ଉତ୍ତରପ୍ରଦେଶ : ବାୟୁସେନାର ଦୁଃସାହସିକ ରେସକ୍ୟୁ । ପାଣି ଟାଙ୍କି ଉପରୁ ୨ ଜଣଙ୍କୁ ବଞ୍ଚାଇଲା ବାୟୁସେନା । ପାଣି ଟାଙ୍କି ଉପରେ ଫସିଥିବା ଦୁଇଜଣ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ବାୟୁସେନାର Mi-17 V5 ହେଲିକପ୍ଟର । ଭାରତୀୟ ବାୟୁସେନା କେବଳ ଦେଶର ଆକାଶମାର୍ଗକୁ ସୁରକ୍ଷା ଦିଏନାହିଁ, ବରଂ ବିପତ୍ତି ସମୟରେ ସାଧାରଣ ଜନତାଙ୍କ ପାଇଁ ଦେବଦୂତ ସାଜିଥାଏ । ଯାହା ଏବେ ପ୍ରମାଣିତ ହୋଇଛି ।
ସୂଚନାନୁଯାୟୀ, ନିକଟରେ ଗୋରଖପୁରର ସିଦ୍ଧାର୍ଥ ନଗରରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଦୁଇଜଣଙ୍କୁ ଖେଳୁ ଖେଳୁ ଏକ ବିଶାଳ ପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ, ଟାଙ୍କିର ସିଡ଼ିଟି ଭାଙ୍ଗି ଯାଇଥିବାରୁ ସେମାନେ ତଳକୁ ଓହ୍ଲାଇ ପାରିନଥିଲେ । ରାତିର ଅନ୍ଧାର ବଢ଼ିବା ସହ ଶିଶୁ ଦୁଇଟିଙ୍କ ଜୀବନ ପ୍ରତି ବିପଦ ମଧ୍ୟ ବଢ଼ିବାରେ ଲାଗିଥିଲା । ସ୍ଥାନୀୟ ପ୍ରଶାସନ ସମସ୍ତ ଚେଷ୍ଟା କରି ବିଫଳ ହେବା ପରେ ଉତ୍ତରପ୍ରଦେଶ ସରକାର ବାୟୁସେନାର ସହାୟତା ଲୋଡ଼ିଥିଲେ । ଖବର ପାଇ Mi-17 V5 ହେଲିକପ୍ଟରକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । ଅନ୍ଧାର ଏବଂ ସୀମିତ ସ୍ଥାନରେ ହେଲିକପ୍ଟରକୁ ନିୟନ୍ତ୍ରଣ କରି ପିଲାଙ୍କୁ ଉଦ୍ଧାର କରିବା ଏକ ବଡ଼ ଆହ୍ୱାନ ଥିଲା ।
ତଥାପି, ବାୟୁସେନାର ଦକ୍ଷ ପାଇଲଟ୍ ଏବଂ କ୍ରୁ ସଦସ୍ୟମାନେ ଅତ୍ୟନ୍ତ ସାହସିକତାର ସହ ମିଶନଟିକୁ ପରିଚାଳନା କରି ଦୁଇ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । Mi-17 V5 ହେଲିକପ୍ଟରର ବ୍ୟବହାର କରି ପିଲାମାନଙ୍କୁ କୌଣସି ଆଘାତ ଲାଗିନଥିଲା । ବିପଦ ସଙ୍କେତ ମିଳିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ବାୟୁସେନା କାର୍ଯ୍ୟକ୍ଷମ ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଏହିଭଳି ଜରୁରୀକାଳୀନ ପରିସ୍ଥିତି, ବାୟୁସେନା ସର୍ବଦା “Aid to Civil Authority” ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଏହି ସଫଳ ଉଦ୍ଧାର କାର୍ଯ୍ୟ ପାଇଁ ସାରା ଦେଶରୁ ବାୟୁସେନାକୁ ପ୍ରଶଂସାର ସୁଅ ଛୁଟିଛି ।
