Thursday, May 7, 2026
34.5 C
Odisha

    ‘ଅପରେସନ୍ ସିନ୍ଦୂର’ କୁ ପୁରିଲା ବର୍ଷେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :  ଆଜି ହେଉଛି ‘ଅପରେସନ୍ ସିନ୍ଦୂର’ର ପ୍ରଥମ ବାର୍ଷିକୀ । ଠିକ୍ ବର୍ଷେ ତଳେ ଆଜିର ଦିନରେ ଭାରତୀୟ ସେନା ଶତ୍ରୁ ଦେଶର ସୀମା ଭିତରକୁ ପଶି ଆତଙ୍କବାଦର ଆଉ ଏକ ନୂଆ ‘ରେଡ୍ ଲାଇନ୍’ ଟାଣିଥିଲା । ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ଏହା ଥିଲା ଏକ ଶକ୍ତ ଏବଂ ନିର୍ଭୁଲ୍ ପ୍ରତିଘାତ ।

    ୭ ମଇ ୨୦୨୫ । ଠିକ୍ ବର୍ଷେ ତଳେ, ଗର୍ଜିଥିଲା ଭାରତୀୟ ସେନା । ଜଳ ସ୍ଥଳ ଓ ଆକାଶରୁ ପରାକ୍ରମ ଦେଖାଇଲା ଭାରତ। ଥରି ଉଠିଥିଲା ପାକିସ୍ତାନ । ମାଟିରେ ମିଶି ଯାଇଥିଲା, ଆତଙ୍କୀ ଆଡା । ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ-କାଶ୍ମୀରର ପହଲଗାମରେ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ ର ଆତଙ୍କବାଦୀମାନେ ୨୬ ଜଣ ନିରୀହ ଲୋକଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା । ସୀମା ପାରିରୁ ଆସୁଥିବା ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଏବଂ ଆତଙ୍କବାଦୀଙ୍କ ଏହି ଦୁଃସାହସ ଭାରତ ପାଇଁ ଥିଲା ବଡ଼ ଆହ୍ୱାନ । ଆରମ୍ଭ ହୋଇଥିଲା ଅପରେସନ୍ ସିନ୍ଦୂର ।

    ଭାରତ ଇତିହାସରେ ପ୍ରଥମ କରି ସ୍ଥଳସେନା, ବାୟୁସେନା ଏବଂ ନୌସେନା ମଧ୍ୟରେ ଗଭୀର ସମନ୍ୱୟ ଦେଖିବାକୁ ମିଳିଥିଲା । ଯେତେବେଳେ ବାୟୁସେନା ଆକାଶମାର୍ଗରୁ ବୋମା ବର୍ଷଣ କରୁଥିଲା, ସେତେବେଳେ ନୌସେନା ଏବଂ ସ୍ଥଳସେନାର ମିସାଇଲ୍ ୟୁନିଟ୍ ଶତ୍ରୁର ସମସ୍ତ ଗତିବିଧିକୁ ଅଚଳ କରି ରଖିଥିଲେ । ଏହି ଅପରେସନ୍ ର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା, ଭାରତ କେବଳ ପିଓକେରେ ସୀମିତ ରହିନଥିଲା । ପାକିସ୍ତାନର ଅଭ୍ୟନ୍ତରରେ ଥିବା ମୁରିଦକେର LeT ମୁଖ୍ୟାଳୟ ଏବଂ ବାହାୱଲପୁର JeM ଗଡ଼ ଭଳି ସ୍ଥାନରେ ଥିବା ଆତଙ୍କୀ ଭିତ୍ତିଭୂମିକୁ ନିଶ୍ଚିହ୍ନ କରାଯାଇଥିଲା । ଅପରେସନ୍ ସିନ୍ଦୂରର ପ୍ରଥମ ପର୍ଯ୍ୟାୟ ମାତ୍ର ୨୨ ରୁ ୨୫ ମିନିଟ୍ ମଧ୍ୟରେ ଶେଷ ହୋଇଥିଲା । ଏହି ସ୍ୱଳ୍ପ ସମୟ ମଧ୍ୟରେ ଭାରତୀୟ ସେନା ଶତ୍ରୁପକ୍ଷକୁ ସଜାଗ ହେବାକୁ କୌଣସି ସୁଯୋଗ ନଦେଇ ୯ଟି ବଡ଼ ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରିଦେଇଥିଲା ।

    ଏହି ଅପରେସନ୍ ରେ ଭାରତ ନିଜର ସ୍ୱଦେଶୀ ଟେକ୍ନୋଲୋଜିର ଶକ୍ତି ଦେଖାଇଥିଲା । ଅତ୍ୟାଧୁନିକ ସାଟେଲାଇଟ୍ ଇମେଜେରୀ, ଇଲେକ୍ଟ୍ରୋନିକ ଓ୍ୱାରଫେୟାର ଏବଂ ନିର୍ଭୁଲ୍ ଲକ୍ଷ୍ୟଭେଦୀ ମିସାଇଲ୍ ବ୍ୟବହାର କରାଯାଇଥିଲା, ଯାହା ଶତ୍ରୁର ରାଡାର୍ କୁ ଚକମା ଦେବାରେ ସଫଳ ହୋଇଥିଲା । ଭାରତୀୟ ସେନା ନିର୍ଦ୍ଦେଶ ଦେଇଥିଲା ଯେ କୌଣସି ସାଧାରଣ ନାଗରିକ ବା ପାକିସ୍ତାନୀ ସାମରିକ ଘାଟିକୁ କ୍ଷତି ପହଞ୍ଚାଯିବ ନାହିଁ । କେବଳ ଆତଙ୍କବାଦୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ସେମାନଙ୍କ ଲଞ୍ଚ୍ ପ୍ୟାଡ୍ କୁ ଟାର୍ଗେଟ୍ କରାଯାଇଥିଲା, ଯାହା ବିଶ୍ୱ ଦରବାରରେ ଭାରତର ପେଶାଦାରିତାକୁ ପ୍ରମାଣିତ କରିଥିଲା ।

    ଅପରେସନ୍ ପରବର୍ତ୍ତୀ ଦିନଗୁଡ଼ିକରେ ପାକିସ୍ତାନ ଡ୍ରୋନ୍ ଏବଂ ଆର୍ଟିଲାରୀ ସାହାଯ୍ୟରେ ପାଲଟା ଜବାବ ଦେବାକୁ ଚେଷ୍ଟା କରିଥିଲା । କିନ୍ତୁ ଭାରତୀୟ ସେନାର ପ୍ରଚଣ୍ଡ ରୂପ ଦେଖି ସେମାନେ ୩ ଦିନ ମଧ୍ୟରେ ଯୁଦ୍ଧବିରତି ପାଇଁ ନିବେଦନ କରିଥିଲେ । ଏହି ଅପରେସନ୍ ମାଧ୍ୟମରେ ଭାରତ ବିଶ୍ୱକୁ ଜଣାଇଦେଲା ଯେ, ଆମେ ଏକ ଶାନ୍ତିପ୍ରିୟ ଦେଶ ହୋଇପାରୁ କିନ୍ତୁ ଦୁର୍ବଳ ନୁହେଁ । ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଶକ୍ତିମାନଙ୍କୁ ଭାରତ ଏବେ ସେମାନଙ୍କ ନିଜ ଘରେ ପଶି ଦଣ୍ଡ ଦେବାର ସାମର୍ଥ୍ୟ ରଖୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    38 %
    1.2kmh
    0 %
    Thu
    38 °
    Fri
    39 °
    Sat
    40 °
    Sun
    40 °
    Mon
    39 °

    ସମ୍ବନ୍ଧିତ