Tuesday, April 14, 2026
40.9 C
Odisha

    ଏବେ କମିବ ପିଲାଙ୍କ ବସ୍ତାନି ବୋଝ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ଦେଢ଼ କେଜିରୁ ୫ କେଜି ମଧ୍ୟରେ ରହିବ। ଏହାଠାରୁ ଅଧିକ ହେଲେ ସମ୍ପୃକ୍ତ ବିଦ୍ୟାଳୟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୨୦୧୯ରେ ରାଜ୍ୟ ସରକାର ଏନେଇ ନିର୍ଦେଶାବଳୀ ଜାରି କରିଥିଲେ। ଏହାକୁ ଏବେ ପାଳନ କରାଯାଉନି। ସ୍କୁଲ ବ୍ୟାଗ୍‌ ନୀତି ମଧ୍ୟ ଅନୁପାଳନ ହେଉନଥିବାରୁ ଅଯଥାରେ ପିଲା କାନ୍ଧରେ ବସ୍ତାନି ବୋଝ ବୋହି ବିଦ୍ୟାଳୟ ଯାଉଛନ୍ତି। ଏବେ ପୁଣିଥରେ ପିଲାଙ୍କ ବସ୍ତାନି ବୋଝ କମାଇବାକୁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ୨୦୧୯ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦେଶାବଳୀକୁ କାର୍ଯ୍ୟକାରୀ କରିବାକୁ ଓସେପା ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟରେ ଉକ୍ତ ନିର୍ଦେଶାବଳୀର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ସହ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ବିବରଣୀ (ଏଟିଆର) ପ୍ରଦାନ କରିବାକୁ କୁହାଯାଇଛି।
    ସୂଚନା ଅନୁସାରେ, ୨୦୧୯ ମସିହା ମାର୍ଚ୍ଚ ମାସରେ ପିଲାଙ୍କ ବସ୍ତାନି ଓଜନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଥିଲା। ଏହି ନିୟମ ଅନୁସାରେ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌ର ଓଜନ ୧.୫ କେଜିରୁ ଅଧିକ ହେବ ନାହିଁ। ୩ୟରୁ ୫ମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ୨ରୁ ୩ କିଲୋ ମଧ୍ୟରେ ରହିବ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ହୋମୱାର୍କ ଦିଆଯିବ ନାହିଁ। ବିଦ୍ୟାଳୟରେ ପାନୀୟ ଜଳ ସୁବିଧା କରାଯିବ। ଫଳରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଘରୁ ପାଣି ବୋତଲ ଆଣିବାକୁ ପଡ଼ିବନି। ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ୪ କେଜି, ୮ମ ଓ ୯ମ ପିଲାଙ୍କ ବ୍ୟାଗର ଓଜନ ସାଢ଼େ ୪ କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୫ କେଜିରୁ ଅଧିକ ହେବ ନାହିଁ ବୋଲି କୁହାଯାଇଥିଲା। ଏଥିସହ ଷ୍ଟେଟ୍‌ କାଉନ୍‌ସିଲ୍‌ ଅଫ୍‌ ଏଜୁକେସନାଲ୍‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏସ୍‌ସିଇଆର୍‌ଟି) କିମ୍ବା ବିଏସ୍‌ଇ ଏବଂ ନ୍ୟାସ୍‌ନାଲ୍‌ କାଉନସିଲ୍‌ ଅଫ୍‌ ଏଜୁକେସନାଲ୍‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଇଆର୍‌ଟି) ଦ୍ୱାରା ଯେଉଁ ଶ୍ରେଣୀ ପାଇଁ ଯେତିକି ପାଠ୍ୟପୁସ୍ତକ ଧାର୍ଯ୍ୟ କରାଯାଇଥିବ, ପିଲାମାନେ ସେତିକି ବହି ଆଣିବେ। କର୍ତ୍ତୃପକ୍ଷ ଏହାଠାରୁ ଅଧିକ ବହି ତଥା ଅନ୍ୟ ବହି ଆଣିବାକୁ ପିଲାଙ୍କୁ କହିପାରିବେ ନାହିଁ। ଅଭିଭାବକ ରୁଟିନ୍‌ ଅନୁସାରେ ବହି ଦେବେ। ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିଦିନ ପିଲାର ବ୍ୟାଗ୍‌ ଓଜନ ତଦାରଖ କରିବେ ବୋଲି କୁହାଯାଇଥିଲା। ସ୍କୁଲ ବ୍ୟାଗ୍‌ ନୀତି ଅନୁଯାୟୀ, ପିଲାଙ୍କ ଓଜନଠାରୁ ସ୍କୁଲ ବ୍ୟାଗ୍‌ର ଓଜନ ୧୦%ରୁ କମ୍‌ ରହିବ। ଅର୍ଥାତ୍‌ ଯଦି ଜଣେ ଛାତ୍ରଙ୍କ ଓଜନ ୨୦ କେଜି ହୋଇଥାଏ ତେବେ ସେ ଦୁଇ କେଜିର ବ୍ୟାଗ୍‌ ଆଣି ବିଦ୍ୟାଳୟକୁ ଆସିବେ। କାନ୍ଧରେ ଏହାଠାରୁ ଅଧିକ ଓଜନର ବ୍ୟାଗ୍‌ ପକାଇ ସ୍କୁଲ ଆସିବେ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍‌ ଆଣିଥିବେ ତେବେ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଜଣାଇବେ। ପ୍ରତି ୩ ମାସରେ ଥରେ ଗୋଟିଏ ଦିନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍‌ର ଓଜନ ଯାଞ୍ଚ କରାଯିବ। କେଉଁ ଶ୍ରେଣୀର କେତେ ଓଜନର ପିଲା କେତେ ଓଜନର ବ୍ୟାଗ୍‌ ଧରି ଆସିବେ ସେନେଇ ପ୍ରତି ବିଦ୍ୟାଳୟ ଟେବୁଲ୍‌ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ତେବେ ଯାଞ୍ଚ କିମ୍ବା କାର୍ଯ୍ୟାନୁଷ୍ଠାନ ଅଭାବରୁ ପିଲାଙ୍କ ବ୍ୟାଗ୍‌ ଓଜନ ଦିନକୁ ଦିନ ବଢ଼ି ଚାଲିଛି। ସୂଚନାଯୋଗ୍ୟ ଯେ, ଜାତୀୟ ଶିକ୍ଷାନୀତି ୨୦୨୦ରେ ସ୍କୁଲ ବ୍ୟାଗ୍‌ର ଓଜନ ହ୍ରାସ ପାଇଁ ବ୍ୟବସ୍ଥା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.9 ° C
    40.9 °
    40.9 °
    12 %
    4.2kmh
    0 %
    Tue
    41 °
    Wed
    43 °
    Thu
    44 °
    Fri
    44 °
    Sat
    43 °

    ସମ୍ବନ୍ଧିତ