ଭାରତ ଗସ୍ତ ସମୟରେ ରୁବିଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଅଧିକ ମଜଭୁତ କରିବା, ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିବା ସହ ଶକ୍ତି କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ଫୋକସ୍ ରହିବ। ଏହାସହ ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଆର୍ଥିକ ସହଯୋଗର ନୂଆ ସମ୍ଭାବନା ନେଇ ବ୍ୟବସାୟୀଙ୍କ ସହ ମଧ୍ୟ ଆଲୋଚନା କରିବେ। ଅନ୍ୟପଟେ, ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ସୂଚନା ପ୍ରଯୁକ୍ତି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଢ଼ୁଥିବା ସହଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ନିକଟରେ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଛି।  ତେବେ ଭିସା ନୀତିକୁ ନେଇ ରହିଥିବା ଅସନ୍ତୋଷ ମଧ୍ୟରେ ରୁବିଓଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱ ବହନ କରୁଛି। ଏହି ଆଲୋଚନା ଦୁଇ ଦେଶର ସମ୍ପର୍କକୁ କେତେ ନୂଆ ଦିଗ ଦେବ ଏବଂ ଆର୍ଥିକ ସହଯୋଗକୁ କେତେ ଆଗକୁ ନେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।