ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜରଡ଼ାରେ କଲରାପତରିଆ ବାଘ ଚମଡ଼ା ଚୋରାଚାଲାଣ । ତଦନ୍ତ କରିବ ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’ । ବାଘ ଚମଡ଼ା କାରବାର ପଛରେ ରହିଛି ବଡ଼ ରାକେଟ୍ । କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ସେଲକୁ ତଦନ୍ତ ହସ୍ତାନ୍ତର ପାଇଁ ସୁପାରିଶ କରିଛନ୍ତି ବ୍ରହ୍ମପୁର ଏସପି । ଏନେଇ ସିଆଇଡି କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି ଲେଖି ଜଣାଛନ୍ତି ।
ଗତ ୬ ତାରିଖରେ ତୁମ୍ବା ଫାଣ୍ଡି ବୁରାତାଲ ଜଙ୍ଗଲରେ କଲରାପତରିଆ ବାଘ ଚମଡ଼ା କାରବାର ହେଉଥିବା ଗୁପ୍ତ ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା । ଜଙ୍ଗଲରୁ ଦୁଇ ଜଣଙ୍କୁ ଗିରଫ କରିବା ସହ ଦୁଇଟି ବସ୍ତା ଜବତ କରିଥିଲା ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘର ଚମଡ଼ା, ଦୁଇଟି ଜୀବନ୍ତ ହାତବୋମା ଓ ଗୋଟିଏ ଖଣ୍ଡା ଜବତ ହୋଇଥିଲା । କଲରାପତରିଆ ବାଘ ଭଳି ସଂରକ୍ଷିତ ବନ୍ୟଜନ୍ତୁର ଅବୈଧ ବ୍ୟବସାୟ, ବିସ୍ଫୋରକ ଓ ଅସ୍ତ୍ରର ବ୍ୟବହାର ଓ ସମ୍ଭାବ୍ୟ ଆନ୍ତଃଜିଲ୍ଲା ଚୋରାଚାଲାଣ ନେଟୱାର୍କର ଲିଙ୍କ୍ କୁ ଦୃଷ୍ଟିରେ ରଖି ମାମଲାକୁ କ୍ରାଇମବ୍ରାଞ୍ଚର ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’କୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରାଯାଇଛି ।
ବନ୍ୟଜନ୍ତୁ ଚୋରାଚାଲାଣ ଓ ଶିକାର ପଛରେ ବଡ଼ ରାକେଟ୍ କାମ କରୁଥିବା ସନ୍ଦେହ ହେଉଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ତଦନ୍ତ ଦାୟିତ୍ୱ ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’ ହାତକୁ ଗଲେ ଚୋରାଚାଲାଣ ନେଟୱାର୍କର ଅନ୍ୟ ସଦସ୍ୟ, କ୍ରେତା, ମଧ୍ୟସ୍ଥ ଓ ଆର୍ଥିକ କାରବାରର ଗୁପ୍ତ ଲିଙ୍କ୍ ଗୁଡ଼ିକ ଉପରୁ ମଧ୍ୟ ପରଦା ଉଠିବ । ବନ୍ୟଜନ୍ତୁ ଅପରାଧ ବିରୋଧୀ ଅଭିଯାନରେ ତଦନ୍ତ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିପାରେ ବୋଲି ବନ ବିଭାଗ ଓ ତଦନ୍ତକାରୀ ସଂସ୍ଥା ଆଶା ରଖିଛନ୍ତି ।
