Friday, August 28, 2026
28.2 C
Odisha

    ଆଜି ରେଭେନ୍ସା ଶିକ୍ଷକଙ୍କ ସାମୂହିକ ଛୁଟି, କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ଶିକ୍ଷକ

    ଆଗକୁ ପଢନ୍ତୁ

    କଟକ : ଆଜି ରେଭେନ୍ସା ଶିକ୍ଷକଙ୍କ ସାମୂହିକ ଛୁଟି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଅସନ୍ତୋଷ ପୁଣି ତୀବ୍ର ହୋଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (RUTA) ପକ୍ଷରୁ ଆଜି ସାମୂହିକ ଛୁଟି ବା Mass Casual Leave ପାଳନ କରାଯିବ । ଏହାସହ ସକାଳ ୧୦ଟାରୁ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକମାନେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବେ । ସାମୂହିକ କ୍ଷୋଭ ଓ ନିଜ ଦାବି ପ୍ରତି ଦୃଢ଼ ସଂକଳ୍ପର ପରିପ୍ରକାଶ ସ୍ୱରୂପ ଏହି ଆନ୍ଦୋଳନ କରିବେ । ରକ୍ଷାବନ୍ଧନ ଅବସରରେ ଶିକ୍ଷକମାନେ କଳା ବ୍ୟାଜ୍ ପିନ୍ଧି ନିଜର ଏକତା ଓ ପ୍ରତିବାଦ ଜାହିର କରିବେ। ରେଭେନ୍ସାରେ ଚଳିତ ମାସ ଆରମ୍ଭରୁ ଏହି ବିବାଦ ଲାଗି ରହିଛି । ଅଗଷ୍ଟ ୩ରେ ଇଷ୍ଟ ହଷ୍ଟେଲର ଛାତ୍ର ଆନ୍ଦୋଳନକୁ ନେଇ ହୋଇଥିବା ଆଲୋଚନା ବେଳେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ତତ୍କାଳୀନ ଚିଫ୍ ୱାର୍ଡେନ୍ ତଥା ବରିଷ୍ଠ ଅଧ୍ୟାପକ ପ୍ରଫେସର ସୁଦର୍ଶନ ମିଶ୍ରଙ୍କ ମଧ୍ୟରେ ବିବାଦ ହୋଇଥିଲା । RUTA ବିଧାୟକଙ୍କ ବିରୋଧରେ ଜଣେ ବରିଷ୍ଠ ଶିକ୍ଷକଙ୍କୁ ଅସମ୍ମାନ କରିବାର ଅଭିଯୋଗ ଆଣିଥିଲା ।

    ଅନ୍ୟପଟେ ବିଧାୟକ ମଧ୍ୟ ପ୍ରଫେସରଙ୍କ ବିରୋଧରେ ଅସମ୍ମାନଜନକ ବ୍ୟବହାରର ଅଭିଯୋଗ କରି ବିଧାନସଭା ବାଚସ୍ପତିଙ୍କୁ ପତ୍ର ଲେଖିଥିଲେ । ଏହାପରେ ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ ନିଜ ପ୍ରଶାସନିକ ଦାୟିତ୍ୱରୁ ସାମୂହିକ ଇସ୍ତଫା ଦେଇଥିଲେ। RUTA ମଧ୍ୟ କ୍ୟାମ୍ପସରେ ରାଲି କରି ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା, ଶିକ୍ଷକଙ୍କ ସମ୍ମାନ ଓ ପ୍ରଶାସନିକ ବ୍ୟବସ୍ଥାରେ ବାହ୍ୟ ହସ୍ତକ୍ଷେପ ନ ହେବା ଦାବି ଉଠାଇଥିଲା । ପରେ RUTA ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତିଙ୍କ ହସ୍ତକ୍ଷେପ ମଧ୍ୟ ଲୋଡ଼ିଥିଲା । ସାଂସଦ କିମ୍ବା ବିଧାୟକଙ୍କ ଭଳି ଜନପ୍ରତିନିଧିଙ୍କ ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ ଓ ଭୂମିକାକୁ ନେଇ ଏକ ସ୍ପଷ୍ଟ ପ୍ରାତିଷ୍ଠାନିକ ବ୍ୟବସ୍ଥା ରହିବା ଉଚିତ ବୋଲି ସଂଘ ଦାବି କରିଥିଲା । ଏହାପରେ ବିଶ୍ୱବିଦ୍ୟାଳୟର ୧୩ଟି ହଷ୍ଟେଲର ୱାର୍ଡେନ୍ ବ୍ୟବସ୍ଥାରେ ପରିବର୍ତ୍ତନକୁ ନେଇ RUTA ପୁଣି ଆପତ୍ତି ଉଠାଇଥିଲା । ଶିକ୍ଷକ ସଂଘ ସହ ଆଲୋଚନା ନକରି ୱାର୍ଡେନ୍ ଙ୍କୁ ବଦଳାଯାଇଥିବା ଅଭିଯୋଗ କରି ସଂଘ କୁଳପତି ଅର୍କ କୁମାର ଦାସ ମହାପାତ୍ରଙ୍କୁ ସ୍ମାରକପତ୍ର ଦେଇ ଏହି ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଥିଲା । ଏଥିସହ ଶିକ୍ଷକଙ୍କ ସମ୍ମାନ ଫେରାଇ ଆଣିବା ପାଇଁ ବିଶ୍ୱବିଦ୍ୟାଳୟ କି ପଦକ୍ଷେପ ନେଇଛି ତାହା ସାର୍ବଜନୀନ କରିବା ଏବଂ ଇଷ୍ଟ ହଷ୍ଟେଲ ଘଟଣାର ସମୀକ୍ଷା ପାଇଁ ମଧ୍ୟ ଦାବି ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    76 %
    3.9kmh
    53 %
    Fri
    30 °
    Sat
    30 °
    Sun
    27 °
    Mon
    27 °
    Tue
    23 °

    ସମ୍ବନ୍ଧିତ