ଭାରତୀୟ ଭୋଜନର ଏକ ପ୍ରମୁଖ ଖାଦ୍ୟ ରୁଟି । ସାଧାରଣତଃ ରାତ୍ରିଭୋଜନରେ ସମସ୍ତେ ରୁଟି ଖାଇବା ପସନ୍ଦ କରନ୍ତି । ବେଳେବେଳେ ରାତିରେ ଅଧିକ ରୁଟି ତିଆରି ହୋଇଗଲେ ବଳକା ରହିଯାଏ । ବେଳେବେଳେ କିଛି ରୁଟି ସକାଳକୁ ବଞ୍ଚିଯାଇଥାଏ । କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଫିଙ୍ଗି ଦେଇଥାଆନ୍ତି ନଚେତ୍ ପଶୁପକ୍ଷୀଙ୍କୁ ଦେଇଦିଅନ୍ତି ।
କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ସଦୃଶ ହୋଇଥାଏ । ଏହାର ବ୍ୟବହାର ଅନେକ ସ୍ୱାସ୍ଥ୍ୟ ଉପକାରିତା ପ୍ରଦାନ କରିଥାଏ । ଯଦି ଆପଣ ମଧ୍ୟ ବାସି ରୁଟି ଫିଙ୍ଗି ଦିଅନ୍ତି, ତେବେ ବର୍ତ୍ତମାନ ସାବଧାନ ରୁହନ୍ତୁ । କାରଣ ଆଜି ଆମେ ଆପଣଙ୍କୁ ବାସି ରୁଟି ଖାଇବାର ଏଭଳି ଲାଭ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ରାତିରେ କିଛି ଅଧିକ ରୁଟି କରିବେ । ତେବେ ଆସନ୍ତୁ ବାସି ରୁଟି ଖାଇବାର ଲାଭ ବିଷୟରେ ଜାଣିବା ।
ବାସି ରୁଟି ଖାଇବାର ଉପକାରିତା:
ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ: ବାସି ରୁଟିରେ ଫାଇବରର ପରିମାଣ ଅଧିକ ରହିଥାଏ । ରାତିସାରା ରଖିବା ଦ୍ୱାରା ଏଥିରେ ପ୍ରତିରୋଧକ ଷ୍ଟାର୍ଚ ବିକଶିତ ହୁଏ, ଯାହା ପେଟର ଭଲ ବ୍ୟାକ୍ଟେରିଆ ଅର୍ଥାତ ପ୍ରିବାୟୋଟିକ୍ସକୁ ପୋଷଣ ଯୋଗାଇଥାଏ । ଏହା ହଜମ ପ୍ରକ୍ରିୟାକୁ ମଜବୁତ କରିବା ସହ କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ଏସିଡ଼ିଟି ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।
ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରେ: ତାଜା ରୁଟି ତୁଳନାରେ ବାସି ରୁଟିର ଗ୍ଲାଇସେମିକ୍ ଇଣ୍ଡେକ୍ସ ହ୍ରାସ ପାଇଥାଏ । ପ୍ରତିରୋଧକ ଷ୍ଟାର୍ଚ କାରଣରୁ, ଏହା ରକ୍ତରେ ଗ୍ଲୁକୋଜ୍ ଧୀରେ ଧୀରେ ଛାଡ଼ିଥାଏ, ଯାହା ବ୍ଲଡ୍ ସୁଗାର ବୃଦ୍ଧି ହେବାର ସମ୍ଭାବନା ହ୍ରାସ କରେ । ଏହା ଡାଇବେଟିସ ରୋଗୀଙ୍କ ପାଇଁ ଖୁବ ଲାଭଦାୟକ ହୋଇଥାଏ ।
ଶରୀରକୁ ଥଣ୍ଡା ରଖେ: ଆୟୁର୍ବେଦ ଅନୁସାରେ ସକାଳେ ଥଣ୍ଡା କ୍ଷୀର କିମ୍ବା ଦହି ସହିତ ବାସି ରୁଟି ଖାଇବା ଦ୍ୱାରା ଶରୀରର ଉତ୍ତାପ କମିଯାଏ ଏବଂ ଶରୀର ଥଣ୍ଡା ରହିଥାଏ । ଗ୍ରୀଷ୍ମ ଋତୁରେ ଏହା ବିଶେଷ ଭାବରେ ଲାଭଦାୟକ ବୋଲି ବିବେଚନା କରାଯାଏ ।
ଓଜନ ହ୍ରାସ କରେ: ପ୍ରତିରୋଧୀ ଷ୍ଟାର୍ଚ ଏବଂ ଫାଇବର କାରଣରୁ, ବାସି ରୁଟି ଖାଇବା ଦ୍ୱାରା ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଭବ କରିପାରନ୍ତି, ଯାହା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ ।
ଆଇରନ ଅଭାବ ପୂରଣ କରେ: ବାସି ରୁଟିରେ ପ୍ରଚୁର ମାତ୍ରାରେ ଆଇରନ ଥାଏ, ଯାହା ଶରୀରରେ ରକ୍ତ ଅଭାବ ପୂରଣ କରିପାରେ । ଏଥିରେ କ୍ୟାଲେସିୟମ ଥିବାରୁ ହାଡ ଓ ଦାନ୍ତ ମଜଭୁତ କରିବାରେ ମଧ୍ୟ ସହାୟକ ହୋଇପାରେ । ସେହିପରି ବାସି ରୁଟି କାର୍ବୋହାଇଡ୍ରେଟର ଏକ ପାୱାରହାଉସ୍ ଅଟେ, ଯାହା ଆପଣଙ୍କୁ ସାରା ଦିନ ଆକ୍ଟିଭ ରଖିବା ପାଇଁ ଆବଶ୍ୟକ ଶକ୍ତି ଯୋଗାଇବାରେ ସାହାଯ୍ୟ କରେ ।
ତେଣୁ ରାତିରେ ବଳିଯାଇଥିବା ରୁଟିକୁ ସିଧାସଳଖ ଫିଙ୍ଗିବା ପୂର୍ବରୁ ଏହାକୁ ସୁରକ୍ଷିତ ଭାବରେ ସଂରକ୍ଷଣ କରି ପରଦିନ ଖାଇପାରିବେ । ଯାହା ଆପଣଙ୍କୁ ବିଶେଷ ଲାଭ ପ୍ରଦାନ କରିବ । ସୁସ୍ଥ ରହିବା ପାଇଁ ସନ୍ତୁଳିତ ଖାଦ୍ୟ ଓ ସୁରକ୍ଷିତ ଖାଦ୍ୟ ଅଭ୍ୟାସକୁ ଆପଣଙ୍କ ଡାଏଟ ପ୍ଲାନରେ ନିଶ୍ଚିତ ସାମିଲ କରନ୍ତୁ ।
