ଭୁବନେଶ୍ୱର : ମଉଳିଲା ଲଘୁଚାପ ଆଶଙ୍କା । ଦଶହରା ସମୟରେ ରାଜ୍ୟରେ ବଡ଼ଧରଣର ବର୍ଷା ହେବା ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା ତାହା ଏବେ ହ୍ରାସ ପାଇଛି । ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇପଡ଼ିଥିବାରୁ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା କମିଛି । ଫଳରେ ଦଶହରା ପୂଜା ଓ ଉତ୍ସବ ପାଳନ ଉପରେ ବଡ଼ ଧରଣର ବର୍ଷାର ପ୍ରଭାବ ପଡ଼ିବା ଆଶଙ୍କା ହ୍ରାସ ପାଇଛି ।
ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ଅକ୍ଟୋବର ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦର୍ଶାଇଥିଲା । ତେବେ ଆଣ୍ଡାମାନ ସାଗର ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଆଉ ସକ୍ରିୟ ନଥିବାରୁ ସେହି ଆଶଙ୍କା କମିଥିବା ସୂଚନା ମିଳିଛି । କିନ୍ତୁ ଲଘୁଚାପ ଆଶଙ୍କା କମିଥିଲେ ମଧ୍ୟ ରାଜ୍ୟରେ ବର୍ଷା ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ । ପୂର୍ବାଳି ବାୟୁ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ବର୍ଷା ଜାରି ରହିଛି । ବିଶେଷକରି ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ଝିପିଝିପି ବର୍ଷା ହେଉଛି ।
ଆଗାମୀ ତିନି ଦିନ ପର୍ଯ୍ୟନ୍ତ ମଧ୍ୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଅକ୍ଟୋବର ୧୪ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି ।
ସେହିପରି ଅକ୍ଟୋବର ୧୫ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ଓ ଝଟକା ପବନର ଆଶଙ୍କା ରହିଛି । ଏହି ୫ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଘଡ଼ଘଡ଼ି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିପାରେ। ଅନ୍ୟପକ୍ଷରେ ରାଜ୍ୟରୁ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରୁଛି । ଆଗାମୀ ଦୁଇ ଦିନ ମଧ୍ୟରେ ଦେଶର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ବାୟୁ ଫେରିବା ପାଇଁ ପାଗ ଅନୁକୂଳ ରହିଛି ।
ଏହା ସହିତ ଦକ୍ଷିଣ ଭାରତରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ନୂଆ ଲଘୁଚାପ ଆଶଙ୍କା ହ୍ରାସ ପାଇବା ଦଶହରା ପୂଜା ଆୟୋଜକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆଶ୍ୱସ୍ତିର ଖବର । ତେବେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଏବଂ ବଜ୍ରପାତର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
