Friday, June 19, 2026
37 C
Odisha

    ଅପରିପକ୍ୱ ବିଜେଡି ସରକାର ଆଦିବାସୀ ବିରୋଧୀ : ବଳଭଦ୍ର ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୧/୦୧: ଗତ ୨୧ଡିସେମ୍ବର ୨୦୨୩ରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁରର ମା’ଗୃହରେ ଜଣେ ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଲକ୍ଷ୍ମୀ ମାଝୀଙ୍କୁ ମାରି ଦେଇଥିବା ଘଟଣାକୁ ନେଇ ରାଜ୍ୟ ସରକାର ସମ୍ବେଦନଶୀଳତା ହରାଇଥିବା ଏକ ଦୁର୍ଭାଗ୍ୟଜନକ । ହତ୍ୟାକୁ ୧୦ଦିନ ବିତିଯାଇଥିଲେ ମଧ୍ୟ ବର୍ତମାନ ବ୍ୟବଚ୍ଛେଦ ରିପୋର୍ଟ ନମିଳିବା ଓ ପୋଲିସ ଏଯାଏଁ କାହାକୁ ଗିରଫ ନକରିବା ଚିନ୍ତନୀୟ । ମୃତ ଆଦିବାସୀ ଯୁବତୀଙ୍କ ଶରୀର ଚନ୍ଦ୍ରପୁର ସିଏଚସି ମେଡିକାଲ କମ୍ପାଉଡ ଭିତରେ ମିଳିଛି । ମର ଶରୀର ମେଡିକାଲ ପରିସରରୁ ୨ଶହ ମିଟର, ମା’ଗୃହରେ ରହୁଥିବା ଅନ୍ୟ ଭଉଣୀମାନଙ୍କ ଗୃହରୁ ମାତ୍ର ୧୦ମିଟର, ମା’ଗୃହର ଅଧ୍ୟକ୍ଷଙ୍କ ବାସଭବନଠାରୁ ମାତ୍ର ୩୦ମିଟର ଏବଂ ଚନ୍ଦ୍ରପୁର ଥାନାଠାରୁ ମାତ୍ର ୨ଶହ ମିଟର ଦୂରତାରେ ମିଳିଛି । ବସତି ସ୍ଥାପନାଭରା ଏହି ଅଂଚଳରୁ କେମିତି ଜଣେ ଯୁବତୀଙ୍କୁ ପୋଡିଦିଆଗଲା ଓ ତାର ସୁରାକ କେହି ପାଇଲେ ନାହିଁ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ମୃତା ଆଦିବାସୀ ଯୁବତୀଙ୍କ ଶରୀର ମଧ୍ୟ ସମ୍ପୂର୍ଣ୍ଣ ଜଳିନାହିଁ ଓ ଯେଉଁ କାନ୍ଥକୁ ଲାଗି ମୃତଶରୀର ଲାଗିଥିଲା ତାହାର ଶିଉଳୀ ମଧ୍ୟ ଜଳିନାହିଁ । ସନ୍ଧ୍ୟା ୪ରୁ ଆଦିବାସୀ ଯୁବତୀ ଜଣକ ମା’ଗୃହରୁ ବାହାରିଥିଲେ ମଧ୍ୟ ସଂଧ୍ୟା ୭.୩୦ରେ ପୋଡିହୋଇ ମୃତ୍ୟୁବରଣ କରିଥିବାର ଖବର ମିଳିଥିଲା । ସନ୍ଧ୍ୟା ସମୟ ଘଟଣାକୁ କେମିତି ଅନ୍ୟମାନେ ଜାଣିପାରିଲେ ନାହିଁ ବୋଲି ପୁର୍ବତନ ସାଂସଦ ଶ୍ରୀ ବଳଭଦ୍ର ମାଝୀ ପ୍ରଶ୍ନ କରିଛନ୍ତି ।
    ଶାସନ, ପ୍ରଶାସନ ଓ ବିଜେଡି ସରକାରଙ୍କର ଆଦିବାସୀ ବିରୋଧୀ ଏବଂ ଆଦିବାସୀ ମାରଣନୀତିର ଉଦାହରଣ ଏହା ପ୍ରଥମ ନୁହେଁ । ଏହି ସରକାରଙ୍କ ଆଦିବାସୀମାରଣ ନୀତି “କଳିଙ୍ଗନଗର”ରୁ ଆରମ୍ଭ ହୋଇଥିଲା । ଆଦିବାସୀ ଅଧ୍ୟୁଷିତ ଅଂଚଳରୁ କୋଟି କୋଟି ଟଙ୍କା ଖଣିରୁ ଆସୁଥିଲେ ମଧ୍ୟ ଆଦିବାସୀ ଅଂଚଳ ଓ ଆଦିବାସୀଙ୍କ ବିକାଶ ହେଲା ନାହିଁ । ଖଣି ଦୁର୍ନୀତିରେ “ଶାହା କମିଶନ” ୬୫ହଜାର କୋଟି ଟଙ୍କାର ହେରଫେର ରିପୋର୍ଟ କରିଥିଲେ ମଧ୍ୟ ମାନ୍ୟବର ସୁପ୍ରିମକୋର୍ଟରେ ବିଜେଡି ସରକାରର କୋହଳ ମନବୃତି ଯୋଗୁଁ ଖଣି ମାଲିକମାନେ ଦୁର୍ନୀତି ପରିମାଣକୁ ୧୮ହଜାର ୫୦୦କୋଟି ଟଙ୍କାକୁ କମାଇବାରେ ସଫଳ ହୋଇଥିଲେ । ଏହି ଟଙ୍କା ଓ ଡିଏମଏଫ ତଥା ଅନ୍ୟାନ୍ୟ ସିଏସଆର ବାବଦରେ ଟଙ୍କା ଆଦିବାସୀ ଅଂଚଳରେ ଖର୍ଚ୍ଚ ହେବାର ବ୍ୟବସ୍ଥା ଥିଲେ ମଧ୍ୟ ଏହି ଟଙ୍କାର ଦୁବ୍ୟବହାର କରି ନିଜକୁ ଏବଂ ନିଜ ଦଳକୁ ସୁହାଇଲା ଭଳି ନିଜ ପାଣ୍ଠି ସୃଷ୍ଟି କରିବାର ଏକ ସ୍ରୋତଭାବରେ ବ୍ୟବହାର କଲେ ।
    ଆଦିବାସୀ ଅଂଚଳ ପାହାଡ, ପର୍ବତରେ ଅବସ୍ଥିତ ଏବଂ ଏହି ଅଂଚଳରୁ ତେଲ, ଭାସ୍କେଲ୍‌, ନାଗାବଳୀ, ବଂଶଧାରା, ବୁଢ଼ାବଳଙ୍ଗ, ଇବ୍‌, ଅଙ୍ଗ ଓ ଇନ୍ଦ୍ରାବତୀ ନଦୀ ଆଦି ବହୁଥିଲେ ମଧ୍ୟ ଆଦିବାସୀଙ୍କ ଜମିର ଜଳସେଚନ ପାଇଁ ଆଖିଦୁଶିଆ କିଛି ବ୍ୟବସ୍ଥା କରାଯାଇ ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି ।
    ୨୪ବର୍ଷର ନବୀନ ସରକାର ଆଦିବାସୀଙ୍କ ଶିକ୍ଷାର ଉନ୍ନତୀ ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । ଉଦାହରଣ ସ୍ୱରୂପ ନବରଙ୍ଗପୁର ଜିଲ୍ଲାର ୧୦ରୁ ୬ବ୍ଲକରେ କୌଣସି ଡିଗ୍ରୀ କଲେଜ ନାହିଁ । ମୋଦି ସରକାର ଆସିବା ପରେ ନବରଙ୍ଗପୁରରେ ଗୋଟିଏ ଡିଗ୍ରୀ କଲେଜ ସ୍ଥାପନା ହୋଇଛି । ୨୩ ପ୍ରତିଶତ ଆଦିବାସୀଙ୍କ ପାଇଁ ଉଚ୍ଚଶିକ୍ଷାରେ ମାତ୍ର ୧୨ପ୍ରତିଶତ ସିଟ୍ ସଂରକ୍ଷଣ ଆଦିବାସୀ ବିରୋଧୀ ନୁହେଁ କି? ରୋଜଗାର ଓ ଚାକିରି ଅଭାବରୁ ସମ୍ପତିଭରା ଓଡ଼ିଶାର ଆଦିବାସୀ ଦାଦନ ଯିବାକୁ ବାଧ୍ୟ ହେଉଛି ।
    କେନ୍ଦ୍ର ସରକାର ପ୍ରତି ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ମେଡିକାଲ କଲେଜର ବ୍ୟବସ୍ଥା କରିଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ଆଦିବାସୀ ଅଂଚଳ ପାଇଁ ଉଦାସିନତା ଯୋଗୁଁ ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଗଜପତି ପରି ଜିଲ୍ଲାମାନଙ୍କରେ ମେଡିକାଲ କଲେଜର ପ୍ରସ୍ତାବ ଦେଇନାହାନ୍ତି । ଆଦିବାସୀ ଅଂଚଳରେ ଏବେବି ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ଏବଂ ଅନ୍ୟାନ୍ୟ ଭିତିଭୂମି ନାହିଁ ।
    ନବୀନ ସରକାରର ଉଦାସିନତା ଯୋଗୁଁ ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି ପରି ଜିଲ୍ଲା ବର୍ତମାନ ମଧ୍ୟ ରେଳ ମାନଚିତ୍ରରେ ଆସିପାରି ନାହିଁ । ୨୦୧୬ରେ ସୀକୃତି ପାଇଥିବା ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ପାଇଁ ସୀକୃତିର ୮ବର୍ଷ ପରେ ବି ରାଜ୍ୟ ସରକାର ଇଂଚେଟିଏ ଜମି ନଦେବା ଆଦିବାସୀ ବିରୋଧୀ ମାନସିକତାକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
    ବିଜୁ ଜନତା ଦଳ ସରକାରର ଆଦିବାସୀ ବିରୋଧୀ ମାନସିକତା ଆହୁରି ସ୍ପଷ୍ଟ ହେଲା ଯେତେବେଳେ ଟିଏସି(ଜନଜାତି ଉପଦେଷ୍ଟା ପରିଷଦ)ର ଦ୍ୱାହି ଦେଇ ଆଦିବାସୀଙ୍କ ଜମିକୁ ଶିଳ୍ପପତି ଓ ପୁଞ୍ଜୀପତିଙ୍କୁ ଟେକି ଦେବା ପାଇଁ କ୍ୟାବିନେଟ୍ ନିଷ୍ପତି ନେବାର ଘୋଷଣା କଲେ । ସେହି ରାଜ୍ୟ ସରକାରର ଆଦିବାସୀ ମନ୍ତ୍ରୀ ପରବର୍ତୀ ସମୟରେ କହିଲେ, ଏହା ଏକ ଅପରିପକ୍ୱ ନିଷ୍ପତି ଥିଲା । ୨୪ବର୍ଷର ବିଜେଡି ସରକାର ଥରେ ନାହିଁ ଆଦିବାସୀଙ୍କ ପ୍ରତି ବାରମ୍ବାର ଅପରିପକ୍ୱ କାମ ହିଁ କରିଛନ୍ତି । ଏପରି ସରକାରଙ୍କ କାର୍ଯ୍ୟକଳାପକୁ ଘୋର ନିନ୍ଦା କରିବା ସହିତ ଓଡ଼ିଶାବାସୀଙ୍କ ପାଖରେ ନିବେଦନ କରୁଛୁ ଆଦିବାସୀ ଓ ବିକାଶ ବିରୋଧୀ ସରକାରକୁ ଓଡ଼ିଶାର ଜନସାଧାରଣ ଆଗାମୀ ଦିନରେ ଉଚିତ ଜବାବ ଦେବେ ବୋଲି ଶ୍ରୀ ମାଝୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37 ° C
    37 °
    37 °
    34 %
    2.8kmh
    57 %
    Fri
    35 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ