   ସଂଶୋଧନ ଅନୁଯାୟୀ, ୧୫ ବର୍ଷ ପର୍ଯ୍ୟନ୍ତ ଅକ୍ଷୟ ଶକ୍ତି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ଶକ୍ତି ବ୍ୟବହାର ନିମନ୍ତେ ହ୍ୱିଲିଂ ଚାର୍ଜରେ ୨୫% ପରିବର୍ତ୍ତେ ୫୦% ଛାଡ଼ ପ୍ରଦାନ କରାଯାଇଛି। ତେବେ ଅନ୍ୟ ନବୀକରଣ ଯୋଗ୍ୟ ଶକ୍ତି  ପ୍ରକଳ୍ପଗୁଡ଼ିକ ପାଇଁ ହ୍ୱିଲିଂ ଚାର୍ଜରେ ପ୍ରଚଳିତ ୨୫% ଛାଡ଼ ବଳବତ୍ତର ରହିବ। ଏହାସହ ୧୦ କିମ୍ବା ତଦୁର୍ଦ୍ଧ୍ବ ବାସଗୃହ ଥିବା ଜନବସତିର ୧କିମି ପରିସର ମଧ୍ୟରେ ପବନ କଳ ସ୍ଥାପନ ହୋଇପାରିବ।

    ଅନ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ ଓଡ଼ିଶା ଲୋକସେବା ଆୟୋଗ (ସେବା ସର୍ତ୍ତାବଳୀ) ବିନିୟମ, ୧୯୫୨ର ସଂଶୋଧନ କରାଯାଇଛି। ଏହା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଆୟୋଗର ଅଧ୍ୟକ୍ଷ କିମ୍ବା ସଦସ୍ୟ ଭାବେ ନିଯୁକ୍ତ ହୁଅନ୍ତି ଏବଂ ତାଙ୍କ ଅନ୍ତିମ ନିର୍ଦ୍ଧାରିତ ବେତନ ଯାହାକି ଅଧ୍ୟକ୍ଷ ଓ ସଦସ୍ୟଙ୍କ ପାଇଁ ଯଥାକ୍ରମେ ମାସିକ ୨ଲକ୍ଷ ୨୫ହଜାର ଟଙ୍କା ଓ ୧ଲକ୍ଷ ୮୨ହଜାର ଟଙ୍କା ଠାରୁ ଅଧିକ  ହୋଇଥିବ, ତେବେ ସେ ସରକାରୀ ଚାକିରିରେ ଥିବା ସମୟର ଅନ୍ତିମ ବେତନରୁ ମୋଟ ପେନ୍‍ସନ୍‍ ରାଶିକୁ ବାଦ୍‍ ଦେବା ପରେ ଯେଉଁ ରାଶି ଉପନୀତ ହେବ, ତାକୁ ପାଇବାକୁ ହକ୍‍ଦାର ହେବେ। ନିଯୁକ୍ତି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ ରାଜ୍ୟର ସବଅର୍ଡିନେଟ୍ ନ୍ୟାୟପାଳିକାରେ ନିଯୁକ୍ତି ପାଇଁ ପ୍ରତ୍ୟେକ ଶ୍ରେଣୀର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଓଡ଼ିଶା ଜିଲ୍ଲା ତଥା ସିଭିଲ୍ କୋର୍ଟର ଜୁଡିସିଆଲ୍ ଷ୍ଟାଫ୍ ସର୍ଭିସେସ୍ ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତ (ସଂଶୋଧନ) ନିୟମ ୨୦୦୮କୁ ସଂଶୋଧନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    55 %
    2kmh
    0 %
    Tue
    27 °
    Wed
    42 °
    Thu
    44 °
    Fri
    44 °
    Sat
    43 °

    ସମ୍ବନ୍ଧିତ