ହିମାଚଳ ପ୍ରଦେଶ : ଆଜି ସକାଳୁ ସକାଳୁ ଦେଶର ଦୁଇଟି ଭିନ୍ନ ରାଜ୍ୟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ହିମାଚଳ ପ୍ରଦେଶର ଚମ୍ବା ଏବଂ ତେଲେଙ୍ଗାନାର ନାରାୟଣପେଟରେ ଭୂମିକମ୍ପ ହୋଇଥିବା ଜଣାପଡିଛି । କିନ୍ତୁ ଏଥିରେ କୌଣସି ଜୀବନହାନି କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ମିଳିନାହିଁ ।
ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଉଭୟ ସ୍ଥାନରେ ହୋଇଥିବା ଭୂମିକମ୍ପର ତୀବ୍ରତା ୩.୨ ଏବଂ ୨.୫ ଥିବା ରିକ୍ଟର ସ୍କେଲରେ ମପାଯାଇ ରେକର୍ଡ କରାଯାଇଛି । ଭୂମିକମ୍ପର ତୀବ୍ରତା କମ୍ ଥିବାରୁ ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ କ୍ଷୟକ୍ଷତିର ସୂଚନା ମିଳିନାହିଁ । NCS ସୂଚନା ଅନୁସାରେ, ତେଲେଙ୍ଗାନାର ନାରାୟଣପେଟରେ ସକାଳ ୬ଟା ୧୬ ମିନିଟ୍ ୪୬ ସେକେଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୨.୫ ଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୫ କିଲୋମିଟର ଗଭୀରତାରେ ଥିଲା । ଯାହାର କେନ୍ଦ୍ର ୧୬.୪୫୨ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୭.୪୧୪ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଥିଲା । ସେହିପରି, ହିମାଚଳ ପ୍ରଦେଶର ଚମ୍ବାରେ ସକାଳ ୬ଟା ୫୯ ମିନିଟ୍ ୪୬ ସେକେଣ୍ଡରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଥିଲା । ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୫ କିଲୋମିଟର ଗଭୀରତାରେ ଥିଲା । ଏହାର କେନ୍ଦ୍ର ୩୨.୭୧୯ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୬.୧୨୩ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଥିଲା । ତେବେ ଏହି ଦୁଇଟି ଭୂମିକମ୍ପ ଯୋଗୁଁ କୌଣସି ଜୀବନହାନି, ଆହତ କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ ।
