କାକଟପୁର: ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଭୀଷଣ ବର୍ଷା। ବୁଡ଼ିଲା ତଳି ଘେରା । ଆଗାମୀ ଚାଷବାସ ନେଇ ଚିନ୍ତାରେ ଚାଷୀକୂଳ । ଆଜି ପୂର୍ବାହ୍ଣ ୯ଟା ଠାରୁ ଅସ୍ତରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି । ଏଥିଯୋଗୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ତେବେ ବ୍ଲକର ବିଭିନ୍ନ ଚାଷଜମିରେ ତଳି ପକାଯାଇଥିବା ବେଳେ ବର୍ଷା ଯୋଗୁ ତଳିଘେରାରେ ପାଣି ମାଡ଼ିଯାଇଛି । ଫଳରେ ବିକଳ ହୋଇ ଚାଷୀମାନେ କଂସା ବାସନରେ ପାଣି ବାହାରକରୁଥିବା ଦେଖିବାକୁ ମିଳିଛି । ଯଦି ଏହିଭଳି ବର୍ଷା ଜାରି ରହେ, ତେବେ ପୁନର୍ବାର ତଳି ପକାଇବାକୁ ବିହନ ନଥିବା କହିଛନ୍ତି ଚାଷୀ । ଅସ୍ତରଙ୍ଗ ଅଞ୍ଚଳରେ ବର୍ଷାର ପ୍ରଭାବ ନେଇ ଅଧିକ ସୂଚନା ଦେଉଛନ୍ତି କାକଟପୁର ରିପୋର୍ଟର ଲୋକନାଥ ସ୍ବାଇଁ ।
ଅନ୍ୟପଟେ, ୨ ଦିନ ଧରି ଧୂଆଁଧାର ବର୍ଷା! । ରାଜ୍ୟରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ବିଭିନ୍ନ ପ୍ରାନ୍ତରେ ପ୍ରବଳ ବର୍ଷା, ଘଡ଼ଘଡ଼ି ଏବଂ ପ୍ରବଳ ପବନ ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିବାକୁ ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ୍ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
