Friday, October 2, 2026
29.9 C
Odisha

    ୧୭ ତମ KIIT ଅନ୍ତର୍ଜାତୀୟ ଚେସ୍ ମହାକୁମ୍ଭ ଉଦ୍‍ଘାଟିତ, ଯୋଗଦେଲେ ୩ ହଜାର ଖେଳାଳି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୧୭ ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହାକୁମ୍ଭ ଉଦ୍‍ଘାଟିତ । ଦେଶର ସର୍ବାଧିକ ପୁରସ୍କାର ରାଶି ୧.୩୧ କୋଟି । ଯୋଗଦେଲେ ୨୫ ଜିଏମ୍ , ୫୦ ଆଇଏମ୍‍ଙ୍କ ସମେତ ୩ ହଜାର ଖେଳାଳି । ମେ’ ୨୩ ତାରିଖରୁ କିଟ୍ ବିଶ୍ୱନାଥନ ଆନନ୍ଦ ଅନ୍ତର୍ଜାତୀୟ ଚେସ୍ ହଲରେ ଆରମ୍ଭ ହୋଇଛି ୧୭ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ । ଆଜି ଏହା ଆନୁଷ୍ଠାନିକ ଭାବେ ଉଦ୍‍ଘାଟିତ ହୋଇଯାଇଛି ।

    ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ବିଶ୍ୱର ୪୦ଟି ଦେଶରୁ ୪ ହଜାର ଖେଳାଳି ଓ ଅଭିଭାବକ ଯୋଗ ଦେଉଥିବା ବେଳେ ୪ଶହ ଅଫିସିଆଲ୍ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୨୫ ଜଣ ଗ୍ରାଣ୍ଡମାଷ୍ଟର (ଜିଏମ୍ ), ୫୦ଜଣ ଇଣ୍ଟରନ୍ୟାସ୍ ନାଲ୍ ମାଷ୍ଟର (ଆଇଏମ୍ ) ଓ ୮୫ରୁ ଅଧିକ ଅନ୍ତର୍ଜାତୀୟ ଟାଇଟଲଧାରୀ ଅଛନ୍ତି ।ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ମୋଟ ପୁରସ୍କାର ରାଶି ରଖାଯାଇଛି ୧କୋଟି ୩୧ ଲକ୍ଷ ଟଙ୍କା ।

    ଏହା ଭାରତରେ ଚେସ୍ ପାଇଁ ପ୍ରଦାନ କରାଯାଉଥିବା ସର୍ବାଧିକ ପୁରସ୍କାର ରାଶି । ଏଥିରେ ବିଭିନ୍ନ ବର୍ଗରେ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ । ଯାହା ଦ୍ୱାରା ପ୍ରତ୍ୟେକ ପ୍ରତିଯୋଗୀ କିଛି ନା କିଛି ପୁରସ୍କାର ରାଶି ପାଇବାର ସୁଯୋଗ ପାଇବେ । ଏହି ଚେସ୍ ମହାକୁମ୍ଭ ପାଇଁ କିଟ୍ ପକ୍ଷରୁ ଖେଳାଳିଙ୍କ ରହିବା ଖାଇବା ଠାରୁ ପ୍ରତିଯୋଗିତା ପର୍ଯ୍ୟନ୍ତ ସମସ୍ତ ସୁବିଧା ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।ଆଜି ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଲେ, ଏତେ ସଂଖ୍ୟକ ଖେଳାଳି ଉଚ୍ଚ ଆଶା ନେଇ କିଟ୍ ଅନ୍ତର୍ଜାତୀୟ ଚେସ୍ ରେ ଯୋଗଦେବାକୁ ଆସୁଛନ୍ତି । ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଉତ୍କୃଷ୍ଟ ଆତିଥ୍ୟ, ପର୍ଯ୍ୟାପ୍ତ ସୁବିଧା ଏବଂ ବ୍ୟାପକ ସମର୍ଥନ ପ୍ରଦାନ ପାଇଁ କିଟ୍‍ ପକ୍ଷରୁ ପ୍ରୟାସ କରାଯାଇଛି । ଫଳରେ ସେମାନେ ଆରାମରେ ଆତ୍ମବିଶ୍ୱାସ ସହିତ ସେମାନଙ୍କର ଖେଳ ଖେଳିପାରିବେ ।

    ଏହି ମହାକୁମ୍ଭରେ ଓଡ଼ିଶାର ଜିଏମ୍ କିରଣ ମନୀଷା ମହାନ୍ତି, ପଦ୍ମିନୀ ରାଉତ ଓ ଆଇଏମ୍ ସମ୍ବିତ ପଣ୍ଡାଙ୍କ ଭଳି ବହୁ ଉଦୀୟମାନ ଚେସ୍ ତାରକା ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ଫଳରେ ଓଡ଼ିଶା ଚେସ୍ ଖେଳାଳିଙ୍କୁ ମଧ୍ୟ ଏହା ପ୍ରେରଣା ଯୋଗାଇବ ବୋଲି ଡ. ସାମନ୍ତ କହିଥିଲେ । ଏହି ଅବସରରେ ଚେସ୍ ମହାକୁମ୍ଭ ସହ ଜଡ଼ିତ ଅନ୍ତର୍ଜାତୀୟ ଚେସ୍ ସଂଘ (ଫିଡେ), ସର୍ବ ଭାରତୀୟ ଚେସ ସଂଘ (ଏଆଇସିଏଫ୍ ), ଓଡ଼ିଶା ଚେସ୍ ସଂଘ (ଓସିଏ)ଙ୍କ ସମେତ ସମସ୍ତ ଖେଳାଳି, ଅଫିସିଆଲ୍ ଙ୍କୁ ଡ. ସାମନ୍ତ ଧନ୍ୟବାଦ ଜଣାଇଛନ୍ତି ।

    ଏହା ସହିତ ଚଳିତବର୍ଷର ଚେସ୍ ମହାକୁମ୍ଭ ସର୍ବଭାରତୀୟ ରେକର୍ଡ ସ୍ଥାପନ କରିଥିବା ଡ. ସାମନ୍ତ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବରେ ବହୁ ଆଇଏମ୍ ଓ ଜିଏମ୍ ଯୋଗ ଦେଉଥିବାରୁ ଏହା ଓଡ଼ିଶା ତଥା ଭାରତୀୟ ଚେସ୍ କୁ ଆହୁରି ଆଗକୁ ନେବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ ।

    ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଆଇଏମ୍ ଶେଖର ଚନ୍ଦ୍ର ସାହୁ, ଓଡ଼ିଶା ଚେସ୍ ଆସୋସିଏସନ୍ ସଭାପତି ସତ୍ୟ ରଞ୍ଜନ ପଟ୍ଟନାୟକ, ସର୍ବ ଭାରତୀୟ ଚେସ୍ ସଂଘ ତଥା ଇଭେଣ୍ଟ କମିଟି ସଦସ୍ୟ ରଞ୍ଜନ ମହାନ୍ତି, କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କିଟ୍‍-କିସ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ