Sunday, October 11, 2026
22.8 C
Odisha

    ରେଳ ଧାରଣାରେ ‌ରିଲ୍‌ସ କଲେ ଜେଲ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଚଳନ୍ତା ଟ୍ରେନ୍‌ କିମ୍ବା ରେଳ ଟ୍ରାକ୍‌ ଉପରେ ରିଲ୍‌ସ କରୁଥିଲେ ସାବଧାନ। ଉଲ୍ଲଂଘନକାରୀଙ୍କୁ ଆର୍ଥିକ ଦଣ୍ଡ ସହ ଜେଲ୍‌ ହୋଇପାରେ। ରେଳ ଓ ‌ଟ୍ରାକ୍‌ ଉପରେ ସେଲ୍‌ଫି ନେବା, ଫଟୋ ଉଠାଇବା, ଭିଡିଓ କରିବା, ରିଲ୍‌ସ କରି ଦୁର୍ଘଟଣାର ଶିକାର ହେବା ଖବର ବାରମ୍ବାର ନଜରକୁ ଆସିବା ପରେ ପୂର୍ବତଟ ରେଳପଥ ଏଭଳି ନିଷ୍ପତ୍ତି ନେଇଛି। ରେଳ ଆଇନ ୧୯୮୯ର ଧାରା ୧୪୭ ଓ ୧୫୩ ଅନୁଯାୟୀ ଉଲ୍ଲଂଘନକାରୀଙ୍କ ବିରୋଧରେ ରେଳ ସୁରକ୍ଷା ବଳ (ଆରପିଏଫ୍‌) ଓ ସରକାରୀ ରେଳ ପୁଲିସ (ଜିଆରପି) ପକ୍ଷରୁ ‘ଶୂନ୍ୟ ସହନଶୀଳତା’ ନୀତି ଅନୁସରଣ କରାଯିବା ସହ ମାମଲା ରୁଜୁ ହେବ ବୋଲି କୁହାଯାଇଛି। ବିଶେଷକରି ଛାତ୍ରଛାତ୍ରୀ ଓ କିଶୋରଙ୍କୁ ସୁରକ୍ଷା ନିର୍ଦ୍ଦେଶାବଳୀ ବୁଝିବା ଏବଂ ପାଳନ କରିବାକୁ ଅନୁରୋଧ କରି କର୍ତ୍ତୃପକ୍ଷ କହିଛନ୍ତି, ସାମାଜିକ ଗଣମାଧ୍ୟମରେ ଗୋଟିଏ ପୋଷ୍ଟଠାରୁ ଜୀବନ ଅଧିକ ମୂଲ୍ୟବାନ। ତେଣୁ ଫଟୋଗ୍ରାଫି ହେଉ ଅଥବା କୌଣସି କାରଣ ପାଇଁ ରେଳ ଟ୍ରାକ୍ ଉପରକୁ ଯାଆନ୍ତୁ ନାହିଁ। କାରଣ ଟ୍ରେନ୍‌ ଦ୍ରୁତ ଗତିରେ ଗତି କରିଥାଏ ଏବଂ ଦେଖାଯାଉଥିବା ଦୂରତା ଅପେକ୍ଷା ଶୀଘ୍ର ଅତିକ୍ରମ କରେ। ଲୋକମାନେ ଚାଲୁଥିବା ଟ୍ରେନ୍‌ରୁ ଝୁଙ୍କି ପଡ଼ିବା, ଫୁଟ୍‌ବୋର୍ଡରେ ଯାତ୍ରା କରିବା, ଭିଡିଓ ଫିଲ୍ମ କରିବାକୁ ଛାତ କିମ୍ବା ଇଞ୍ଜିନ୍‌ରେ ଚଢ଼ିବା ଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ପ୍ରଦର୍ଶନରୁ ଦୂରେଇ ରହିବା ଉଚିତ। ଏଭଳି କାର୍ଯ୍ୟ ଉଚ୍ଚ-ଭୋଲଟେଜ୍ ଓଭରହେଡ୍ ଇଲେକ୍ଟ୍ରିକ୍ (ଓଏଚ୍‌ଇ) ଲାଇନ୍‌ ସଂସ୍ପର୍ଶରେ ଆସିପାରେ। କେବଳ ସେତିକି ନୁହେଁ, ଯେତେବେଳେ ଟ୍ରେନ୍ ଆସୁଛି କିମ୍ବା ଅତିକ୍ରମ କରୁଛି ସମସ୍ତେ ପ୍ଲାଟଫର୍ମ ଧାରରୁ ନିରାପଦ ଦୂରତା ବଜାୟ ରଖି ସୁରକ୍ଷା କ୍ଷେତ୍ରଗୁଡ଼ିକୁ ସମ୍ମାନ ଦେବା ଆବଶ୍ୟକ। ଚାଲୁଥିବା ଟ୍ରେନ୍‌ରୁ ଚଢ଼ିବା କିମ୍ବା ଓହ୍ଲାଇବା ମଧ୍ୟ ଏକ ଦଣ୍ଡନୀୟ ଅପରାଧ ବୋଲି ରେଳ କର୍ତ୍ତୃପକ୍ଷ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ