Saturday, May 30, 2026
26.9 C
Odisha

    ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ: ବିଜେଡିକୁ ଅଡ଼ୁଆ ଗୋଷ୍ଠୀକନ୍ଦଳ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭୁବନେଶ୍ବରର ମଧ୍ୟ ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ନିଜ ନିଜ ସ୍ତରରେ ଲୋକଙ୍କ ନିକଟତର ହେବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ସହର ସାରା ହୋର୍ଡିଂ ସାଙ୍ଗକୁ ସ୍ବତନ୍ତ୍ର ଏଜେଣ୍ଡା ପ୍ରସ୍ତୁତ କରି ଆଶାୟୀ ଶକ୍ତି ପ୍ରଦର୍ଶନ କରୁଛନ୍ତି। ବିଜେପି ମୌଳିକ ସମସ୍ୟାକୁ ନେଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। ଗତ ଥର ଅମାନତ ହରାଇଥିବା କଂଗ୍ରେସ ବଳ ଗୋଟାଉଛି। ମଧ୍ୟ ନିର୍ବାଚନମଣ୍ଡଳୀ ଗଠନ ହେବା ଦିନଠାରୁ ଲଗାତାର ତିନିଟି ନିର୍ବାଚନରେ ବିଜେଡି ଏହାକୁ ଦଖଲରେ ରଖିଥିବାରୁ ଏଥର ଏହି ଆସନ କିଭଳି ପୁଣି ଥରେ ରଖିବ, ସେ ନେଇ ଚାପରେ ରହିଛି। ୨୦୦୯ ଓ ୨୦୧୪ରେ ଏଠାରେ ବିଜେଡିର ବିଜୟ ମହାନ୍ତି ଜିତିଥିଲେ। ୨୦୧୯ରେ ମଧ୍ୟ ସେ ପ୍ରମୁଖ ଦାବିଦାର ଥିଲେ। କିନ୍ତୁ ଏକ ନାଟକୀୟ ଘଟଣାକ୍ରମରେ ଶେଷ ମୂହୁର୍ତ୍ତରେ ଦୁଇ ଦୁଇ ଥର ମେୟର ହୋଇଥିବା ଅନନ୍ତ ନାରାୟଣ ଜେନା((ବୁନୁ)ଙ୍କୁ ବିଜେଡି ଟିକେଟ୍‌ ଦେଲା।
    ଏଥର ବି ବୁନୁ ଟିକେଟ୍‌ ଦୌଡ଼ରେ ଅଛନ୍ତି। କିନ୍ତୁ ତାଙ୍କ ବାଟ ଓଗାଳିବାକୁ ବିଜେଡିର ଆଉ ଏକ ବଡ଼ ଗୋଷ୍ଠୀ ଅଭିଯାନ ଚଳାଇଛନ୍ତି। ‘ୱି ଫର୍‌ ଭୁବନେଶ୍ବର’ ନାମରେ ଏକ ସାମାଜିକ ସଂଗଠନ ବ୍ୟାନର୍‌ରେ କିଛି ପୂର୍ବତନ କର୍ପୋରେଟର୍‌ ଓ ବର୍ତ୍ତମାନ କର୍ପୋରେଟର୍‌ ମେଳି ହୋଇଛନ୍ତି। ଯଦିଓ ଏହା ଏକ ସାମାଜିକ ସଂଗଠନ, ତେବେ ବିଧାୟକଙ୍କ ବିରୋଧୀ ସଂଗଠନ ଭାବେ ବେଶ୍‌ ଜଣାଶୁଣା। ଏହି ଗୋଷ୍ଠୀର ନେତୃତ୍ବ ନେଉଛନ୍ତି ବିଜେଡି କର୍ପୋରେଟର୍‌ ଅମରେଶ ଜେନା। ବୁନୁଙ୍କର ଜଣେ ଜଣାଶୁଣା ବିରୋଧୀ ଭାବେ ଅମରେଶ ପରିଚିତ। ନିଜେ ଅମରେଶ ଟିକେଟ୍‌ ପାଇଁ ବଡ଼ ଦାବିଦାର ଭାବେ ଉଭା ହୋଇଛନ୍ତି। ନିକଟ ଅତୀତରେ ପୋଷ୍ଟର୍‌ ଚିରା‌କୁ ନେଇ ଅନନ୍ତ ଓ ଅମରେଶଙ୍କ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବିଜେଡିର ଏହି ଆଭ୍ୟନ୍ତରୀଣ ବିବାଦ ଏବେ ଦଳର ଶୀର୍ଷ ନେତୃତ୍ବକୁ ଅଡ଼ୁଆରେ ପକାଇଛି। ଏମିତିରେ ବି ଏଠାରେ ଭୁବ‌ନେଶ୍ବର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଯେହେତୁ ଏହି ନିର୍ବାଚନମଣ୍ଡଳୀଟି ରାଜଧାନୀର କେନ୍ଦ୍ରସ୍ଥଳୀ, ତେଣୁ କୌଣସି ପରିସ୍ଥିତିରେ ଆସନଟି ହାତଛଡ଼ା ନକରିବାକୁ ଦଳ ସଜାଗ ଅଛି। ଏହି ନିର୍ବାଚନମଣ୍ଡଳୀରୁ ବିଜେପି ଲଗାତାର ଦ୍ବିତୀୟ ସ୍ଥାନରେ ରହୁଥିଲେ ବି ବିଜେଡିକୁ କଡ଼ା ଟକ୍କର ଦେଉଛି। ୨୦୦୯ରେ ବିଶ୍ବଭୂଷଣ ହରିଚନ୍ଦନ ବିଜେପି ପ୍ରାର୍ଥୀ ହୋଇଥିଲା ବେଳେ ସେବେ ଦଳର ନେତା ଜଗନ୍ନାଥ ପ୍ରଧାନ ବିଦ୍ରୋହୀ ପ୍ରାର୍ଥୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଥିଲେ। ୨୦୧୪ ଓ ୨୦୧୯ରେ ବିଜେପି ଜଗନ୍ନାଥଙ୍କୁ ପ୍ରାର୍ଥୀ କଲା। ତାଙ୍କ ଭୋଟ ପ୍ରତିଶତ ବଢ଼ିଛି। ଏଥର ବିଜେପିର ଟିକେଟ୍‌ ଦୌଡ଼ରେ ଜଗନ୍ନାଥ ହିଁ ଆଗ‌ରେ ଅଛନ୍ତି। ହେଲେ ଦଳ ଏହି ଆସନରେ ବିଜେଡିକୁ ମାତ୍ ଦେବା ଚ୍ୟାଲେଞ୍ଜ ହୋଇପଡ଼ିଛି।

    କଂଗ୍ରେସ କିନ୍ତୁ ଆରମ୍ଭରୁ ଏହି ଆସନରେ ଢେର୍‌ ପଛରେ ରହିଆସିଛି। ପ୍ରତି ଥର ପ୍ରାର୍ଥୀ ବଦଳୁଥିଲେ ହେଁ ଦଳର ଶୋଚନୀୟ ସ୍ଥିତି ଲାଗି ରହିଛି। ୨୦୦୯ ନିର୍ବାଚନରେ ଆଲୋକ ଜେନା କଂଗ୍ରେସର ପ୍ରାର୍ଥୀ ହୋଇଥିଲେ। କଂଗ୍ରେସ ୨୦୧୪ରେ ଶୁଭେନ୍ଦୁ ମହାନ୍ତିଙ୍କୁ ପ୍ରାର୍ଥୀ କଲା। ୨୦୧୯ରେ ଦଳ ପ୍ରାର୍ଥୀ ବଦଳାଇଲା ଏବଂ ରାଜୀବ ପଟ୍ଟନାୟକ ଟିକେଟ୍‌ ପାଇଲେ। ହେଲେ ସେ ମାତ୍ର ୨,୭୪୬ ଭୋଟ ପାଇ ଅମାନତ ହରାଇଲେ। ଏଣୁ ଆଗାମୀ ନିର୍ବାଚନରେ ଦଳ ନୂଆ ମୁହଁ ଖୋଜୁଛି। ଏ ଭିତରେ ଦଳର ମୁଖପାତ୍ର ରଜନୀ ମହାନ୍ତି ଟିକେଟ୍‌ ଦୌଡ଼ରେ ଆଗରେ ଥିବା ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.9 ° C
    26.9 °
    26.9 °
    76 %
    2kmh
    99 %
    Sat
    27 °
    Sun
    39 °
    Mon
    40 °
    Tue
    41 °
    Wed
    43 °

    ସମ୍ବନ୍ଧିତ