Tuesday, April 21, 2026
28.3 C
Odisha

    ଭାରତରେ କର୍କଟ ରୋଗୀଙ୍କ ମୃତ୍ୟୁ ହାର ଅଧିକ: ୫ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତରେ ପ୍ରତି ୫ ଜଣ ଚିହ୍ନଟ କ‌ର୍କଟ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହେଉଛି। ପୁରୁଷଙ୍କ ତୁଳନାରେ ମହିଳାମାନେ ଏକ୍ଷେତ୍ରରେ ଅତ୍ୟନ୍ତ ବିଷମ ବୋ‌ଝ ବହନ କରୁଛନ୍ତି। ବୈଶ୍ବିକ କର୍କଟ ତଥ୍ୟ ଆକଳନରୁ ଏହା ଜଣାପଡ଼ିଛି। ତେବେ ଆମେରିକାରେ ୪ ଜଣରେ ଜଣେ ଏବଂ ଚୀନ୍‌ରେ ୨ ଜଣରେ ଜଣେ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି। ଲାନସେଟ୍‌ ରିଜିଓନାଲ୍‌ ହେଲ୍‌ଥ ସାଉଥଇଷ୍ଟ୍‌ ଏସିଆ ପତ୍ରିକାରେ ଏସଂକ୍ରାନ୍ତ ତଥ୍ୟ ପ୍ରକାଶ ‌ପାଇଛି। ଆଇସିଏମ୍‌ଆର (ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ) ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ସମଗ୍ର ବିଶ୍ବରେ ସର୍ବାଧିକ କର୍କଟ ରୋଗ କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନରେ ରହିଛି। ବିଶ୍ବର କର୍କଟ ଜନିତ ମୃତ୍ୟୁର ୧୦ ପ୍ରତିଶତ କେବଳ ଭାରତରେ ହେଉଛି। ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଆସନ୍ତା ୨ ଦଶନ୍ଧି ମଧ୍ୟରେ ଭାରତ କର୍କଟ ଜନିତ ମୃତ୍ୟୁ ପରିଚାଳନା କରିବାରେ ଅତି ଭୟଙ୍କର ଚ୍ୟାଲେଞ୍ଜ ସାମ୍ନା କରିବ। ଭାରତରେ ଜନସଂଖ୍ୟା ଅଧିକ ବୟସ୍କ ହେଉଥିବାରୁ କର୍କଟ ମୃତ୍ୟୁ ପ୍ରତି ବର୍ଷ ୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଗ୍ଲୋବାଲ୍‌ କ୍ୟାନସର ଅବଜରଭେଟୋରି ୨୦୨୨ ଏବଂ ଗ୍ଲୋବାଲ୍‌ ‌ହେଲ୍‌ଥ ଅବ୍‌ଜର‌ଭେଟୋରି ତଥ୍ୟ ଆଧାରରେ ବି‌ଶେଷଜ୍ଞ ଟିମ୍‌ ଗତ ୨୦ ବର୍ଷ ମଧ୍ୟରେ ବଢ଼ୁଥିବା ୩୬ ପ୍ରକାରର କର୍କଟ ରୋଗକୁ ପରୀକ୍ଷା କରି ଏହା ଜାଣିଛନ୍ତି।
    ଉଭୟ ପୁରୁଷ ଓ ମହିଳାଙ୍କୁ ପ୍ରଭାବିତ କରୁଥିବା ୫ଟି ସାଧାରଣ କର୍କଟ ରୋଗ ସମୂହ ଭାରତରେ କର୍କଟ ବୋଝର ୪୪ ପ୍ରତିଶତ। କିନ୍ତୁ ମହିଳାମାନେ ଏକ୍ଷେତ୍ରରେ ଅତ୍ୟନ୍ତ ଜଟିଳ ସ୍ଥିତିର ସାମ୍ନା କରୁଛନ୍ତି। କାରଣ ମହିଳାମାନଙ୍କ ପାଇଁ ସବୁଠାରୁ ବଡ଼ କାଳ ସାଜିଛି ସ୍ତନ କର୍କଟ। ଉଭୟ ପୁରୁଷ ଓ ମହିଳାଙ୍କ ଠାରେ ହେଉଥିବା ସ୍ତନ କର୍କଟର ମୋଟ୍‌ ନୂଆ ମାମଲାରେ ଏହା ହେଉଛି ୧୩.୮ ପ୍ରତିଶତ। ଅନ୍ୟପକ୍ଷେ ଗର୍ଭାଶୟ କ୍ୟାନସର୍‌ ହେଉଛି ୯.୨ ପ୍ରତିଶତ।

    ମହିଳାଙ୍କ କ୍ଷେତ୍ରରେ ନୂଆ ମାମଲାର ପାଖାପାଖି ୩୦ ପ୍ରତିଶତ ହେଉଛି ସ୍ତନ କର୍କଟ। ସେହିଭଳି ମୋଟ କର୍କଟ ରୋଗ ମୃତ୍ୟୁର ୨୪ ପ୍ରତିଶତ ସ୍ତନ କର୍କଟ ପାଇଁ ହେଉଛି। ଏହାପରେ ନୂଆ‌ ମାମଲାର ୧୯ ପ୍ରତିଶତ ଗର୍ଭାଶୟ କ୍ୟାନସର ହେଉଥିବାବେଳେ ଏ କ୍ଷେତ୍ରରେ ମୃତ୍ୟୁ ୨୦ ପ୍ରତିଶତ ରହିଛି। ପୁରୁଷଙ୍କ ମଧ୍ୟରେ ସାଧାରଣରେ ଚିହ୍ନଟ ହେଉଥିବା କର୍କଟ ହେଉଛି ମୁଖ ଗହ୍ବର କର୍କଟ। ନୂ୍ଆ ମାମଲାରେ ଏହି କର୍କଟ ରୋଗୀଙ୍କ ସଂଖ୍ୟା ‌ହେଉଛି ୧୬ ପ୍ରତିଶତ। ଏହା ପଛକୁ ଶ୍ବାସନଳୀଜନିତ କର୍କଟରୋଗ ୮.୬ ପ୍ରତିଶତ ଏବଂ ଖାଦ୍ୟନଳୀରେ କର୍କଟ ରୋଗ ୬.୭ ପ୍ରତିଶତ ରହିଛି। ୭୦ ବର୍ଷରୁ ଊର୍ଦ୍ଧ୍ବ ଲୋକ ସର୍ବାଧିକ କର୍କଟ ରୋଗର ବୋଝ ବହନ କରୁଛନ୍ତି। ପ୍ରଜନନକ୍ଷମ ବୟସବର୍ଗ (୧୫ରୁ ୪୯ ବର୍ଷ) କ୍ଷେତ୍ରରେ ଦ୍ବିତୀୟ ସର୍ବାଧିକ ‌କର୍କଟ ରୋଗୀଙ୍କୁ ଦେଖିବାକୁ ମିଳୁଛି। ମୋଟ କର୍କଟ ରୋଗୀଙ୍କ ମୃତ୍ୟୁରେ ଏହି ବୟସ ବର୍ଗର ରୋଗୀଙ୍କ ମୃତ୍ୟୁ ସଂଖ୍ୟା ହେଉଛି ୨୦ ପ୍ରତିଶତ ବା ଏକ ପଞ୍ଚମାଂଶ ବୋଲି ରିପୋର୍ଟରୁ ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.3 ° C
    28.3 °
    28.3 °
    34 %
    1.1kmh
    71 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    43 °

    ସମ୍ବନ୍ଧିତ