Wednesday, October 14, 2026
28.3 C
Odisha

    ରାଜ୍ୟ କ୍ୟାବିନେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ, ଦକ୍ଷତା ବିକାଶ ଯୋଜନା ପାଇଁ ୪୫୦ କୋଟି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  ରାଜ୍ୟ କ୍ୟାବିନେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ । କ୍ୟାବିନେଟ୍ ବୈଠକରେ ଯୁବକଯୁବତୀଙ୍କ ଦକ୍ଷତା ବିକାଶ, ସହରାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି, ମତ୍ସ୍ୟଜୀବୀଙ୍କ ଜୀବିକା, ମହାନଦୀ କୂଳର ସୌନ୍ଦର୍ଯ୍ୟକରଣ ଏବଂ ସରକାରୀ ଡିଜିଟାଲ୍ ସେବାର ସୁରକ୍ଷା ସମ୍ପର୍କିତ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାରଙ୍କ ନୂଆ ‘ଦକ୍ଷତା ବିକାଶ ଯୋଜନା’ ପାଇଁ ୪୫୦ କୋଟି ଟଙ୍କା ମଞ୍ଜୁର ହୋଇଛି ।

    ୨୦୨୬-୨୭ରୁ ୨୦୨୮-୨୯ ମଧ୍ୟରେ ରାଜ୍ୟର ୪ ଲକ୍ଷ ୨୦ ହଜାର ଯୁବକଯୁବତୀଙ୍କୁ ଦକ୍ଷତା ତାଲିମ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଶିଳ୍ପ ସଂସ୍ଥାଗୁଡ଼ିକର ଆବଶ୍ୟକତା ଅନୁସାରେ ତାଲିମ ସହ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ, କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ ସାଇବର ସୁରକ୍ଷା ଭଳି ଆଧୁନିକ ବୈଷୟିକ କ୍ଷେତ୍ରରେ ତାଲିମ ଦିଆଯିବ । ବିଦେଶରେ ନିଯୁକ୍ତି ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯିବ । ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ସ୍କିଲ୍ ହବ୍ ପ୍ରତିଷ୍ଠା ସହ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ କାର୍ଯ୍ୟକ୍ରମ ଜାରି ରହିବ। ବର୍ଷାଦିନେ ସହରାଞ୍ଚଳରେ ସୃଷ୍ଟି ହେଉଥିବା ଜଳବନ୍ଦୀ ଓ କୃତ୍ରିମ ବନ୍ୟା ସମସ୍ୟାର ସମାଧାନ ପାଇଁ ୫୦୦ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରି ମିଳିଛି । ଆଗାମୀ ୫ ବର୍ଷ ମଧ୍ୟରେ ପୌରାଞ୍ଚଳ ଓ ବ୍ଲକ୍ ମୁଖ୍ୟାଳୟରେ ଡ୍ରେନେଜ୍ ବ୍ୟବସ୍ଥାର ଉନ୍ନତି କରାଯିବ । ପୁରୁଣା ନାଳରୁ ପଙ୍କ ଉଦ୍ଧାର, ନୂଆ ଡ୍ରେନ୍ ନିର୍ମାଣ ଏବଂ ପ୍ରାକୃତିକ ଜଳ ନିଷ୍କାସନ ପଥର ପୁନରୁଦ୍ଧାର କରାଯିବ । ପୁରୀ ଜିଲ୍ଲା ଅସ୍ତରଙ୍ଗରେ ମତ୍ସ୍ୟ ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୧୩୩ କୋଟି ୮୧ ଲକ୍ଷ ଟଙ୍କାର ଆର୍ଥିକ ବିଡ୍ କୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପରେ ୧ ହଜାର ୯୬୦ଟି ମାଛଧରା ଡଙ୍ଗା ରହିବାର ସୁବିଧା ହେବ ।

    ବାର୍ଷିକ ପ୍ରାୟ ୫୫ ହଜାର ୮୭୬ ମେଟ୍ରିକ୍ ଟନ୍ ମାଛ ପରିଚାଳନାର କ୍ଷମତା ରହିବ । ଏହାଦ୍ୱାରା ପ୍ରାୟ ୩୫ ହଜାର ମତ୍ସ୍ୟଜୀବୀ ଉପକୃତ ହେବେ । ମାଛ ଧରାଯିବା ପରେ ହେଉଥିବା କ୍ଷୟକ୍ଷତି ହ୍ରାସ କରିବା ମଧ୍ୟ ପ୍ରକଳ୍ପର ଅନ୍ୟତମ ଲକ୍ଷ୍ୟ । କଟକରେ ମହାନଦୀ ୱାଟରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏଥିପାଇଁ ଜିଏସଟି ବ୍ୟତୀତ ୧୩୩ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ହେବ । ମହାନଦୀ କୂଳରେ ଚଲାପଥ, ସର୍ବସାଧାରଣଙ୍କ ପାଇଁ ଖୋଲା ସ୍ଥାନ, ମୁକ୍ତାକାଶ ରଙ୍ଗମଞ୍ଚ ଓ ସବୁଜିମା ବିକାଶ କରାଯିବ। ୨୦୨୮ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରହିଛି  ।

    ସରକାରୀ ଡିଜିଟାଲ୍ ସେବାକୁ ଅଧିକ ସୁରକ୍ଷିତ ଓ ନିରବଚ୍ଛିନ୍ନ ପାଇଁ କେନ୍ଦୁଝରରେ ଡିଜାଷ୍ଟର ରିକଭରି-କମ୍-ଡାଟା ସେଣ୍ଟର ସ୍ଥାପନ ହେବ । ଏଥିପାଇଁ ୧୭୬ କୋଟି ୮୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ବିପର୍ଯ୍ୟୟ କିମ୍ବା ବୈଷୟିକ ସମସ୍ୟା ସମୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ ଡିଜିଟାଲ୍ ସେବା ଚାଲୁ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟ କ୍ରିଷ୍ଟାଲ୍ ଇଣ୍ଟିଗ୍ରେଟେଡ୍ ସର୍ଭିସେସ୍ ଲିମିଟେଡକୁ ଦିଆଯାଇଛି । ଏହାଛଡ଼ା ଶିଳ୍ପ ନୀତି ସଂକଳ୍ପ ୨୦୨୨ରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । କମ୍ପାନୀଗୁଡ଼ିକର ମିଶ୍ରଣ, ଏକୀକରଣ ଓ ବିଭାଜନ କ୍ଷେତ୍ରରେ ଷ୍ଟାମ୍ପ ଡ୍ୟୁଟିକୁ ଯୁକ୍ତିସଙ୍ଗତ କରାଯିବ । ଏହାଦ୍ୱାରା ଶିଳ୍ପ ପୁନର୍ଗଠନ ପ୍ରକ୍ରିୟା ସହଜ ହେବା ସହ ରୁଗ୍ଣ ଶିଳ୍ପ ସଂସ୍ଥାଗୁଡ଼ିକର ପୁନରୁଦ୍ଧାରକୁ ସହାୟତା ମିଳିବ ବୋଲି ଆଶା କରାଯାଉଛି ।

    ରାଜ୍ୟ କ୍ୟାବିନେଟ OSCMF ଏବଂ OSSC ପାଇଁ କର୍ପସ ପାଣ୍ଠି ଯୋଜନାକୁ ଅନୁମୋଦନ କରିଛନ୍ତି । ଆଗାମୀ ୪ବର୍ଷ ପାଇଁ ଅନୁମୋଦନ ହୋଇଥିବା ଏହି ଯୋଜନାରେ ୧୩୬୦କୋଟିର ବ୍ୟୟବରାଦ ହୋଇଛି । OSCMF ପାଇଁ ୯୬୦ କୋଟି ଏବଂ OSSC ପାଇଁ ୪ଶହ କୋଟିର ବ୍ୟୟବରାଦ ହୋଇଛି । ଉନ୍ନତମାନର ସାର ଓ ବିହନ ଉପଲବଧତା, ଏହାର ସମାନ ବଣ୍ଟନ ଓ କୃଷକମାନଙ୍କ ସମସ୍ତ ଆବଶ୍ୟକତାକୁ ସୁଲଭ ମୂଲ୍ୟରେ ପୂରଣ ଏହି ଯୋଜନାର ଉଦ୍ଦେଶ୍ୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    70 %
    2.5kmh
    41 %
    Wed
    28 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ